Unknown

 

 

 

 

 

 

 

 

 

 

ପ୍ରଣୟ ବଲ୍ଲରୀ

ସ୍ୱଭାବକବି ଗଙ୍ଗାଧର ମେହେର

 

(ପ୍ରକାଶ କାଳ (୧୯୦୩-୧୯୧୫)

(୩୦.୦୭.୧୯୧୦, ୦୬.୦୮.୧୯୧୦, ୧୩.୦୮.୧୯୧୦, ୨୦,୦୮.୧୯୧୦, ସମ୍ବଲପୁର ହିତୈଷିଣୀରେ ଏବଂ ୧୯୧୫ ଉତ୍କଳ ସାହିତ୍ୟରେ ପୁସ୍ତକ ପ୍ରକାଶନ ବିଜ୍ଞାପିତ)

 

ସମ୍ବଲପୁର ଜିଲ୍ଲା ବୋଡ଼ାସମ୍ବରର ଉଦାରହୃଦୟ ଦାନଶୀଳ ଜମିଦାର ଶ୍ରୀମାନ୍ ରାୟ ଲାଲ୍ ରାଜେନ୍ଦ୍ର ସିଂହ ବରିହା ବାହାଦୁରଙ୍କର ସମ୍ପୂର୍ଣ ବ୍ୟୟରେ ଏବଂ ତଦୀୟ ଦେବାନ୍ ସ୍ଵଦେଶହିତୈଷୀ ଶ୍ରୀଯୁକ୍ତ ରାୟ ଭୁବନେଶ୍ୱର ବହିଦାର ସାହେବଙ୍କ ହିତୈଷଣାରେ ଏହି ପୁସ୍ତକ ପ୍ରକାଶିତ ହୋଇଥିବାରୁ ଗ୍ରନ୍ଥକାର ସେମାନଙ୍କ ନିକଟରେ ହୃଦୟର ଗଭୀର କୃତଜ୍ଞତା ଅର୍ପଣ କରୁଅଛି ।

ଭୂମିକା

ମେନକା ଅପସରାର ସୌନ୍ଦର୍ଯ୍ୟ-ଦେବତା ଓ ପ୍ରଲୋଭନ-ଅସୁର ମିଳି ବିଶ୍ଵାମିତ୍ରଙ୍କର ତପଃସିନ୍ଧୁ ମନ୍ଥନ କରିବାରୁ ଶକୁନ୍ତଳାରୂପିଣୀ ଲକ୍ଷ୍ମୀଙ୍କର ଆବିର୍ଭାବ ଓ ତଦୀୟ ଚରିତାମୃତର ଉତ୍‌ଥାନ ହେଲା । ସେହି ଅମୃତକୁ ବୈୟାସିକୀ କବିତା ମୋହିନୀରୂପରେ ବିବୁଧରୂପ ବିବୁଧସମାଜରେ ପରିବେଷଣ କରିଦେଲା । ମହାକବି କାଳିଦାସ ସେହି ଅମୃତରେ ନାଟକରୂପ ମିଷ୍ଟାନ୍ନ ପ୍ରସ୍ତୁତ କରି ବିବୁଧସମାଜରେ ପ୍ରଶଂସନୀୟ ହୋଇଅଛନ୍ତି । ପୃଥିବୀର ଅନ୍ୟତମ ମହାକବି ଜର୍ମାନ୍ ସାହିତ୍ୟକାଶର ପୂର୍ଣ୍ଣଚନ୍ଦ୍ର ମହାତ୍ମା ଗେଟେ କାଳିଦାସଙ୍କର ଶକୁନ୍ତଳା ନାଟକର ସ୍ୱର୍ଗୀୟ ମାଧୁର୍ଯ୍ୟରେ ମୁଗ୍‌ଧ ହୋଇ ମହାକବିଙ୍କର ଭାରତପ୍ରଥିତ ଯଶକୁ ଅବନୀପ୍ରଥତ କରିଦେଇଅଛନ୍ତି । ଗୁଣର ମହତ୍ତ୍ୱ ଗୁଣୀ ବୁଝେ । ମହାତ୍ମା ଗେଟେ ମୁକ୍ତକଣ୍ଠରେ ଗୁରୁଗମ୍ଭୀର ସ୍ଵରରେ କହିଅଛନ୍ତି ।

“Wouldst thou young years's blossoms

and the fruits of its decline,

And all by which the soul is charmed,

enraptured, feasted, fed ?

Wouldst thou the earth and heaven .

itself in one sole name combine ?

I name thee, O Sakuntala !

and all at once is said."

ଆଜି କାଳିଦାସଙ୍କର ଶକୁନ୍ତଳା ପୃଥିବୀର ବିଭିନ୍ନ ବହୁ ଭାଷାରେ ଅନୁବାଦିତ ହୋଇ ବିଜ୍ଞମାନଙ୍କର ହୃଦୟକୁ ଅମୃତସରେ ପ୍ଲାବିତ କରୁଅଛି । ଭିନ୍ନ ଭାଷାରେ ମୂଳ କବିତାର ଭାବ ପୂର୍ଣ୍ଣରୂପେ ପ୍ରକାଶ କରିବା ସୁକଠିନ କାର୍ଯ୍ୟ । ଗୋଟିଏ ହସ୍ତୀ ସ୍ଵାଧୀନଭାବରେ ଚାଲିଗଲେ ତାହାର ଗତିର ଯେଉଁ ଶୋଭା ଥାଏ, ଅନ୍ୟ ଗୋଟିଏ ହସ୍ତୀ ପୂର୍ବଗାମୀ ହସ୍ତୀର ଠିକ୍‌ ପଦଚିହ୍ନ ଉପରେ ପଦକ୍ଷେପ କରି କରି ଚାଲିଲେ ସେ ଶୋଭା ରହିପାରେ ନାହିଁ, କିନ୍ତୁ ସେହି ମାର୍ଗରେ ହଂସର ନୈସର୍ଗିକ ଗତି ଦର୍ଶନୀୟ ହୋଇଥାଏ । ମହାକବି କାଳିଦାସଙ୍କର ଗତିପଥ ଲକ୍ଷ୍ୟକରି ଏହି ପୁସ୍ତକ ରଚନା ହୋଇଅଛି ଏବଂ ଚରିତଟି ପ୍ରଣୟପ୍ରଧାନ ଥିବାରୁ ‘ପ୍ରଣୟ-ବଲ୍ଲରୀ' ନାମ ଧାରଣ କରିଅଛି

ମହାକାବ୍ୟ ‘ମହାଭାରତ’ ପଥ ପରିତ୍ୟାଗ କରି ‘ପଦ୍ମପୁରାଣ’ର ମାର୍ଗରେ ମହାକବି କାଳିଦାସଙ୍କର ଶକୁନ୍ତଳା ନାଟକ ରଚିତ ହୋଇଥିବାର କଥିତ ହୁଏ; ତଥାପି କବି ନିଜର ସ୍ଵାସ୍ଥ୍ୟ ରକ୍ଷାକରିବାକୁ ଛାଡ଼ିନାହାନ୍ତି ଓ ତହିଁ ନିମନ୍ତେ ସେ ପ୍ରଶଂସ୍ୟ ହୋଇଅଛନ୍ତି । କେହି କେହି କହନ୍ତି ଯେ ନାଟକରେ ନାୟକ-ନାୟିକାଙ୍କର ହୃଦୟର ପ୍ରଶସ୍ତ ଚିନ୍ତାସବୁ ବିତରୂପେ ପରିସ୍ଫୁଟ ହୋଇପାରେ ନାହିଁ, ଏହି କଥାମାନ ଚିନ୍ତିତ ହୋଇ ଏହା ଉତ୍କଳଭାଷାରେ କାବ୍ୟରୂପେ ସ୍ଥାନେ ସ୍ଥାନେ ଲେଖକର ସ୍ୱତନ୍ତ୍ରତା ପ୍ରଯୁକ୍ତ ହୋଇଅଛି ।

ବିଜ୍ଞ ପାଠକବୃନ୍ଦ ! ଏଥିରେ ମୂଳ କବିତାର ରସାସ୍ୱାଦ ଲୋଡ଼ିଲେ ନିଶ୍ଚୟ ବଞ୍ଚିତ ହେବେ-। ଯେପରି ଅମୃତ ଅଭାବରେ ନବାତର ବ୍ୟବହାର ହୋଇଥାଏ, ମୂଳ କବିତାର ପ୍ରକୃତ ରସ ଅଭାବରେ ଏହି କବିତା ସେହିପରି ବ୍ୟବହାରରେ ଆସିପାରିବ କି ନା, ସନ୍ଦେହ । ତହିଁ ଉପରେ ନବାତପଣାରେ ଲେମ୍ଭୁ - ରସ ପ୍ରକ୍ଷେପ ପ୍ରାୟ ଆଦର୍ଶର ଅନୁକରଣରେ ମୂଳ କବିତାରସ ଉପରେ ଉତ୍କଳ ଲେଖକର ସ୍ୱକୀୟ କବିତାରସ ପ୍ରକ୍ଷିପ୍ତ ହୋଇଅଛି । ତହିଁ ନିମନ୍ତେ ଏହା କଦମ୍ଲ କିମ୍ବା ଅତ୍ୟମ୍ନ ଦୋଷରୁ ଅପେୟ ହୋଇ ନଥିଲେ ରକ୍ଷା ।

ମତ୍‌ପ୍ରଣୀତ ‘‘କବିତା-କଲୋଳ’’ରେ ପ୍ରଣୟାଙ୍କୁର ପାଠକରି ମାନନୀୟ ଶ୍ରୀମାନ୍ ରାମନାରାୟଣ ମିଶ୍ର, ଏମ୍.ଏ., ବି.ଏଲ୍. ପ୍ରମୁଖ ଅନେକ ସାହିତ୍ୟପ୍ରେମିକ ମହାମା ପ୍ରଣୟାଙ୍କୁରକୁ ପରିବର୍ଦ୍ଧିତ ପ୍ରଣୟବଲ୍ଲରୀରୂପେ ଦେଖିବାକୁ ସସ୍ନେହାକାଙ୍‌କ୍ଷା ପ୍ରକାଶ କରିଥିଲେ ଏବଂ ମୋର ପରମହିତୈଷୀ ସୁହୁଦ୍ ଶ୍ରୀମାନ୍ ବ୍ରଜମୋହନ ପଣ୍ଡା ମହୋଦୟ ଅନବରତ ପୃଷ୍ଠପୋଷକତା-ସମ୍ବଳିତ ଉତ୍ତେଜନା ପ୍ରଦାନ କରିଅଛନ୍ତି । ଏହା ସେମାନଙ୍କର ତଥା ଉତ୍କଳର ସହୃଦୟ କାବ୍ୟରସିକବୃନ୍ଦଙ୍କର କିଞ୍ଚତ୍ ରୁଚିକର ବୋଧ ହେଲେ ମୁଁ ନିଜକୁ କୃତାର୍ଥ ଜ୍ଞାନ କରିବି । ଇତି ।

ପଦ୍ମପୁର

ବିନୟାବତ

ତା ୨୫/୧୦|୧୯୧୫

ଗ୍ରନ୍ଥକାର

 

ପ୍ରଥମ ସର୍ଗ

ପ୍ରଣୟାଙ୍କୁର

 

ଜୟ ବେଦବ୍ୟାସ            ଜୟ କାଳିଦାସ

ଭାରତୀ-ପ୍ରିୟ-ନନ୍ଦନ,

ତୁମ୍ଭେ ଜ୍ଞାନଗୁରୁ            କବିମଣ୍ଡଳୀର

ଲଲାଟ-ଶୋଭୀ-ଚନ୍ଦନ ।

 

ତୁମ୍ଭ ଚରଣରେ            ଲଗାଉଛି ବିଧି

ମୋ ହୃଦ-ଦୃଢ଼-ବନ୍ଧନ,

ତୁମ୍ଭ ପଛେ ଥାଇ            ଭାରତୀ-ଚରଣେ

ବିନୟେ କରେ ବନ୍ଦନ ।

 

ଯେଉଁ ପଥେ ଗମି            ଭ୍ରମିଛ ଗୁରୁ ହେ,

ଭାରତୀ-କୁସୁମ-ବନେ,

ସେହି ପଥେ ଚାଲି            ତୋଳିବି କୁସୁମ

ପଡ଼ିବ ଯେତେ ନୟନେ ।

 

ନୟନେ ପଡ଼ିବ            ଯତନେ ଯହିଁକି

ନ ପାଇବ ମୋର ହସ୍ତ,

ସେ ଉଚ୍ଚ ଡାଳର            କୁସୁମ-ଚୟନେ

ରହିବି ହୋଇ ନିରସ୍ତ ।

 

ତୋଳିଲା କୁସୁମେ            ହାର ଗୁନ୍ଥିଦେବି

ଉତ୍କଳ-ଜନନୀ-ହୃଦେ,

ଭକ୍ତିରେ ଜନନୀ-            ପାଦ-ପଦ୍ମେ ପୂଜି

ମନ ମଜ୍ଜାଇବି ମୁଦେ ।

 

ମୃଗୟା-ବିନୋଦେ            ଦୁଷ୍ମନ୍ତ ନରେଶ

ବିହାର କରନ୍ତି ବନେ,

ପ୍ରଫୁଲ୍ଲହୃଦୟେ            ଧନୁଶର-କରେ

ଶୋଭିତ ହୋଇ ସ୍ୟନ୍ଦନେ ।

 

ଭ୍ରମୁଁ ଭ୍ରମୁଁ ଏକ            ମୃଗ ଆସି ହେଲା

ଅକସ୍ମାତ ନୃପ ଅଗ୍ରେ,

ଧନୁଶରଧାରୀ            ନରେଶଙ୍କୁ ଚାହିଁ

ପଳାଇଲା ତହୁଁ ବ୍ୟଗ୍ରେ ।

 

ପଳାୟିତ ମୃଗ-            ପଛେ ନୃପାଦେଶେ

ସୂତ ଚଳାଇଲା ରଥ,

କିନ୍ତୁ ଅଶିଥିଳ-            ରଶ୍ମି କରିଥାଏ

ବିଲୋକି ବନ୍ଧୁର ପଥ ।

 

ସ୍ୱଭାବ-ସୁଲଭ            ଲମ୍ପେ କୃଷ୍ଣସାର

ଗଗନେ ଅଧିକ ଯାଇ,

ଥରେ ଥରେ ମାତ୍ର            ଦେଉଥାଏ ବନ-

ଭୂମିରେ ପାଦ ପକାଇ ।

 

ପୁଚ୍ଛ ଲପଟାଇ            ସ୍ପିଚ ସଙ୍କୁଚାଇ

ଆଶୁଗ-ପତନ-ଭୟେ,

ଗ୍ରୀବା ଭାଙ୍ଗି ଥରେ            ଥରେ ରଥେ ଚାହିଁ

ପଳାଏ ପୁଣି ଅଥୟେ ।

 

ଶରମ-ବିବୃତ-            ମୁଖ-ଚ୍ୟୁତ-ଦର-

କବଳିତ କୁଶମାନ,

ଗମନ-ପଥରେ            ଇତସ୍ତତଃ ପଡ଼ି-

ଯାଉଥାଏ ସ୍ଥାନ ସ୍ଥାନ ।

 

ସମସ୍ଥାନ ଦେଖି            ରଶ୍ମି ଛାଡ଼ି ସୂତ

ଘୋଟକ ଦେବାରୁ ଚାଳି,

କର୍ଣ୍ଣ ସପଟାଇ            ଲଇଁ ଲମ୍ୱପଦେ

ଅଶ୍ୱେ ହେଲେ ବେଗଶାଳୀ ।

 

ପୁଚ୍ଛ ଟେକି ଖୁର-            ଧୂଳି ଦୂରେ ଛାଡ଼ି

ଆଗକୁ ଥା‘ନ୍ତି ଦଉଡ଼ି,

ବାରିହେଲା ନାହିଁ            ପାଦ ତାଙ୍କ ତଳେ

ପଡ଼େ କିବା ଯା‘ନ୍ତି ଉଡ଼ି ।

 

ନରେଶଙ୍କୁ ଯାହା            ଆଗେ ଦୂରେ ଥାଇ

ଦିଶୁଥିଲା ସାନ ସାନ,

ସହସା ନୟନ-            ଅଗ୍ରେ ବଡ଼ ବଡ଼

ଦିଶିଲା ସେ ଦ୍ରବ୍ୟମାନ ।

 

ବେନି ପାର୍ଶ୍ୱ ବକ୍ର            ଦ୍ରବ୍ୟମାନ ତହିଁ

ଆଣିଲେ ସରଳ ଭ୍ରମ,

ଭିନ୍ନ ଭିନ୍ନ ଦ୍ରବ୍ୟ            ଅଭିନ୍ନ ଦିଶିଲେ

ବନ୍ଧୁର ଦିଶିଲା ସମ ।

 

ଦେଖୁଁ ଦେଖୁଁ ରଥ            ଉପଗତ ହେଲା

ସାରଙ୍ଗ କତି ସତ୍ୱର,

ସମକ୍ଷରେ ମୃଗ            ଦେଖି ବସାଇଲେ

ଧନୁର୍ଗୁଣେ ରାଜା ଶର ।

 

‘‘ମାର ନା, ମାର ନା,      ଆଶ୍ରମ-ମୃଗ ଏ’’

ଏକାଳେ ହେଲା ଏ ଶବ୍ଦ,

ଶବ୍ଦ ଲକ୍ଷ୍ୟକରି            ତପସ୍ୱୀଯୁଗଳ

ଦେଖି ରାଜା ହେଲେ ସ୍ତବ୍‌ଧ ।

 

ସସମ୍ଭ୍ରମେ ପୁଣି            ସାରଥିକି କହି

ରୁହାଇଲେ ତହିଁ ରଥ,

ବେଗେ ଆସି ବେନି            ତପସ୍ୱୀ ନିକଟେ

ଆଶିଷିଲେ ଟେକି ହସ୍ତ ।

 

ବୋଇଲେ, ‘‘ଭୋ ନୃପ,      ଆଶ୍ରମ-ମୃଗ ଏ

ବଧ୍ୟ ନୁହେ ଛାମୁଙ୍କର,

ତୁଳାକୁଢ଼େ ବହ୍ନି            ପ୍ରାୟେ ମୃଦୁ-ମୃଗ-

ଶରୀରେ ନ ଛାଡ଼ ଶର ।

 

କାହିଁ ବଜ୍ର-ସାର            ଶର ତୁମ୍ଭ, କାହିଁ

କୃଷ୍ଣସାର କ୍ଷୀଣପ୍ରାଣ,

ନୁହେ ତୁମ୍ଭ ଶର            ଦୁର୍ବଳ-ମାରଣେ,

କରଇ ଆରତ ତ୍ରାଣ ।’’

 

ବିନୟେ ନମିଲେ            ମୁନିଙ୍କୁ ନୃପତି

ସାୟଙ୍କ ପ୍ରତିସଂହରି,

ସହର୍ଷେ ଋଷିଏ            ପ୍ରଶଂସିଲେ ‘‘ସାଧୁ

ସାଧୁ ହେ ନୃପକେଶରି !

 

ସାଧୁ ପୁରୁବଂଶ-            ଅବତଂସ କଲ

କୁଳ ଅନୁରୂପ କାମ,

ଲଭ ପୁତ୍ରରତ୍ନ            ଶୂରଚକ୍ରବର୍ତ୍ତୀ

ନିଖିଳ ସଦ୍‌ଗୁଣଧାମ ।

 

ବିପୁଳ ଆନନ୍ଦ            ହେଉଅଛି ମନେ

ଛାମୁଙ୍କର ଆଗମନେ,

ସେ ଆନନ୍ଦ ଶିରେ            ଆହ୍ଲାଦ ଢାଳନ୍ତୁ

ଅତିଥି ହୋଇ ଏ ବନେ ।

 

କଣ୍ୱ ମୁନିଙ୍କର            ଆଶ୍ରମ ଦିଶୁଛି

ଦେଖନ୍ତୁ ମାଳିନୀ-ତୀରେ,

ତୀର୍ଥ ଯାଇଛନ୍ତି,            ମହର୍ଷି, ତାହାଙ୍କ

ଦୁହିତା’ଛନ୍ତି କୁଟୀରେ ।

 

ଛାମୁଙ୍କ ରାଜ୍ୟରେ            ରହି ଧର୍ମ-କର୍ମେ

ନ ଲଭି କେବେ ଅଶାନ୍ତି,

ଛାମୁଙ୍କ ଶାସନ-            ପ୍ରଭାବକୁ ମୁନି

ସତତ ପ୍ରଶଂସୁଥାନ୍ତି ।

 

କର୍ମଶେଷେ ପ୍ରଭୁ-            ପାଶେ କରୁଥାନ୍ତି

ଛାମୁଙ୍କ ଶୁଭ-କାମନା,

ଥା’ନ୍ତେ ଯଦି ଆଜି            ଛାମୁଙ୍କ ଦର୍ଶନେ

ହୋଇଥାନ୍ତେ ପ୍ରୀତମନା ।

 

ଆସିଛନ୍ତି ଛାମୁ            ବାହୁଡ଼ିବେ ଯଦି

ଆଶ୍ରମେ ନୋହି ସତ୍କୃତ,

ମହର୍ଷି ଶୁଣିଲେ            ଆଶ୍ରମବାସୀଏ

ନିଶ୍ଚେ ହେବୁଁ ତିରସ୍କୃତ ।’’

 

ତପସ୍ୱୀ ଆଗ୍ରହ            ଅନୁଗ୍ରହ ବୋଲି

ସ୍ୱୀକାର କରି ବଚନେ,

ସଶ୍ରଦ୍ଧେ ତହିଁରୁ            ଚଳିଲେ ନରେଶ

ଆଶ୍ରମପଦ ଦର୍ଶନେ ।

 

ତପୋବନ ମଧ୍ୟେ            ଉପଗତ ହୋଇ

ଦେଖିଲେ ସକୌତୂହଳେ,

ଶୁକ-ମୁଖ-ଭ୍ରଷ୍ଟ            ତୃଣଧାନ୍ୟମାନ

ପଡ଼ିଛି ପାଦପ ତଳେ ।

 

ବୋଧହେଲା ବ୍ୟାଧ-      ଭୟ ଶୁକଗଣ

ଛାଡ଼ି ଦୂର ବିସ୍ମରଣେ,

ସୁଖେ ରହି ବନ-            ଶୋଭାକୁ ବଢ଼ାନ୍ତି

ମରକତ-ଅପଘନେ ।

 

ପଦ୍ମରାଗ ଚଞ୍ଚୁ            ଚିତ୍ରକଣ୍ଠ ଶୋଭା

ସେହି କାଳେ ଏକବାରେ,

ଉପସ୍ଥିତ ହୋଇ            ଗଲେ ନୃପଙ୍କର

ଭାବରାଜ୍ୟ ଅଧିକାରେ ।

 

ପଡ଼ି କେଉଁଠାରେ            ଇଙ୍ଗୁଦୀ ନିର୍ଯ୍ୟାସ-

ସ୍ନିଗ୍‌ଧ-ଶିଳା-ଖଣ୍ଡ-ଚୟ

ଦେଉଛନ୍ତି ଋଷି-            ହସ୍ତରେ ଇଙ୍ଗୁଦୀ-

ବିଦାରଣ ପରିଚୟ ।

 

ମୁନିକୁମାରଙ୍କ            ହସ୍ତୁଁ କୁଶାଙ୍କୁର

ଭକ୍ଷଣରେ ଚିରାଭ୍ୟସ୍ତ,

ଚରୁଛନ୍ତି ମୃଗ-            ଋଣ କାହିଁ ନୃପ-

ଦର୍ଶନେ ନ ହୋଇ ତ୍ରସ୍ତ ।

 

ବାୟୁବିଚାଳିତ            କୁଲ୍ୟାଜଳେ ଧୌତ-

ମୂଳ ତହିଁ ତରୁମାନ,

କିନ୍ତୁ ହୋମଧୂମ            ଲାଗି ଲାଗି ତାଙ୍କ

ପତ୍ରଚୟ ଦିଶେ ମ୍ଲାନ ।

 

କିଛି ଦୂରେ ରାଜା            ମୃଗୟାର ବେଶ

ତେଜି ସୂତେ ଦେଇ ରଥ,

ବିନୀତ ବେଶରେ            ଗଲେ ଲକ୍ଷ୍ୟକରି

ଆଶ୍ରମ-କୁଟୀର-ପଥ ।

 

ଆଶ୍ରମ-ମାଧୁରୀ            ଦେଖି ଦେଖି ରାଜା

ଚାଲିଥାନ୍ତି ଧୀରେ ଧୀରେ,

ଯେଉଁ ଦିଗେ ଦୃଷ୍ଟି            ଯାଏ ସେ ଦିଗରୁ

ନ ପାରେ ଫେରି ଅଚିରେ ।

 

ଯଦି ବଳେ ଫେରେ            ଅନ୍ୟ ଦିଗ ପୁଣି

କରିନିଏ ଆକର୍ଷଣ,

ଆକର୍ଷଣ ନୁହେ,            କରୁଥାଏ ସିନା

ପୀୟୂଷ-ଧାର ବର୍ଷଣ ।

 

ବିଶ୍ୱଜନ ମନେ            ପ୍ରୀତି-ପ୍ରସ୍ରବଣ

ଢାଳଇ ଯାହାଙ୍କ ରୂପ,

ତପୋବନ ଦୃଶ୍ୟ            ଦରଶନେ ମୁଗ୍‌ଧ

ହୁଅନ୍ତି ଆଳି ସେ ଭୂପ ।

 

ତରୁଛାୟା ସ୍ନେହ            ପାଇ ନରନାଥ

କରନ୍ତି ମନେ ବିଚାର,

‘‘ଏ ଶୀତଳ ଶାନ୍ତି-            ପ୍ରଦ ଛାୟା ସମ

ନୁହେ ଛତ୍ର-ଛାୟା ଛାର ।

 

ଏଣୁ ପୁତ୍ରହସ୍ତେ            ରାଜ୍ୟଭାର ଦେଇ

ରଘୁବଂଶ ନୃପଗଣ,

ଶେଷେ ଗମୁଥିଲେ            ଶାନ୍ତି ଲଭିବାକୁ

ଶାନ୍ତିମୟ ତପୋବନ ।’’

 

ଦୃଶ୍ୟେ ଭାସୁଥାଏ,            ଦୃଷ୍ଟି ନୃପଙ୍କର

ଭାବେ ଭାସୁଥାଏ ମନ,

ଏକାଳେ କର୍ଣ୍ଣରେ            ପଡ଼ିଲା ରମଣୀ-

ରମଣୀୟ-କଣ୍ଠସ୍ୱନ ।

 

ଚମକି ଚାହିଁଲେ            ପାଶେ କେହି ନାହିଁ

ଶବ୍ଦ ଲକ୍ଷ୍ୟକରି ଯାଇ,

ଲୂତାଜାଳ ଭେଦି            ଦେଖିଲେ ଅଦୂରେ

ପାଦପ ଉଢ଼ାଳେ ଥାଇ ।

 

ଆନନ୍ଦ-ପ୍ରତିମା            ପ୍ରାୟେ ମନୋହର-

ମୂରତି ଯୁବତୀ ତିନି,

ରୂପ-ରଣେ ଦଳି            ଦେବେ ଯେହୁ ବାରୁ-

ଚରଣେ ସୁର-କାମିନୀ ।

 

ବାମ କକ୍ଷେ ଜଳ-            କୁମ୍ଭ ଧରି ଅଙ୍ଗ-

ଲତିକା ଦକ୍ଷିଣେ ଢାଳି,

ବାମେତର ଭୁଜ            ହଲାଇ ହଲାଇ

ଆସନ୍ତି ମନ୍ଥରେ ଚାଲି ।

 

ଚାଲିଥାନ୍ତି କେହି            ନୋହି କାହା ଅତି

ଆଗେ କି ଅତି ପଛରେ,

ପ୍ରେମାଳାପ କରି            କରି କଉତୁଳେ

ନାନା ମତେ ପରସ୍ପରେ ।

 

କଥାରୁ ତାଙ୍କର            ଚିହ୍ନିଲେ ନୃପତି

ଏକ ନାମ ‘ଶୁକନ୍ତଳା’,

ଥିଲେ ‘ଅନସୂୟା’,            ‘ପ୍ରିୟମ୍ୱଦା’ ନାମ

ଅନ୍ୟ ଯେ ବେନି ଅବଳା ।

 

ଶକୁନ୍ତଳା କଣ୍ଠ-            ଦୁହିତା, ଅପର

ବେନି ତାର ସହଚରୀ,

ଶକୁନ୍ତଳା ଦିଶୁ-            ଥିଲା ବେନି ପତ୍ର

ମଧ୍ୟରେ ପ୍ରସୂନ ପରି ।

 

ତା’ ରୂପ-ମାଧୁରୀ            କଲା ଅଧିକାର

ହୃଦ-ରାଜ୍ୟ ରାଜାଙ୍କର,

ଅନ୍ତଃପୁର ନାରୀ-            ରୂପ-ସ୍ମୃତି ତାକୁ

ଯୋଡ଼ିଲା କର-ପତର ।

 

ଭାଙ୍ଗିଦେଲା ବନ-            ବଲ୍ଲରୀ-ଉଦ୍ୟାନ-

ଲତିକାର ଅଭିମାନ,

ଗୋଲାପ କଣ୍ଟକ-            ବନବାସୀ ବୋଲି

ବାସଙ୍ଗ କି ତା’ ସମାନ ?

 

ସୁନ୍ଦରୀ-ଦର୍ଶନ            ଶୁଭ-ଅବସର

ପାଇ ଅବିଳମ୍ୱେ ମନ,

ଆନନ୍ଦ ବିସ୍ମୟ-            ଯୁଗ ଯୁଗପତ

କରିନେଲା ଆଲିଙ୍ଗନ ।

 

ସୁକୁମାରୀ କକ୍ଷ-            କଳଶ ସତ୍ୱର

କରାଇଲା ଆମନ୍ତ୍ରଣ,

ଶମ୍ପା-ସହଚର-            କୁଳିଶ, ନଳିନୀ-

ନୀଡ଼-କଣ୍ଟକ ସ୍ମରଣ ।

 

ମୃଦୁ ମନୋହର            କଳେବର ଦେଖି

ବଳ୍‌କଳର ପରିଚ୍ଛଦ,

ବିଚାରିଲେ, ‘ଆହା            ରାଜଲକ୍ଷ୍ମୀ ତନୁ

ସମର ଚିନ୍ତା ଆସ୍ପଦ !

 

ବିସ୍ଫାରିତ ହୋଇ            ପଡ଼ୁଛି ତଥାପି

ଲଳନା-ଲାବଣ୍ୟ ପ୍ରଭା,

ଯଥା ଶିବ-ଜଟ-            ଚନ୍ଦ୍ରକା, ଶୈବାଳ-

ବେଷ୍ଟିତ-ପଦ୍ମିନୀ ଅବା ।

 

କଳଙ୍କହିଁ ଥାଇ            କଳାକର-କୋଳେ

କରଇ ନେତ୍ର-ରଞ୍ଜନ,

ସ୍ୱଭାବ-ସୁନ୍ଦର            ଅଙ୍ଗକୁ ଜଗତେ

ନ ହୁଏ କିସ ମଣ୍ଡନ ?’

 

ଯଉବନ-ପ୍ରଭା-            ସମୁଜ୍ଜ୍ୱଳ-ମୁଖ-

ମଣ୍ଡଳର ସ୍ୱେଦକଣ,

ଚାହିଁ ବିଚାରିଲେ,            ‘ନବ-ବିକଶିତ-

କମଳେ ହିମ-ପତନ ।

 

ଏ କଠିନ କର୍ମ            ଦେଲେ କୁମାରୀକି

ମୁନି କି ବିଚାରି ମନେ,

ପାଟଦଉଡ଼ିକୁ            ଲଗାଇଅଛନ୍ତି

କାନନ-ଗଜ ବନ୍ଧନେ !

 

ତପୋବଳେ ଏକା            ଅସମମ୍ଭବ କଥା

ଜଗତେ ସମ୍ଭବି ପାରେ,

ଶମୀ ତରୁ ଏହା            କାଟୁଛନ୍ତି ମୁନି

ନୀଳୋତ୍ପଳ-ଦଳ-ଧାରେ ।’

 

ସଖୀଦ୍ୱୟ ଆସି            ସଲିଳ ଢାଳିଲେ

ବାଳ-ତରୁ-ଆଳବାଳେ,

ଶକୁନ୍ତଳା ଆସି            ସହକାର ତଳେ

ଉପଗତ ଏହି କାଳେ ।

 

କୁମ୍ଭ ତଳେ ଥୋଇ            ସୁଢ଼ଳ ଶ୍ରୀଅଙ୍ଗ

ସଳଖାଇ ହେଲେ ଛିଡ଼ା,

ରାଜା ହୃଦେ ରାଜ-            ପୁର-ସ୍ୱର୍ଣ୍ଣ-ବଲ୍ଲୀ-

ଛବିର କରାଇ କ୍ରୀଡ଼ା ।

 

ପାଣି ପଦ୍ମରାଗ-            ପଲ୍ଲବ ଯହିଁରେ

ନଖ ହୀରା-ପୁଷ୍ପ କଢ଼ି,

ତାହା ଗଢ଼ା ସ୍ୱର୍ଣ୍ଣ-            ଶିଳ୍ପୀ ହସ୍ତେ, ଏହା

ବିଶ୍ୱଶିଳ୍ପୀ’ଛନ୍ତି ଗଢ଼ି ।

 

ଭାବନ୍ତି ନରେଶ,            ‘ଶୋଭିବ କି ନା ଏ

ନର-ଭାଗ୍ୟ-ଉପବନେ,

ଅବା ଚିରଦିନ            ଥିବ ତପୋବନ-

ସଉନ୍ଦର୍ଯ୍ୟ ସମ୍ପାଦନେ ।

 

ଲତା ନୁହେ ବାମା            ବିଧାତା-ମାନସ-

ଲତା-ଚୂଡ଼-ଶୋଭୀ ଫୁଲ,

ଭାଗ୍ୟଦେବୀ ଶିର-            ଯୋଗ୍ୟ ଏ ଭୂଷଣ

ଫୁଲ ଅମୂଲ୍ୟ ଅତୁଲ୍ୟ ।

 

ଯାହା ପୂଜା ପାଇଁ            ଥାଉ ଏ କୁସୁମ,

ଧନ୍ୟ ମୋ’ ନେତ୍ର-ଭ୍ରମର,

ଭାଗ୍ୟେ ତା’ ମାଧୁରୀ-      ସୁଧା ପାନ କଲା

ପାଇ ଶୁଭ ଅବସର ।’’

 

ସୁନ୍ଦରୀ ଚାହିଁଲା            ସହକାର-ସଙ୍ଗୀ

ନିଆଳୀ-ଲତାକୁ ଥରେ,

ତିନି ଦିନ ପରେ            ପଡ଼ିଛି ନିଆଳୀ

ସୁନ୍ଦରୀ-ନେତ୍ରପଥରେ ।

 

ନିଆଳୀ ପ୍ରଶାଖା            ମୂଳମାନଙ୍କରେ

ହୋଇଥାଏ ପୁଷ୍ପକଢ଼ି,

କେତେ କଢ଼ି ଗର୍ଭ-            ଆବରଣ ତେଜି

ବାହାରକୁ ଥା’ନ୍ତି ବଢ଼ି ।

 

କେତେ ଅବା ତହୁଁ            ରଜପୂର୍ଣ୍ଣ ଅଙ୍ଗେ

ହୋଇଣ ବିକାଶୋନ୍ମୁଖ,

କେବଳ ପ୍ରତୀକ୍ଷା            କରୁଥାନ୍ତି ଶୁଭ-

ମୁହୂର୍ତ୍ତ ରଜନୀ ମୁଖ ।

 

ଦୁଇ ଚାରି ଗୋଟି            ବିକଶିତ ହୋଇ

ଲୂତାଜାଳେ ଥା’ନ୍ତି ପଡ଼ି,

ଦୁଇ-ଚାରିଗୋଟି            ଭୃଙ୍ଗ ଉପଦ୍ରବେ

ତଳେ ଶୋଇଥାନ୍ତି ଝଡ଼ି ।

 

ସ୍ୱହସ୍ତ-ବର୍ଦ୍ଧିତ            ନିଆଳୀର ଦେଖି

ନବପୁଷ୍ପ-ଉଦ୍‌ଗମନ,

ଆନନ୍ଦ-ପ୍ରଫୁଲ୍ଲ            ହେଲା ଶକୁନ୍ତଳା

ନୟନ ସହିତ ମନ ।

 

ନ ଫୁଟି ଫୁଟିଲା            ପରି ହୋଇଗଲା

ପ୍ରସନ୍ନ-ବଦନେ ହାସ,

ରହି ନ ପାରିଲେ            ନ କରି ସେ କଥା

ସଖୀଙ୍କଠାରେ ପ୍ରକାଶ ।

 

ଆନନ୍ଦ ଗଦ୍‌ଗଦେ            ବୋଇଲେ ସଖୀଙ୍କି

‘‘ଆସ ଆସ ବେଗେ ମିତ,

ଦେଖ ମୋ ନିଆଳୀ            ହୋଇଯାଇଅଛି

ଆଜ ନବକୁସୁମିତ ।’’

 

ଅସ୍ଫୁଟ ମଧୁର            ହାସ ମିଶିଥାଏ

ବରବର୍ଣ୍ଣନୀ ବଚନେ,

ଲକ୍ଷୁରସ ମଧ୍ୟେ            ନ ଫୁଟି ଯେସନ

ଶର୍କରା ଥାଏ ଗୋପନେ ।

 

ବାମା ଆମନ୍ତ୍ରଣେ            ‘କାହିଁ କାହିଁ’ ବୋଲି

ଆସି ସହଚରୀଦ୍ୱୟ,

ଦେଖି ଆରମ୍ଭିଲେ            ଚଉକତି ବୁଲି

ନିଆଳୀ ପ୍ରଶାଖାଚୟ ।

 

କେ ବୋଇଲା ଦେଖି,      ‘‘ଏ କଢ଼ଟି ଆଜ

ଫୁଟିବ ସତେ ସଜନି,’’

ଅପର ବୋଇଲା,            ‘‘ଏହି କୁସୁମଟି

ଫୁଟିଛି ଗତ ରଜନୀ ।’’

 

ପ୍ରିୟମ୍ୱଦା ତହିଁ            ବୋଇଲା, ‘‘ସଙ୍ଗାତ,

ହୋଇଛି ଶୁଭସମୟ,

ସହକାର ସଙ୍ଗେ            ବନ-ତୋଷିଣୀର

କରିଦିଅ ପରିଣୟ ।’’

 

ଶକୁନ୍ତଳା ହସି            ବୋଇଲେ, ‘‘ବିବାହ

ରୀତି ମୋତେ ଜଣା ନାହିଁ,

ଜାଣିଥିଲେ ତୁମ୍ଭେ            ପୁରୋହିତ ହୋଇ

ସେ ବିଧି ଦିଅ ବତାଇ ।’’

 

ପ୍ରିୟମ୍ୱଦା ତହିଁ            ବୋଇଲା, ‘‘କୁମାରି,

କରିଥାଅ ତେବେ ସତ୍ୟ,

ତୁମ୍ଭ ପରିଣୟ-            ପୁରୋଧା ହେବାକୁ

ଅକ୍ଷୁର୍ଣ୍ଣ ଥିବ ମୋ’ ସ୍ୱତ୍ୱ ।’’

 

ସଲଜ୍ଜବଦନେ            ବୋଇଲେ ଶ୍ରୀମତୀ,

‘‘କେତେ କଥା ତୁମ୍ଭେ ଜାଣ,

ଉପସ୍ଥିତ କାର୍ଯ୍ୟ            ନ କରି ପ୍ରଥମେ

ଭବିଷ୍ୟତ କଥା ଆଣ ।’’

 

ଏହା ଶୁଣି ବାଳା-            ପରିଣୟ-ଆଶା

ଅଙ୍କୁରିଲା ନୃପ ମନେ,

ସେ ଆଶା-ବଲ୍ଲରୀ            ପଲ୍ଲବିତ ହେଲା

ଦକ୍ଷିଣ ବାହୁ ସ୍ପନ୍ଦନେ ।

 

ମନ ପ୍ରତି ରାଜା            ବିବେକ ବୋଇଲା

ସସ୍ନେହ-ମିଷ୍ଟ-ଭର୍ତ୍ସନେ,

ନବ ସ୍ୱାଧୀନତା            ଏ କି ଆଜ ତୋର

ପରଦ୍ରବ୍ୟ ପ୍ରଲୋଭନେ ?

 

ମନ ବୋଲେ,            ଏ ତ ଆକର-ଗରଭ-

ଅନଧିକୃତ-ରତନ,

ରାଜତ୍ୟଜ୍ୟ ନୁହେ            ହେଲାଠାରେ ତହିଁ

ପ୍ରଥମ-ଦୃଷ୍ଟି-ପତନ ।

 

ବିବେକ ବୋଲଇ,            ‘‘ଋଷିନନ୍ଦିନୀ ଏ

କୂପ-ପ୍ରତିବିମ୍ୱ-ତାରା,

ଖନି-ମଣିଜ୍ଞାନେ            ଲୁବ୍‌ଧ-ମୁଗ୍‌ଧ-ଜନ

ଝସାଇଲେ ଯିବ ମାରା ।’’

 

ପ୍ରିୟମ୍ୱଦା ତେଣେ            ବୋଇଲା,‘‘ସୁନ୍ଦରି,

ଏଡ଼ି ରାଜ-ପୁରୋହିତ,

ସ୍ମରିବ କି ମତେ            ରାଜବର-ପ୍ରେମ-

ଲୋଲୁପ ତୋ’ ଚଳ-ଚିତ୍ତ ?’’

 

ଭାବିଲେ ନରେଶ,            ‘‘ଗଗନ-ବିହାରୀ

ଉଲ୍‌କା ମଣୁଥିଲି ଯାହା,

ସ୍ୱର୍ଗ-ଚ୍ୟୁତ-ମୃଦୁ-            ଜ୍ୟୋତି-ପୁଣ୍ୟରାଶି

ପରି ଦିଶିଲାଣି ତାହା ।

 

ରାଜକୁଳ-ସିନ୍ଧୁ-            ସମ୍ଭୂତ ରମା ଏ

କଥାରୁ ଯାଉଛି ଜଣା,

କିନ୍ତୁ ନ ଜାଣିଲି            ବନ-ବିନୋଦିନୀ

କି କାରଣେ ବରାନନା ?

 

ମୁନି କହିଛନ୍ତି,            ଆଶ୍ରମେ ଅଛନ୍ତି

ମୁନି-ସୁତା ଶକୁନ୍ତଳା,

ସଖୀ-ବାକ୍ୟ କହେ,            ରାଜବରଣୀୟା

ସୁକୁମାରୀ ସୁକୁନ୍ତଳା ।’’

 

କୌତୁହଳ-ରଥ            ଚଢ଼େ ରାଜା ମନ

ଏ ରହୋବ୍ୟୂହ ଭେଦନେ,

କିନ୍ତୁ ରହିଯାଏ            କୌତୁଳ ଦର୍ଶନ

ପ୍ରଲୋଭର ନିବେଦନେ ।

 

ଭାବେ,‘ଭାଗ୍ୟେ ଯଦି      ନାହିଁ ଏହି ସୁଖ

ସ୍ପର୍ଶମଣି-ରୂପ-ନିଧି,

ଝୁରାଇ ମାରିବା-            ପାଇଁ ଆଜୀବନ

ଦେଖାଇଲା ଆଜି ବିଧି ।

 

ଦେଖୁଅଛି ଯାହା            ସତ୍ୟ ନା ସ୍ୱପନ

ଯିବ କି ସହସା ଭାଙ୍ଗି,

ସୁଖ-ସୁପ୍ତି ଆଉ            ଦେଖି ନ ପାରିବ

ଦେବ-ଦୁର୍ଲଭ-ଶୁଭାଙ୍ଗୀ ।

 

ଦୃଷ୍ଟି- ସିଂହାସନ            ତେଜି ଯିବ ଯେବେ

ଏ ମୋ’ ହୃଦ-ରାଜ୍ୟ-ରାଣୀ,

ଦୁଷ୍ଟ ସ୍ମୃତି ପ୍ରାଣ-            ପ୍ରଜାକୁ ସହଜେ

ବିପ୍ଳାବିବ ଆଣି ।’

 

ଅନସୂୟା ତେଣେ            ବୋଲେ ‘‘ପ୍ରିୟମ୍ୱଦେ,

ଏଥି ତୋ’ ପୁରୋଧାପଣ,

ନ ପାରିବ ରହି,            ଅଛନ୍ତି ନିଆଳୀ-

ସମାଜର ଦ୍ୱିଜଗଣ ।

 

ତାରା-ବିଖଚିତ-            ତାରୁ-ଚନ୍ଦ୍ରାତପ

ଲମ୍ୱିତ ହେବ ଉପରେ,

ମହୀଧରଗଣ            ଚୌଦିଗେ ରହିବେ

ପ୍ରଦୀପ୍ତ-ଦିହୁଡ଼ି-କରେ ।

 

ଫୁଟୁଥିବ ବାଣ            ବଂଶ-ବନେ ଉଠୁ-

ଥିବ ଉଲ୍‌କା ରୂପେ ନଭେ,

ହୁଳହୁଳି ପଡ଼ୁ-            ଥିବ ମଲ୍ଲୀବନେ

ମଧୁପ-ମଧୁର-ରବେ ।

 

ଚକୋର ଟେଣ୍ଟୋଇ            କରୁଥିବେ ମୋତେ

ମଙ୍ଗଳ-ମଙ୍ଗୀତ ଗାନ,

ସେକାଳେ ନିଆଳୀ-            କର ଚୂତ-କରେ

ସମର୍ପିବେ ପବମାନ ।’’

 

ଅନସୂୟା ବାକ୍ୟେ            ହସି ଶକୁନ୍ତଳା

ବୋଇଲେ, ‘‘କହିଲ ସତ,’’

ହସାହସି ହୋଇ            ସଖୀଦ୍ୱୟ ଗଲେ

କାର୍ଯ୍ୟେ ଚାଳି ମନୋରଥ ।

 

ଶକୁନ୍ତଳା ଜଳ            ସିଞ୍ଚି ଆରମ୍ଭିଲେ

ନବମାଳିକାର ମୂଳେ,

ମଧୁକର ଏକ            ଉଡ଼ିଲା ଏକାଳେ

ଯେ ଥିଲା ନିଆଳୀ ଫୁଲେ ।

 

ଉଡ଼ି ପୁଣି ବସି            ବସେ ବାରମ୍ୱାର

ସୁନ୍ଦରୀ-ମୁଖ-ମଣ୍ଡଳେ,

ବିତାଡ଼ିତ ହେଲେ            ଉଡ଼ୁଥାଏ ପୁଣି

ମୁହୁର୍ମୁହୁଃ ଉର୍ଦ୍ଧ୍ୱେ ତଳେ ।

 

ଦୀର୍ଘ ଗୁଣୁସ୍ୱରେ            କେତେବେଳେ ଥରେ

କରିନିଏ ପ୍ରଦକ୍ଷିଣ,

ଯହିଁ ଯାଏ ତହିଁ            ଥାଏ ଚପଳାର

ନୟନ ପଲକହୀନ ।

 

କର ଚାଳି ଲଇଁ            ଉଠି ବୁଲି ବକ୍ଷ

ଡେରି, କଟି, ଗ୍ରୀବା ଭାଙ୍ଗି,

ଅଳି ତଡ଼ି ତଡ଼ି            ନର୍ତ୍ତକୀ ଭଙ୍ଗିରେ

ପଡ଼ିଥାଏ ଚଳାପାଙ୍ଗୀ ।

 

ଏ ନୃତ୍ୟଦର୍ଶନ-            ଭାଗ୍ୟ ଲଭିବାକୁ

କେହି ତ ନ ଥିଲେ କତି,

ସୁରାଙ୍ଗନା ନୃତ୍ୟ            ନୀରସ ମଣନ୍ତେ

ଦେଖିଥିଲେ ସୁରପତି ।

 

ଲଜ୍ଜା-ବିରହିତ            ସ୍ୱାର୍ଥ-ବିଜଡ଼ିତ

ତ୍ରିଦଶ-ବନିତା-ନାଟ,

ସାରଲ୍ୟ-ଶୋଭିତ            ଲାସ୍ୟ କେବେ କାହିଁ

ଦେଖିଥାନ୍ତି ସୁରରାଟ ?

 

ନ ପାରିଲେ ଦେଖି            ଅଶ୍ୱିନୀ-ପ୍ରଣୟ-

ଚଳଚିତ୍ତ ବିବସ୍ୱାନ,

ଘନ-ପଲ୍ଲବିତ-            ତରୁ-ଅନ୍ତରାଳ

ରକ୍ଷାକଲା ତାଙ୍କ ମାନ ।

 

କେବଳ ହସ୍ତିନା-            ସାର୍ବଭୌମ ଚାହିଁ

ହୋଇଗଲେ ସ୍ତମ୍ଭୀଭୂତ,

ଦ୍ରବି ନ ଯାଇ ଯା’            ପବି କଲେ ହୃଦ

ଏ କଥା ଏକା ଅଭୂତ ।

 

ଅଧୀରେ ସୁନ୍ଦରୀ            ସଖୀଙ୍କି ଡାକିଲା

‘‘ଆସ ଆସ ପ୍ରାଣମିତ,’’

ସେ ଗମ୍ଭୀର ବାଣୀ            ହୋଇଗଲା ସେହି

ଲାସ୍ୟ-ସହଚର-ଗୀତ ।

 

ବନୁ ପ୍ରତିଧ୍ୱନି            ଉଠି ହେଲା ସେହି

ରମ୍ୟ-ସ୍ୱର-ସହଚରୀ,

ଚନ୍ଦ୍ରଚ୍ୟୁତ ସୁଧା-             ମୋହନ ମନ୍ତ୍ରେ କି

ମନ୍ତ୍ରି ଦେଲା ହର-ଅରି ?

 

ସଜାଇଥିଲା ବା            ବୀଣା କାମ-ବଧୂ

ବଜାଇ ଦେଲା ଝଙ୍କାର,

ହଜାଇଲେ ରାଜା            ଧଇର୍ଯ୍ୟ, ମଣି ତା’

କୁସୁମ-ଧନୁ-ଟଙ୍କାର ।

 

ପୁଣି ଡାକ ଦେଲା,            ‘‘ଆସ ସଖି ଥରେ,

ଦୁରାସଦ ମଧୁବ୍ରତ,

ନିଆଳୀରୁ ଆସି            ବାରଣ ନ ମାନି

କରୁଛି ମୋତେ ବିବ୍ରତ ।’’

 

ଜାଣି ନ ଜାଣିଲା-            ପରି ପ୍ରିୟମ୍ୱଦା

କହିଲା କରି ବ୍ୟଞ୍ଜନା,

ପୁରୁରାଜ୍ୟେ ପୁଣି            ତପୋବନ ମଧ୍ୟେ

ମଧୁବ୍ରତର(୧) ଗଞ୍ଜନା !

 

ସଜନୀକି ଆମ୍ଭ            ନିଆଳୀ ମଣିଛି

ଆଳୀଏ ଥାଉଁ ଗହଣେ,

କେଉଁ ଦୁର୍ଜନ ସେ,            ଦୁଷ୍ମନ୍ତ-ପ୍ରତାପ

ପଡ଼ିନାହିଁ କି ତା’ କର୍ଣ୍ଣେ ?

 

ପାଇ ଅବସର            ନୃପତି ସତ୍ୱର

ଯାଇ ଶକୁନ୍ତଳା ପାଶ,

ବୋଇଲେ,‘‘କି ହେଲା, କି ହେଲା ସୁଶୀଳେ,

କେଉଁ ଖଳ ଦିଏ ତ୍ରାସ ?

 

ଭୟ ନାହିଁ, ଭୟ            ନାହିଁ ଚାରୁଶୀଳେ,

ପୌରବ ଭୂପତି ଥିଲେ,

ଅବଳା ଅରକ୍ଷ-            ଉପଦ୍ରବ କେହି

କାହିଁକି ସହିବ ତିଳେ ?’’

 

ଦେଖିଲା ସୁନ୍ଦରୀ            ସମ୍ମୁଖେ ଅପୂର୍ବ-

ସୁନ୍ଦର ଯୁବକ-ବର,

ଅଙ୍ଗବନ୍ତ କି ସେ            ଅନଙ୍ଗ ଅଥବା

ନରରୂପୀ ସୁଧାକର ?

 

ବଦନ-ଦୀଧିତି            ଥରେ ଚାହିଁ ତାଙ୍କ

ମୁଖ କଲା ଅବନତ,

ଲାଜକୁଳୀ ଲତା-            ଅଙ୍ଗେ କି ସହସା

ଲାଗିଗଲା କାହା ହସ୍ତ ?

 

କି କହିବ କିସ            କରିବ କିଛିହିଁ

ଭାବି ନ ପାରିଲା ମନେ,

ବିସ୍ମୟ-ଜୀମୂତ            ବ୍ୟାପିଗଲା ତାର

ସହସା ହୃଦ-ଗଗନେ ।

 

ଲଜ୍ଜା-ସହଚରୀ            ସଜାଡ଼ିଲେ ବାଳା-

ଶରୀର-ବ୍ୟସ୍ତ-ବଲ୍‌କଳ,

ନୟନଯୁଗଳ            ରହିଲା ନୃପତି-

ଚରଣ-ଦୃଶ୍ୟେ କେବଳ ।

 

ମଣିଲା ବିଲୋକି            ତଳେ ରଙ୍ଗ-ପାଦ

ସମୁଜ୍ଜ୍ୱଳ ନଖପଂକ୍ତି,

ମୁଦେ ସ୍ମିତମୁଖୀ             ବନ୍ଧୁଜୀବାଧରା-

କୁନ୍ଦ-ଦନ୍ତୀ-ବସୁମତୀ ।

 

ନୀରବେ ନିଶ୍ଚଳେ            ଠିଆହେଉଁ କ୍ଷଣେ

ସଖୀଏ ପଡ଼ିଲେ ମନେ,

ତାଙ୍କ ପ୍ରତି ଚାହୁଁ            ନ ଚାହୁଁ ସେ ଦୁହେଁ

ଉପଗତ ତତକ୍ଷଣେ ।

 

ସଖୀଦ୍ୱୟ ଦେଖି            ଯୁବା-ମୂର୍ତ୍ତି ଶାନ୍ତ

ଗମ୍ଭୀର ପ୍ରତିଭାନ୍ୱିତ,

‘‘ସତେ କି ଦୁଷ୍ମନ୍ତ ?’’      ବୋଲି ଭାବ ମନେ

ମନେ ହେଲେ ଆଚମ୍ୱିତ ।

 

ମଧୁରେ ବୋଇଲେ,      ‘‘ତପୋବନେ ଆମ୍ୱ

ନାହିଁ ଅନ୍ୟ କିଛି ଡର,

କରୁଥିଲା ଆମ୍ୱ            ପ୍ରିୟସଖୀ ପ୍ରତି

ଉପଦ୍ରବ ମଧୁକର ।’’

 

ସମ୍ଭ୍ରମେ ବିନୟ-            ବାକ୍ୟେ ପ୍ରିୟମ୍ୱଦା

ଡାକି ତାଙ୍କୁ ତରୁତଳ,

ପ୍ରସାରିତ କର-            ଯୁଗେ ଦେଖାଇଲା

ଆସନ ଚିକ୍‌କଣୋପଳ ।

 

ବସନ୍ତେ ନରେଶ            ପାଦ୍ୟ ଅର୍ଘ୍ୟ ପାଇଁ

ସଖୀଙ୍କି କଲା ଇଙ୍ଗିତ,

ଜାଣି ତା’ ନୃପତି            ବୋଇଲେ, ‘‘ଅତିଥି

ହୋଇଅଛି ସୁସେବିତ ।

 

ମଧୁମୟ ପ୍ରିୟ            ବ୍ୟବହାର ତୁମ୍ଭ

କରିଅଛି ଆପ୍ୟାୟିତ,

କ୍ଷଣେ ତୁମେ ସ୍ଥିରେ            ବସିଲେ ହେବ ମୋ’

ଆନନ୍ଦ ଶତଗୁଣତ ।’’

 

ଅତିଥିତୋଷଣ            ଉପରୋଧ ଛଳେ

ତୋଷେ ତରୁଣୀଏ ରହି,

‘‘ତୁ ବସ, ତୁ ବସ’’            ବୋଲି ଇଙ୍ଗିତରେ

ହେଲେ ଥରେ କହାକହି ।

 

ବସିଲେ ତିନିହେଁ            ପରସ୍ପରେ ହସ୍ତ

ଚାପି ଚାପବଳ ଛଳେ,

ଏ ରହସ୍ୟ ହେଉ-            ଥାଏ ଯେହ୍ନେ ନୃପ

ଅଲକ୍ଷ୍ୟରେ କଉଶଳେ ।

 

ନୃପ ହିଁ କୌତୁକ            ଦେଖୁଥାନ୍ତି ଜାଣି

ନ ଜାଣିଲା ପରି ବସି,

ତରୁଣ-ସୁଲଭ-            ଅସ୍ଫୁଟ-ମଧୁର-

ଚାପଲ୍ୟରେ ତାଙ୍କ ରସି ।

 

ମୁନିକୁମାରୀଙ୍କି            କୁଶଳ ବାରତା

ପଚାରନ୍ତେ ନୃପବର,

‘‘ଭବଦୀୟ କୃପା-            ବଳେ ସର୍ବଶୁଭ’’

ସଖୀଏ ଦେଲେ ଉତ୍ତର ।

 

ନରେଶ ବୋଇଲେ,            ‘‘ତୁମ୍ଭମାନଙ୍କର

ବଦନର ପ୍ରଫୁଲ୍ଲତା,

କହିଦେଉଅଛି            ପ୍ରଥମରେ ତପୋ-

ବନର ଶୁଭବାରତା ।

 

ପୁଣି ତିନିଙ୍କର            ସମ ରୂପ ବୟଃ

ଅମାୟିକ ବ୍ୟବହାର,

କରିଅଛି ଏହି            ପବିତ୍ର ବନକୁ

ମୁଦମୟ ପ୍ରେମାଗାର ।’’

 

ପଚାରିବା ପାଇଁ            ମନୋହର-ବପୁ

ଅତିଥିଙ୍କ ପରିଚୟ,

ସିନ୍ଧୁ-ବୀଚି ପରି            ଉଠି ପଡ଼ୁଥାଏ

ବାଳାଙ୍କ ରଜୁ ହୃଦୟ ।

 

ଅନସୂୟା ସଙ୍ଗେ            ପ୍ରିୟମ୍ୱଦାଙ୍କର

ଲାଗିଥାଏ ଠରାଠରି,

ବିଳମ୍ୱ ନ ସହି            ପ୍ରିୟମ୍ୱଦା ତହିଁ

ପୁଚ୍ଛିଲା ଆଗ୍ରହ ଭରି-

 

‘‘ଧୀରମଣି, କେଉଁ            ବଂଶ-ଭୂଷା, କେଉଁ

ରାଜ୍ୟ କରି ଅସୁନ୍ଦର,

ଏଡ଼େ ଅନୁଗ୍ରହେ            କଲେ ସୁଶୋଭିତ

ଏ ବନେ ଅର୍ପି ପୟର ?’’

 

ବାଳା-ବାକ୍ୟେ ନୃପ            ପ୍ରତିବାଣୀ ଦେଲେ

ପୁରୁବଂଶେ ମୋର ଜନ୍ମ,

ଦୁର୍ଦ୍ଦମ-ଦମନ            ପରଜା-ରଞ୍ଜନ

ଚିରାଗତ କୁଳ-କର୍ମ ।

 

ମୃଗୟାବିହାର            ମଧ୍ୟେ ତପୋବନ

ଦରଶନେ ହେଲା ମନ,

ତପୋବନେ ଭ୍ରମୁଁ            ରାଜ-ନାମ ଶୁଣି

କରିଅଛିଁ ଆଗମନ ।

 

ଦେଖୁଅଛିଁ ସଖୀ-            ତ୍ରୟ ତୁମ୍ଭେ ଏହି

ତପୋବନ-ଅଳଙ୍କାର,

ତପସ୍ୟାର ଫଳ-            ରୂପିଣୀଙ୍କ ପୁଣି

ତପସ୍ୱିନୀ ବ୍ୟବହାର ।

 

ବିସ୍ମୟ ସହିତ            କୌତୂହଳ ଆସି

ଜାତ ହେଉଛି ମୋ ମନେ,

ଚିର ବ୍ରହ୍ମଚାରୀ            କଣ୍ୱ ମହାଋଷି

ପୁତ୍ରୀ ପାଇଲେ କେସନେ ?’’

 

ଶୁଣି ପ୍ରିୟମ୍ୱଦା            କହିଲା, ‘‘ଏକଦା

କଉଶିକ ତପୋଧନ,

କଠୋର ତପସ୍ୟା            କରିବାର ଦେଖି

ଶଙ୍କିଲେ ମେଘ-ବାହନ ।

 

ତପୋଧନଙ୍କର            ତପୋଧନ ହରି-

ନେବା ପାଇଁ କଉଶଳେ,

ମଘବା-ପ୍ରେରଣେ            ମେନକା ସୁନ୍ଦରୀ

ଆସିଲେ ଅବନୀତଳେ ।

 

ତାଙ୍କ କ୍ଷେତ୍ରେ କଲେ      ରାଜର୍ଷିପ୍ରବର

ଅମୋଘ ତେଜଃକ୍ଷେପଣ,

ଶକୁନ୍ତଳା ନବ-            ରମଣୀୟ ରତ୍ନ-

ଲତା ତହୁଁ ଉତପନ୍ନ ।

 

ତାତ କଣ୍ୱଙ୍କର            ଯତନେ ଏ ବନେ

ହୋଇଅଛି ପ୍ରବର୍ଦ୍ଧିତ,

ମହର୍ଷି ଦେଖିଲେ            ଅନୁରୂପ ପାତ୍ରେ

ବାଳା ହେବ ସମର୍ପିତ ।’’

 

ସେ ବାଣୀ-ବସନ୍ତେ            ନୃପ ଆଶା-ତରୁ

ହୋଇଗଲା କୁସୁମିତ,

ଭାବିଲେ ରତ୍ନ ସେ            ହେଉଥିଲା ଯାହା

ଅନଳ-ଖଣ୍ଡ ପ୍ରତୀତ ।

 

ସ୍ୱର୍ଗୀୟ ଲତାର            ନବ କୁସୁମ ଏ

ସ୍ୱର୍ଗୀୟ ସୁଷମାନ୍ୱିତ,

ସ୍ୱର୍ଗୀୟ ସୌରଭ            ସ୍ୱର୍ଗୀୟ ମାର୍ଦ୍ଦବ

ଅନାଘ୍ରାତ ଅଚୁମ୍ୱତ ।

 

ନୃପ-ମୁଖେ ଦିଏ            କଟାକ୍ଷ ତରୁଣୀ

ନୃପ-ଦୃଷ୍ଟି ଥିଲେ ଆନେ,

ଆବର୍ତ୍ତିଲେ ନୃପ-            ଚକ୍ଷୁ ତାର ଦିଗେ

ବେଗେ ଅପସାରି ଆଣେ ।

 

ଲଜ୍ଜାବଶେ ଉଠି-            ଗଲେ ହେବ ବୋଲି,

ଅତିଥିଙ୍କ ଅବମାନ,

ଗମନ ଉନ୍ମୁଖୀ             ପ୍ରାୟ ବସିଥାଏ

ଯେହ୍ନେ ମନ କରି ଆନ ।

 

ସପ୍ତପର୍ଣ୍ଣ-ପତ୍ର            ଶିରା ଗଣି ଗଣି

ନତ କରିଥାଏ ମୁଖ,

ମଧ୍ୟେ ଥରେ ଥରେ            ନୃପଙ୍କୁ ଅପାଙ୍ଗେ

ଚାହିଁ ଲଭୁଥାଏ ସୁଖ ।

 

ନୃପ ଦେଖୁଥାନ୍ତି            ପୁନଃ ପୁନଃ ତାର

ଦିବ୍ୟ-ପ୍ରଭା-ପୂର୍ଣ୍ଣ-ମୁଖ,

ଗୌଣ କରିଥାନ୍ତି            ଆଳାପନ ତହିଁ

ବଦନ-ଦର୍ଶନ ମୁଖ୍ୟ ।

 

ଅଯତ୍ନ-ଅଳକ-            ମଣ୍ଡିତ ଲଲାଟ

ସୀମନ୍ତରେଖା ସରଳ,

କଳି ଅଳି ଚୁମ୍ୱି-            ଶୋଭିତ ବୀମାର

ଗଣ୍ଡ ଶତଦଳଦଳ ।

 

ସୁନୀଳ ନିବିଡ଼            ଭୂଲତା ପରଶି

କପାଳ କପୋଳ-ସୀମା,

ପକ୍ଷ୍ମବିଶୋଭିତ            ନୟନ ସହିତ

ଦଇର୍ଘ୍ୟେ ରଖେ ବଡ଼ିମା ।

 

ସୁଗଠିତ ନାସା            ବର୍ତ୍ତୁଳ ଚିବୁକ

ମନୋହର ଓଷ୍ଠାଧର,

ଜିଗୀଷା-ମୋହନେ            ସୁଷମା ବିବାଦେ

ଲାଗିଥାନ୍ତି ପରସ୍ପର ।

 

ଶ୍ରବଣଯୁଗଳ            ମୁଖ-ଶୋଭା-ରାଜ୍ୟେ

କରିବାକୁ ରାଜପଣ,

ସୀମା ପ୍ରାନ୍ତେ ଥାଇ            ଉଭୟ ଦିଗରୁ

କରୁଥାନ୍ତି ଆକ୍ରମଣ ।

 

ନୃପତି-ନୟନ-            ଅତିଥିକି କଲେ

ଶୋଭାରାଶି ଟଣାଟଣି,

ନୃପ-ନେତ୍ର ହେଲା            ସେ ଶୋଭା-ସାଗର-

ତରଙ୍ଗେ କ୍ଷୁଦ୍ର ତରଣୀ ।

 

ଥରେ ଥରେ ମିଶା-            ମିଶି ହୋଇଯାଏ

ବେନିଙ୍କର ଚାରି ନେତ୍ର,

ଆଲୋକିତ କରେ            ଚମକାଇ ପ୍ରେମ-

ସୌଦାମିନୀ-ହୃଦ-କ୍ଷେତ୍ର ।

 

ଦେଖିବାକୁ ଅଙ୍ଗ-            ଲାବଣ୍ୟ ନୃପଙ୍କୁ

ନ ମିଳଇ ଅବସର,

କିନ୍ତୁ ନତମୁଖୀ            ବାମା ଦେଖୁଥାଏ

ତାହାଙ୍କ ଚାରୁ ପୟର ।

 

ଲାଗିଥାଏ ଯାହା            ପାଦରେ ଆଶ୍ରମ-

ପଦର ପଦବୀ ଧୂଳି,

ଧୋଇଦେଇ ପୋଛି-      ଦେବା ପାଞ୍ଚ କରୁ-

ଥାଏ ତରୁଣୀ-ମଉଳି ।

 

ଶ୍ରଦ୍ଧା କଲା ମନେ            ମସ୍ତକେ ତିଳକ

ଦେଇ ଅତିଥିସତ୍କାର

କରନ୍ତା, କରନ୍ତେ            ସଖୀମାନେ ଯଦି

ତହିଁ ପାଇଁ ବଳାତ୍କାର ।

 

ଏକାଳେ ସହସା            ବନଗଜ-ଭୟ

ଚହଳ ପଡ଼ିଲା ବନେ,

ଉଠିଲେ ବାମାଏ            ଅନାଇ ସତୃଷ୍ଣ-

ଭୟ-ଚଞ୍ଚଳ-ନୟନେ ।

 

ପୁଣି କେ କହିଲା,            ‘‘ଦୁଷ୍ମନ୍ତ ନରେଶ

ମୃଗୟାବିହାରେ ଆସି,

ତପୋବନ ମଧ୍ୟେ            ବିଜେ କରିଛନ୍ତି,

ସାବଧାନ ବନବାସି !

 

ଅଶ୍ୱ-ଗଜ-ଦଳ-            ବଳ ଅଗଣିତ

ବନେ ଆସିଲେଣି ମାଡ଼ି,

ଭୟେ ଜୀବଗଣ            ଇତସ୍ତତଃ ହେଉ-

ଛନ୍ତି ଚରିବାର ଛାଡ଼ି ।

 

ଅଶ୍ୱଖଚରୋତ୍‌ଥିତ            ଧୂଳିପଟଳରେ

ଆଚ୍ଛାନ୍ନ ହେଲାଣି ବନ,

ସେ ଧୂଳିପଟଳ            ବନ ତରୁ ଗ୍ରାସି

ଉଠୁଛି ଭେଦି ଗଗନ ।’’

 

ଦେଖୁଁ ଦେଖୁଁ ଏକ            କୁରଙ୍ଗ-ଶାବକ

ଦଉଡ଼ି ଆସି ଚଞ୍ଚଳେ,

ଠିଆହୋଇଗଲା            ଶକୁନ୍ତଳାଙ୍କର

କମ୍ୱିତ ବଳ୍‌କଳାଞ୍ଚଳେ ।

 

ପୁଣି ଶୁଣାଗଲା,            ‘‘ପ୍ରକାଣ୍ଡ ମାତଙ୍ଗ

ହେଉଅଛି ଭୟପ୍ରଦ,

ପ୍ରକାଣ୍ଡ ପାଦପ-            ଶାଖା ଭାଙ୍ଗୁ ଭାଙ୍ଗୁ

ଭାଙ୍ଗିଗଲାଣି ତା’ ରଦ ।’’

 

ସସମ୍ଭ୍ରମେ ନୃପ            ଗାତ୍ରୋତ୍‌ଥାନ କରି

ଉଦ୍ୟତ ହେଲେ ଗମନେ,

କିନ୍ତୁ ତରୁଣୀଙ୍କ            ସଙ୍ଗ ଛାଡ଼ିବାକୁ,

ଖେଦ ହେଉଥାଏ ମନେ ।

 

ସଖୀଙ୍କି ବୋଇଲେ,            ‘‘ଯାଉଛି ଦେଖିବି

କିରୂପେ ଆସି ବାରଣ,

ତପୋବନେ ପଶି            ଉପଦ୍ରବ କରେ

କରିବି ତା’ ନିବାରଣ ।

 

ଧୃଷ୍ଟତା ମୋ’ ମନେ            ନ ଧରିବ ବୋଲି

ଭରସା କରେ ମୋ’ ମନ,

ତଥାପି ଅଚିରେ            ଆସି ପୁଣି ତାହା

କରାଇନେବି ମାର୍ଜନ ।’’

 

ସଖୀଏ ବୋଇଲେ,            ‘‘ଅତିଥିସତ୍କାର

ନ କରି ହେଉଛୁଁ କ୍ଷୁଣ୍ଣ,

ପୁନର୍ଦରଶନ            ନ ଦେଲେ ଆର୍ଯ୍ୟ ହେ !

ହୃଦ ହେବ ଦୁଃଖପୂର୍ଣ୍ଣ ।’’

 

ନୃପତି ବୋଇଲେ,            ‘‘ଏପରି କଥାକୁ

ନ କହ ନ କହ ଆଉ,

ତୁମ୍ଭ ପ୍ରୀତିପୂର୍ଣ୍ଣ            ବ୍ୟବହାର ଭୁଲି

ନ ପାରିବି ଜୀବ ଥାଉଁ ।

 

ଘେନି ଯାଉଅଛିଁ            ମୁନି-ତନୟାଙ୍କ

ନିକଟରୁ ପ୍ରୀତି-ଋଣ

ବନ୍ଧକ ନ ଦେଲେ            କିରୂପେ ବିଶ୍ୱାସ

କରିବ କି ଦେଖି ଗୁଣ ?’’

 

ଏହା କହି ହେମ-            ଅଙ୍ଗୁରୀୟ କାଢ଼ି

ଅଙ୍ଗୁଳିରୁ ତରତରେ,

ଶକୁନ୍ତଳା କର            ଧରି ଅଙ୍ଗୁଳିରେ

ମଣ୍ଡିଦେଲେ ପ୍ରେମଭରେ ।

 

ଚଳିଲେ ନୃପତି            ତରତର କିନ୍ତୁ

ପଛକୁ ଘୁଞ୍ଚଇ ମନ,

ପ୍ରଧାବିତ ରଥ-            ପଛକୁ ଉଡ଼ଇ

ଦୁକୂଳ-ଧ୍ୱଜ ଯେସନ ।

 

କର-ସ୍ପରଶର            ସୁଖରେ ପରାଣ

ହେଉଥାଏ ପୁଲକିତ,

ପୁଲକ ବଳରେ            ବଳହିଁ ତାଙ୍କର

ହୋଇଗଲା କବଳିତ ।

 

ସଖୀଯୁଗ ଧରି            ଶକୁନ୍ତଳା କର

ମୁଦ୍ରିକା କଲେ ଦର୍ଶନ,

‘ଦୁଷ୍ମନ୍ତ’ ତ୍ରିବର୍ଣ୍ଣ            ଧରିଅଛି ସେହି

ନବ-ପ୍ରେମ-ନିଦର୍ଶନ ।

 

ପରସ୍ପର ମୁଖ            ଚୁହାଁଚୁହିଁ ହେଲେ

ତିନିହେଁ ହୋଇ ଚକିତ,

ଶକୁନ୍ତଳା ପ୍ରାଣ            ଅଛି କି ନା ଦେହେ

ନ ହେଲା ତାଙ୍କୁ ବିଦିତ ।

 

କି ଏକ ନବୀନ            ଭାବ-ସ୍ରୋତ-ବେଗେ

ଭାସିଗଲା ତାର ପ୍ରାଣ,

ହସି ହସି ‘‘ଯାଉଁ            କୁଟୀରକୁ’’ ବୋଲି

ସଖୀଏ କଲେ ପ୍ରୟାଣ ।

 

ସଖୀଙ୍କ ସଙ୍ଗରେ            ଚାଲିବାକୁ ବାଳା-

ପାଦରେ ନ ହେଲା ଶକ୍ତି,

ଚାଲୁଁ ଚାଲୁଁ ଦୃଷ୍ଟି            ଆକର୍ଷିତ ହେଲା

ପୁନଶ୍ଚ ନୃପତି ପ୍ରତି ।

 

‘‘କୁରୁବକ କଣ୍ଟା            ଲାଗିଗଲା’’ ବୋଲି

ସଖୀଙ୍କି କହିଲା ଛଳି,

ପ୍ରିୟମ୍ୱଦା ବୋଲେ,            ‘‘ପରୁବକ ଥଣ୍ଟ

ମୀନାକ୍ଷି ଗଲା କି ଗଳି ?’’

 

ନ ଦିଶିଲେ ରାଜା            ବାଳା ନେତ୍ରେ କିନ୍ତୁ

ହୃଦରୁ ନ ହେଲେ ଦୂର,

ଜନ୍ମିଗଲା ବଳେ            ଅବଳା ଜୀବନେ

ନବୀନ ପ୍ରଣୟାଙ୍କୁର ।

 

 

ଦ୍ୱିତୀୟ ସର୍ଗ

ପ୍ରଣୟ-ପଲ୍ଲବ

 

ଶିବିରେ ସତ୍ୱର            ଯାଇଁ ନରବର

ଆଦେଶିଲେ ଭୃତ୍ୟଗଣେ,

‘‘ଗଜ ବାଜି ସବୁ            ନ ଛାଡ଼ି କାନନେ

ବନ୍ଧନେ ରଖ ଯତନେ ।’’

 

ଶବିରମଣ୍ଡପେ            ବସି ଅଙ୍ଗୁରୀୟ-

ହୀନ ଅଙ୍ଗୁଳିକି ଚାହିଁ,

ଭାବିଲେ, ‘‘ସୁନ୍ଦରୀ            କରସ୍ପର୍ଶ ସୁଖ

ପାଇଲି ଅଙ୍ଗୁରୀ ପାଇଁ ।’’

 

ବନୁ ଆଣିଥିଲେ            ନିଆଳୀ କସୁମ

ଗୋଟା ଚାରି ଥିଲା କରେ,

ସୁନ୍ଦରୀମଣିର            ପ୍ରିୟ ପୁଷ୍ପ ମଣି

ଆଘ୍ରାଣିଲେ ସ୍ନେହଭରେ ।

 

କୁସୁମ-ବାସକୁ            ଭାବିଲେ ନରେଶ,

‘‘ଅଙ୍ଗୁରୀୟ ବିନିମୟେ,

ସୁନ୍ଦରୀର କର-            କମଳ-ସୌରଭ

ଆସିଛି ସ୍ପର୍ଶ ସମୟେ ।’’

 

ସୁନ୍ଦରୀର କର-            ପଲ୍ଲବ ମାଧୁରୀ

ବାରମ୍ୱାର ସ୍ମରି ସ୍ମରି,

ଫୁଲ ଶୁଙ୍ଘି ଶୁଙ୍ଘି            ଅପୂର୍ବ ଆମୋଦେ

ପରାଣକୁ ଦେଲେ ଭରି ।

 

ଆମୋଦ-ହ୍ରଦରେ            ଆଶା-ବୀଚି ଉଠି

ବାହାରି ହୃଦୟ-ଧାର

ବହିଗଲା, ଲଭି            ବାମା-ନବ-ପ୍ରୀତି-

ଲକ୍ଷଣ-ସ୍ମୃତି-ଆସର !

 

ଯୋଷା ଥିଲା ଶୋଭା-      ରତ୍ନାକର, ତାର

ସାରଲ୍ୟ ସ୍ୱଚ୍ଛ ଗଗନ,

ନୃପତି-ଆଷାଢ଼-            ଆଗମନ ଚାହିଁ

ଢାଙ୍କିଥିଲା ଲଜ୍ଜା-ଘନ ।

 

ଅପାଙ୍ଗ-ଦର୍ଶନ-            କ୍ଷଣପ୍ରଭା ତହିଁ

ନୃତ୍ୟ କରି ବାରମ୍ୱାର,

ନାଶ କରିଥିଲା            ନୃପ-ଚିତ୍ତ-ଦେଶ-

ନଇରାଶ୍ୟ ଅନ୍ଧକାର ।

 

ରାଜା-ହୃଦ-ଧାର            ଚଳିଲା ଚଞ୍ଚଳ

ସେହି ରତ୍ନାକର ଲକ୍ଷେ,

ପଥ ଖୋଜି ଖୋଜି            ବିବାହ-ନିୟମ-

ନିବିଡ଼-କାନନ-ବକ୍ଷେ ।

 

ଦେଖିଲା ନିକଟେ            ବାମା-ସଖୀ-ଦ୍ୱୟ

ହୋଇ ତାର ଅନୁକୁଳ,

ସଙ୍ଗମ-ସରଣୀ            ଛାଡ଼ି ଦେଇଛନ୍ତି

ଦୁହେଁ ହୋଇ ଦୁଇ କୂଳ ।

 

ସସ୍ମିତେ ମୁଦ୍ରିକା-            ଗ୍ରହଣ ସେ ପଥେ

ଜୁଆର ଆସିଛି ବଢ଼ି,

ରାଜା-ହୃଦ-ଧାର            ସାଗର-ଅଙ୍ଗରେ

ଅନାୟାସେ ଗଲା ପଡ଼ି ।

 

ହୃଦୟ ଗଲାରୁ            ବିବେକ ଲୋଡ଼ିଲା

ଅଙ୍ଗ-ସମ୍ମିଳନ-ପଥ,

ଉଭା ହୋଇ ମନ            ବୋଇଲା, ‘‘ବିବେକ,

ପୂରିଛି ତୋ’ ମନୋରଥ ।

 

ପ୍ରତ୍ୟକ୍ଷ ଦେଖୁଛି            ହୋଇଯାଇଅଛି

କର-କର ସମ୍ମିଳନ,

କର ସମର୍ପଣେ            ବୁଝିଛୁ ଅମତ

ନ ଥିଲା ବାଳାର ମନ ।

 

ମନର ସମ୍ମତି            ଥିବା ବିଷୟରେ

ପ୍ରମାଣ ଯଦ୍ୟପି ଚାହୁଁ,

କୁରୁବକ କଣ୍ଟା            ଲଗାଇ ଚାହିଁଲା,

କହ କି କରନ୍ତା ଆଉ ?

 

ବୋଲିବୁ ଅବା ତୁ            ବାଳିକାର ମନ

ଅଧୀନ ଅଟେ ପିତାର,

ବାଳିକା ନୁହେ ସେ            ଯୁବତୀ, ତା’ ମନେ

ନାହିଁ ପିତୃ ଅଧିକାର ।

 

ସ୍ୱାଧୀନ ଯୁବତୀ            ସ୍ୱଧୀନ ମନରେ

କରିଛି କର ଅର୍ପଣ,

ସାକ୍ଷୀ ସଖୀଦ୍ୱୟ,            ସକ୍ଷୀ ତା’ ହୃଦୟ

ସାକ୍ଷୀ ପାଖ ଶାଖିଗଣ ।’’

 

ବିବେକ-‘‘ସେହି ସ୍ୱେଚ୍ଛାଚାର       ଶୁଣି ମୁନିବର

ହୁଅନ୍ତି ଯଦ୍ୟପି କ୍ରୁଦ୍ଧ ?’’

ମନ-‘‘ଚିର ତପଃଶୀଳ      ମୁନିଙ୍କ ବିବେକ

ନୁହେ କି ତୋଠୁ ପ୍ରବୁଦ୍ଧ ?’’

 

ବିବେକ-‘‘ସେ କର ବନ୍ଧନେ      ହୁଳହୁଳି କାହିଁ

ଢଳା ହୋଇ ନାହିଁ ପାଣି’’,

ମନ-‘‘ଶାରିକା-ବଦନେ      ହୁଳହୁଳି ଦେଲେ

ସହର୍ଷେ ପ୍ରକୃତି-ରାଣୀ ।

 

ଜାଣି ନ ପାରିଲୁ,            ସିକ୍ତ ହୋଇଥିଲା

ରମଣୀ-ହସ୍ତ-କମଳ,

ସ୍ୱେଦ ଯା’ ମଣିଲୁ,            ନିଜେ କୁଶଧର

ଢାଳିଥିଲେ ପୂତଜଳ ।’’

 

ବିବେକ-‘‘ଦ୍ୱିଜ ତ ନ ଥିଲେ, କିଏ ଉଚ୍ଚାରିଲା

ବେଦମନ୍ତ୍ର ଆଦି କଥା ?’’

ମନ-‘‘ବସନ୍ତ କୋକିଳ      ଉଚ୍ଚେ ଭାଷୁଥିଲା,

ଶ୍ରୀରାମସ୍ୟ ସୀତା ଯଥା’ ।’’

 

ବିବେକ-‘‘ସ୍ୱଚ୍ଛନ୍ଦେ ଅବଳା      କର ଧରିବାର

ନୁହଇ କି ବଳାତ୍କାର ?’’

ମନ-‘‘ ପ୍ରଣୟେ ଯୁବତୀ      କର ଯାବିଦେବା

ସମ୍ମତି ନାହିଁ ଲଜ୍ଜାର ।

 

ପ୍ରଣୟ-ରାଜ୍ୟରେ            ପ୍ରଣୟୀର ବଳ

ପ୍ରଣୟିନୀ ଲୋଡ଼ୁଥାଏ,

ଘନ ସଂଘର୍ଷଣ            ବ୍ୟତୀତ ବିଦ୍ୟୁତ

କୋଳକୁ ତାର ନ ଯାଏ ।’

 

ବିବେକ-‘‘ଘନବଳେ ଯେବେ ପ୍ରୀତି-ବିଦ୍ୟୁତ୍‌ର

ଗର୍ଜନ କାହିଁକି ଭୀମ ?’’

ମନ-‘‘ଗର୍ଜନ କି ତାହା      ଜଗତେ ବାଜଇ

ଦମ୍ପତି-ପ୍ରେମ-ଡିଣ୍ଡିମ ।’’

 

ହୃଦୟ ବୋଇଲା,            ‘‘ମୁଁ ଯହିଁ ଯାଇଛିଁ

ତହିଁ କି ନ ଗଲେ ଅଙ୍ଗ,

ବିଷମ-ବିରହ-            ବିଷେ ହୋଇଯିବ

ଜୀବନର ସୁଖ-ଭଙ୍ଗ !

 

ତା’ ସଙ୍ଗ ବ୍ୟତୀତ            ଜଗତ ପ୍ରତୀତ

ହେବ ନିରସ ନିଶ୍ଚୟ,

ନିରସ ଲାଗିବ            ରତ୍ନ-ସିଂହାସନ

ରାଜପୁର-ମଣିମୟ ।

 

ସର୍ବ ଶୋଭା ଘେନି            ରାଜଲକ୍ଷ୍ମୀ ସେ ତ

ହୋଇଅଛି ମୂର୍ତ୍ତିମତୀ,

ତା’ ଆଲୋକ ବିନା            ପ୍ରଭାହୀନ ହେବ

ମଣିମୟ ରାଜଛତି ।

 

ତା’ କର-କମଳ            ଅଧର-ବିମଳ

ପ୍ରଭାର ସାହାଯ୍ୟ ଲଭି,

ପଦ୍ମରାଗମଣି-            ଅଙ୍ଗରୁ ଉଠିବ

ଉଜ୍ଜ୍ୱଳ ପ୍ରଭା ପଲ୍ଲବି ।

 

ତା’ ନୀଳ କୁନ୍ତଳ            ଭ୍ରୂଲତାଯୁଗଳ

ଉଜ୍ଜ୍ୱଳ ନୟନ-ତାରା,

ସମୀପସ୍ଥ ହେଲେ            ନୀଳମଣି-ଅଙ୍ଗୁ

ଝରିବ ପ୍ରତିଭା-ଧାରା ।

 

ମୁକୁତାପଟଳ            ପାଇଗଲେ ତାର

ନଖ-ରଦ ଅଳଙ୍କାର,

ଜଳ-ନୟନରେ            କରିବେ ନବୀନ

ମଧୁର ଶୋଭା ବିସ୍ତାର ।

 

ଚନ୍ଦ୍ର ଚାହିଁ ଯଥା            ଚନ୍ଦ୍ରକାନ୍ତ ମଣି,

ସୁର୍ଯ୍ୟ ସୂର୍ଯ୍ୟକାନ୍ତ ମଣି;

ରତନ ସକଳ            ଉଲ୍ଲସିତ ହେବେ

ଚାହିଁଦେଲେ ଏ ରମଣୀ ।

 

ଲାଭ ପଥ ହୋଇ-            ଅଛି ସୁପ୍ରଶସ୍ତ

ବିଳମ୍ୱ ନ କରି ଚଳ,

ପାଟି ମେଲି ତରୁ-            ତଳେ ଶୋଇଥିଲେ

ମୁଖେ ନପଡ଼ଇ ଫଳ ।’’

 

ଏକାଳେ ଶିବିରେ            ବାଜିଲା ଗମ୍ଭୀରେ

ମଧ୍ୟାହ୍ନକୃତ୍ୟର ବାଜା,

ମଣ୍ଡପରୁ ଉଠି            ଶିବିର ମଧ୍ୟକୁ

ବିଜେ କରି ଗଲେ ରାଜା ।

 

ଶକୁନ୍ତଳା ତେଣେ            କୁଟୀରକୁ ଗଲା,

ସ୍ଥିର ହେଉ ନାହିଁ ମନ,

ସଖୀଙ୍କି ଲୁଚାଇ            ପୁନଃ ପୁନଃ କରେ

ଅଙ୍ଗୁରୀୟ ଦରଶନ ।

 

କେତେବେଳେ ଅବା      ଛଳ କରି କିଛି

ସଖୀଙ୍କ ସମୀପୁ ଯାଇ,

ଅଙ୍ଗୁରୀ-ଅଙ୍କିତ            ଅକ୍ଷର ପଠନେ

ପ୍ରାଣ ଦିଏ ଉଲ୍ଲସାଇ ।

 

ହୃଦୟ-ମନ୍ଦିରେ            ନବପ୍ରତିଷ୍ଠିତ

ନୃପତି-ପ୍ରୀତି-ପ୍ରତିମା,

କରି ଜୀବନରେ            ଭରି ଦେଉଥାଏ

ଦିବ୍ୟ ନବ ମଧୁରିମା ।

 

ପ୍ରୀତି-ପ୍ରତିମାର            ପ୍ରଭା କରି ତାର

ହୃଦୟ-ମନ୍ଦିର ଦୀପ୍ତ,

ମନ୍ଦାକ୍ଷ-ତିମିର-            ଆଚ୍ଛାଦିତ ମୁଖ-

ପ୍ରାଙ୍ଗଣରେ ହେଲା କ୍ଷିପ୍ତ ।

 

ପୁଲକିତ ହୁଏ            ଯୋଷା, ନୃପ-କର-

ସ୍ପରଶ-ସୁଖ-ସ୍ମରଣେ,

ବିକଶିତ ହୁଏ            ମଲ୍ଲୀକଢ଼ି ଯଥା

ବିଭାବରୀ ପ୍ରସରଣେ ।

 

ମନେ ଭାବେ, ‘‘ଯା’ଙ୍କୁ      ହୃଦୟେ ପୂଜୁଛିଁ,

ପୂଜିପାରିବି କି କରେ ?

ପୁନର୍ଦରଶନ            ଆଶା ଦେଇଛନ୍ତି,

ସତେ କି ଆସିବେ ଧରେ ?

 

ଆହା କି ମଧୁର            ମୂରତି ତାଙ୍କର

କି ମଧୁମୟ ବଚନ,

ବଚନ ନୁହେଁ ତା’            କେବଳ ଜୀବନ-

ଅଙ୍କୁରେ ସୁଧାସେଚନ ।

 

ସେ ବଚନାମୃତେ            ପ୍ରାଣ ପଲ୍ଲବିତ

ହେବାର ନୁହଇ ବଡ଼,

ରାମ-ପଦ-ରଜେ            ଅହଲ୍ୟା ପରାଏ

ଜୀବନ ଲଭିବ ଜଡ଼ ।

 

ଦରଶନ ଦେବେ            ସତ, କିନ୍ତୁ ଯଦି

ଦାସୀ ନ କରିବେ ପଦେ,

ନାମେ ତପସ୍ୱନୀ            ଥାଇ ମରୁଥିବି

ଝୁରି ଏ ଆଶ୍ରମ-ପଦେ ।’’

 

ମନ ତା’ ରହିଲା            ନୃପ-ଭାବନାରେ

କାର୍ଯ୍ୟ କରୁଥାଏ ହସ୍ତ,

କରଣୀୟ କାର୍ଯ୍ୟ            ଅତିକ୍ରମ କରି

ଅନ୍ୟ କର୍ମେ ହୁଏ ନ୍ୟସ୍ତ ।

 

ଦେବପୂଜା ପାଇଁ            ସଂଗୃହୀତ ଫୁଲେ

ବିରନି ବସିଲା ହାର,

ଉଦୁମ୍ୱର ତେଜି            ଚନ୍ଦନ-ଇନ୍ଧନେ

ନୟନ ରହିଲା ତାର ।

 

କାର୍ଯ୍ୟାବଳୀ ଚାହିଁ            ସଖୀଦ୍ୱୟ ଜାଣି-

ପାରିଲେ କାମିନୀ ମନ,

ଏକ ସଖୀ ଦେଖି            ଅପର ସଖୀକି

ଦେଖାଏ ଠାରି ନୟନ ।

 

ବୃଦ୍ଧା ତପସ୍ୱିନୀ            ଗୌତମୀ କୁଟୀରେ

ନିକଟରେ ଥା‘ନ୍ତି ରହି,

ତେଣୁ ସଖୀଦ୍ୱୟ            ବାମାକୁ କୌତୁକେ

କିଛି ନ ପାରନ୍ତି କହି ।

 

ଏତିକି ମାତର            ଗୌତମୀ ଆଗରେ

ଜଣାଇଲେ ସଖୀଦ୍ୱୟ,

‘‘ଆସିଛନ୍ତି ଏହି            ବନକୁ ହସ୍ତିନା-

ନରପତି ସଦାଶୟ ।

 

ସମ୍ଭବତଃ ଆସି-            ପାରନ୍ତି ଆମ୍ଭର

ଆଶ୍ରମ-ଦର୍ଶନ ପାଇଁ,

କିଏ ସତକାର            କରିବ, ନାହାନ୍ତି

ତାତ ମୁନିକୁଳସାଇଁ ?’’

 

ଗୌତମୀ ବୋଇଲେ,       ‘‘ଜଳ ଫଳ ଫୁଲ

ନାହିଁ କି ଆମ୍ଭ ଅର୍ଜିତ ?

ଶକୁନ୍ତଳା କରେ            ସହଜେ ନରେଶ

ପାରିବେ ହୋଇ ଅର୍ଚ୍ଚିତ ।

 

ଜାଣ, ଶକୁନ୍ତଳା            ଅଟଇ ବିଶୁଦ୍ଧ

କ୍ଷତ୍ରିୟବରସନ୍ତତି,

ନିଜେ ପାଦ ଧୋଇ            ଅର୍ଚ୍ଚନେ ତୋଷିବ

କ୍ଷତ୍ରିୟବର ଭୂପତି ।’’

 

ପ୍ରିୟମ୍ୱଦା ଚାହିଁ            ଶକୁନ୍ତଳା ପ୍ରତି

ବୋଇଲା, ‘‘ଶୁଣିଲୁ ସଖି,

ରାଜ-ସତକାର            କରିବୁଟି ତୁହି

ଉପଦେଶ ମନେ ରଖି ।’’

 

ଶୁଣି ଶକୁନ୍ତଳା            ପ୍ରେମଜରଜର

ଲାଜେ ମୁଖ କରି ନତ,

ସ୍ୱଗତେ ବୋଇଲା,            ‘‘ସଜନୀଙ୍କ ଏ ତ

ଅନୁକୂଳ ଗଳହସ୍ତ ।’’

 

ଶକୁନ୍ତଳା ପୂର୍ବ-            ସ୍ୱଭାବ ସହିତ

ଦିବାକର ହେଲେ ଅସ୍ତ,

ନବୀନ-ପ୍ରକୃତି-            ସଙ୍ଗେ ତାର ନବ-

ସନ୍ଧ୍ୟା ହେଲା ଉପଗତ ।

 

ଗଗନ ପବନ            ବନ ଅଭିନବ

ହେଲା ତା’ ନବ-ଜୀବନେ,

ସନ୍ଧ୍ୟାରାଗ ସହ            ନବ-ରାଗ ଜାତ

ହେଲା ନବୀନାର ମନେ ।

 

ନବ ପ୍ରତିଭାତ            ହେଲେ ନୟନରେ

ତାରକାପଟଳୀ କାନ୍ତି,

ପୁଷ୍ପାବଳୀ ନବ-            ସୌରଭ ବିତରି

ଦେଖାଇଲେ ନବ-ଭାତି ।

 

ଯେମନ୍ତ ସରସ            ବୋଧହେଲା ସବୁ

ତେମନ୍ତ ଲୋଡ଼ିଲା ମନ,

ଏକପ୍ରାଣ ହୋଇ            ଭୋଗିବାକୁ ସବୁ

ପରାଣର ପ୍ରିୟଜନ ।

 

ଯେଉଁ ସଖୀଙ୍କର            ସଙ୍ଗେ ଖେଳି ବୁଲି

ସୁଖେ ବଞ୍ଚୁଥିଲା ଦିନ,

ଆଜି ତାଙ୍କ ସଙ୍ଗ            ସେହି ଲୀଳା-ଖେଳା

ବୋଧ ହେଲା ରସହୀନ ।

 

ଅଲରା ବ୍ୟଞ୍ଜନ            ଚିରାଭ୍ୟାସବଶେ

ଭୋଜନରେ ଭଲ ଲାଗେ,

ଆଉ କି ତହିଁକି            ମନ ବଳେ ଯଦି

ରସନେ ଲବଣ ଲାଗେ ?

 

ମନାସିଲା ବାମା            ଚନ୍ଦ୍ରାଲୋକେ ପ୍ରିୟ-

ସଙ୍ଗେ କରନ୍ତା ବିହାର,

ଚିତ୍ତତୋଷେ ପୂର୍ଣ୍ଣ            କରନ୍ତା ହୃଦୟେ

ଦେଇ ରମ୍ୟ ଫୁଲହାର ।

 

ଉଦ୍ୟାନର ଧୀର            ଗନ୍ଧବହ ଲାଗୁ-

ଥା’ନ୍ତା ପ୍ରିୟ ଅପଘନେ,

ନିଜେ ଲାଗିଥାନ୍ତା            ସ୍ୱକର-ବର୍ଦ୍ଧିତ

ବୃକ୍ଷ-ବଲ୍ଲୀ ପ୍ରଦର୍ଶନେ ।

 

ଚନ୍ଦ୍ରମା କିରଣେ            ମଣ୍ଡିତ-ପଲ୍ଲବ

ଧୀର ସମୀରଣେ ଥରି,

କୃତୀର୍ଥ କରନ୍ତା            ରଜତ-କାନ୍ତିରେ

ପ୍ରିୟବର-ଚିତ୍ତ ହରି ।

 

ପ୍ରିୟ-ତନୁ ଛୁଇଁ            ଶାଖା-ଶିର-ଫୁଲ୍ଲ

କୁସୁମଗୁଚ୍ଛ-ସକଳ

ନିତି ଜଳ ଦେବା            ସ୍ନେହେ ବଢ଼ାଇବା

ଶ୍ରମ କରନ୍ତେ ସଫଳ ।

 

ପୁଳିନକୁ ଗଲେ            କୌମୁଦୀ-ଦୀପିତ

ମାଳିନୀର ମୃଦୁ-ବୀଚି,

ପ୍ରିୟେ ତୋଷ ଦାନ            କରନ୍ତା ହୀରକ-

ପ୍ରତିଭ ଶୀକର ସିଞ୍ଚି ।

 

ପ୍ରସାଦ-ପୂରିତ            ପ୍ରିୟ-ମୁଖ ନିଜେ

ଚାହିଁ ଚାହିଁ ପୁନଃ ପୁନଃ,

ନୟନ ପ୍ଲାବିତ            କରି ପ୍ରୀତି-ଝରେ

ପ୍ରାଣ କରୁଥାନ୍ତା ପୂର୍ଣ୍ଣ ।

 

ଏହିରୂପେ କେତେ            କଥା ଭାବି ଭାବି

ନବ ଆଶାବତୀ ବାମା,

ନବୀନ ଉଲ୍ଲାସେ            ନବୀନ ଲାଳସେ

ଯାପିଲା ନବ ତ୍ରିଯାମା ।

 

ପ୍ରିୟ ଦରଶନ            ପ୍ରିୟ-ଦରଶନ-

ଆଶା-ଆସାରେ ପ୍ଲାବିତ,

ହେବାରୁ ହୃଦୟେ            ପ୍ରଣୟ-ପଲ୍ଲବ-

ପଟଳ ହେଲା ରାଜିତ ।

 

ତୃତୀୟ ସର୍ଗ

ପ୍ରଣୟ-ପ୍ରସୂନ

 

କେତେ ମଧୁମୟୀ-            ଚିନ୍ତାରେ ନୃପଙ୍କ

ରଜନୀ ହୋଇଛି ଶେଷ,

ପ୍ରଭାତେ ପ୍ରକୃତି            ଫିଟାଇଲା ଆସି

ନବମଧୁମୟ ବେଶ ।

 

ପ୍ରାତଃକୃତ୍ୟ ନୃପ            କରି ସମାପନ

କାନନ ଭ୍ରମଣ ଛଳେ,

ଏକା ବିଜେ କଲେ            ସୁନ୍ଦରୀ-ମାଧୁରୀ

ପୂରାଇ ହୃଦ-କମଳେ ।

 

କାଲି ଯା’ ସୁନ୍ଦର            ଦେଖିଥିଲେ ଆଜି

ଦିଶୁଛି ସୁନ୍ଦରତର,

ସୁନ୍ଦରୀର ରୂପ-            ସୁଧାରେ ଯେମନ୍ତ

ସବୁ ସୁଧା-ଜରଜର ।

 

ଯହିଁ ଦୃଷ୍ଟି ପଡ଼େ            ସେ ଯେହ୍ନେ କହୁଛି

ସୁନ୍ଦରୀ ଅଛି ଏ ବନେ,

ଯହିଁ ମନ ଯାଏ            ଦିଶଇ ସୁନ୍ଦରୀ-

ମୂରତି ସ୍କୃତି-ଦର୍ପଣେ ।

 

କାଲି ଯାହା ସବୁ            ନୃପ-ହୃଦୟକୁ

ହୋଇଥିଲା ଶାନ୍ତିମୟ,

ଆଜି ସେ ସକଳ            ବୋଧ ହେଉଅଛି

ମଧୁମୟ କାନ୍ତିମୟ ।

 

କାଲି ଯାହା ମନେ            ଭାବିଥିଲେ ନୃପ

ପୂତ ଧୂମ ଭସ୍ମପୂର୍ଣ୍ଣ

ଆଜି ଭାବୁଛନ୍ତି            ଲେପିତ ହୋଇଛି

ତହିଁରେ ହୀରକଚୂର୍ଣ୍ଣ ।

 

ଯେଉଁ ଫୁଲ, ଫୁଲ-            କାନ୍ତି ଫୁଲଗନ୍ଧ

ଭକ୍ତି ଦେଉଥିଲେ ଢାଳି,

ସେହି ଫୁଲ, ଫୁଲ-            କାନ୍ତି ଫୁଲ-ଗନ୍ଧ

ପ୍ରେମ ଦେଉଛନ୍ତି ଜାଳି ।

 

ଯେଉଁ ଡାଳେ ବସି            ଶୁକ କରୁଥିଲା

ତାପସ-ଯଶ-ଭାଷଣ,

ଦମ୍ପତିର ଭାଗ୍ୟ            ବର୍ଣ୍ଣୁଛି କପୋତ

ସେ ଡାଳ କରି ଆସନ ।

 

ମୃଗ ମୃଗୀ ଯାହା            ତାପସ ସ୍ୱଭାବ

ବୋଧ ହେଉଥିଲେ ମନେ,

ଆଜି ଦିଶୁଛନ୍ତି            ଅଛନ୍ତି ମଧୁର

ଦମ୍ପତି-ପ୍ରେମ-ବନ୍ଧନେ ।

 

ନବମୁକୁଳିତ            ବାହାଡ଼ା ପାଦପୁଁ

ଆସିଲା ମଧୁର ଗନ୍ଧ,

ଡାଳେ ଡାଳେ ତାର            କ୍ରୀଡ଼ା କରୁଥିଲେ

ନବଦୃଷ୍ଟ ଖଗବୃନ୍ଦ ।

 

ସମୁତ୍ତୁଙ୍ଗ-ଶାଳ            ପ୍ରକାଣ୍ଡ-ପ୍ରସୂନ

ସ୍ତବକେ ମଣ୍ଡିଛି ମୁଣ୍ଡ,

ବନଲକ୍ଷ୍ମୀ-ଫଗୁ-            ଶୋଭା ସମ୍ପାଦୁଛି

କମଳାଗୁଣ୍ଡିର ଗୁଣ୍ଡ ।

 

ଅଚିହ୍ନିତ ବହୁ            ଲତା ବହୁ ତରୁ

ବିବିଧ ବରଣ ଫୁଲେ,

ପରସ୍ପର ତନୁ-            ମଣ୍ଡନେ ନିରତ

ହୋଇଛନ୍ତି ପ୍ରେମାକୁଳେ ।

 

ଷଟପଦେ ଷଟ-            ପଦେ ପୁନଃ ପୁନଃ

କରି ପୁଷ୍ପ ଆଲିଙ୍ଗନ

ପ୍ରେମ-ଗୀତ ଗାଇ            ପୁନଃ ପୁନଃ କରୁ-

ଅଛନ୍ତି ମୁଖଚୁମ୍ୱନ ।

 

ପ୍ରଜାପତି ପ୍ରଜା-            ପତିର ଘଟଣା

ସଫଳ କରୁଛି କାହିଁ,

ବର୍ଣ୍ଣେ କଳେବର            ମଣ୍ଡିନବବର-

ବେଶେ ଫୁଲପୁର ଯାଇ ।

 

ନରେଶ ମାଳିନୀ            ତୀରେ ତୀରେ ଧୀରେ

ଧୀରେ କରୁଥିଲେ ଗତି,

ଚାହିଁ ସେ ସକଳ            ଅଚିରେ ଚଞ୍ଚଳ

ହୋଇଗଲା ତାଙ୍କ ମତି ।

 

ଯା’ ମନ ଯେପରି            ତା’ପାଇଁ ସେପରି

ଫଳ ଥୋଇଥାଏ ବିଶ୍ୱ,

ଉଚ୍ଚମନା ଉଚ୍ଚେ            ଅମୃତ ଲଭଇ

ନୀଚମନା ପାଏ ବିଷ ।

 

ଉଜ୍ଜ୍ୱଳ ଉନ୍ନତ            ବିବେକାନୁଗତ

ମନ ଜନ-ନାଥଙ୍କର,

ସ୍ୱର୍ଗର ଆକର-            ଜାତ-ରତ୍ନ ପ୍ରତି

କଲା ତାଙ୍କୁ ଅଗ୍ରସର ।

 

ତୀର ତେଜି ନୀର            ନିକଟ ପୁଳିନେ

ପୁଳିନେ କରି ଗମନ,

ଦେଖିଲେ ନରେଶ            ଲାଗିଛି ନିବିଡ଼

ସୁରମ୍ୟ ବେତସ ବନ ।

 

ନର-ପଦଚିହ୍ନ            ଯାଇଛି ବେତସ-

କାନନ-ସୈକତ-ପଥେ,

ପ୍ରତିଆଗମନ            ପଦାଙ୍କ ନ ଦେଖି

ବିଚାର କଲେ ସ୍ୱଗତେ ।

 

‘‘କିଏ କିଏ ପଶି-            ଛନ୍ତି ଭିତରକୁ

କିସ କରୁଛନ୍ତି ରହି,

ଖରା ତ ପ୍ରଖରା            ହେଲାଣି ଲେଉଟି

ନାହାନ୍ତି କି ଆଶା ବହି ?

 

ବେଳୁଁ ବେଳ ଏବେ            ତପତୁଁ ତପତ-

ତର ହେଉଅଛି ବାଲି,

ଏତେବେଳେ ଫେରି      ନାହାନ୍ତି କଦାପି

ଆଉ କି ପାରିବେ ଚାଲି ?

 

ମଧ୍ୟାହ୍ନ ସମୟ            କରିବାକୁ କିବା

ବେତସ-କୁଞ୍ଜେ ଅତୀତ,

ମୁନି-କୁମାରୀଏ            କରିଛନ୍ତି ଏହି

ରମ୍ୟ ସ୍ଥଳ ମନୋନୀତ ।

 

କଳକଳ ନାଦେ            ବହୁଛି ନିକଟେ

ମାଳିନୀ ନିର୍ମଳ-ଧାରା,

ପୁଳିନ-ନିକୁଞ୍ଜ            ନ ହେବ ଏ କାଳେ

କାହାର ହୃଦୟ-କାରା ?

 

ରଥାଙ୍ଗ ମିଥୁନ            ହେଇ ତ ବେତସ-

ଘନଚ୍ଛଦ-ଛାୟା ତଳେ,

ଏକ ଡାଳେ ବସି            କିସ ଭାବୁଛନ୍ତି

ନିରବେ ରହି ନିଶ୍ଚଳେ ।’’

 

ଶୀତଳ ଚିକ୍‌କଣ            ଉପରକୁ ତହିଁ

ସୁଆସନ କରି ମନେ

ଅଲକ୍ଷିତେ ବସି            ରହିଲେ ନରେଶ

ସେ ରମ୍ୟ ବେତସ-ବନେ ।

 

ଅଚିରେ ଅଦୂରେ            ଶୁଭିଲା ରମଣୀ-

କୋମଳ କଣ୍ଠ-ସଙ୍ଗୀତ,

ମନଧ୍ୟାନ ଦେଇ            ଶୁଣିଲେ ନରେଶ

ଥରେ ହୋଇ ଚମକିତ ।

 

Unknown

(ଗାନ)

‘‘ବିପିନ ଭିତରେ            ସରେ କମଳିନୀ

ଥିଲା ଗିରି ଅନ୍ତରାଳେ,

ଜନମକାଳରୁ            ଦର୍ଶନ ନ ଥିଲା

ଦିବାକର-କରଜାଳେ ।

 

ଦକ୍ଷିଣ ଭ୍ରମଣ            ଶେଷ କରି ଏବେ

ଦର୍ଶନ ଦେଲେ ଭାସ୍କର,

ଦରଶନ ମାତ୍ର            ଦେଲେ ଚଳିଥାନ୍ତା,

ବଢ଼ାଇଲେ ପୁଣି କର ।

 

ସେ କର ସ୍ପରଶ            ଲଭି କମଳିନୀ

ହୋଇଗଲା ମୁହ୍ୟମାନ,

ଏକାଳେ ଜଳଦ-            ଜାଲ ଆଚ୍ଛାଦିଲା

ରବି ହେଲେ ଅନ୍ତର୍ଦ୍ଧାନ ।

 

ପ୍ରଭାତରେ ପୁଣି            ଉଇଁବାକୁ ରବି

ଦେଇ ଯାଇଥିଲେ ଆଶା,

ନଳିନୀ ରହିଛି            ପ୍ରଭାତରୁ ଗାଢ଼େ

ଅନାଇ ଉଦୟ-ଆଶା ।

 

ବୁଝିଛନ୍ତି କି ନା            କେ ଜାଣି ଜଗତ-

ଦ୍ୟୋତକ ଦିବସ-ପତି,

ତିନି ଭୁବନରେ            ତାଙ୍କ ବ୍ୟତିରେକେ

ନାହିଁ ନଳିନୀର ଗତି ।’’

 

ସଙ୍ଗୀତ-ଶବଦେ            ସ୍ତବ୍‌ଦ ହୋଇଗଲା

ନଦୀ-କଳ-କଳ ତାନ,

ନିଃଶବଦ ବନ            ଝିଲ୍ଲିରବ ରୋଧି

ଲଗାଇଲା ଅନୁଗାନ ।

 

ନ ଥିଲା ସଙ୍ଗୀତ            ଅତି ଉଚ୍ଚ ଥିଲା

ମଧୁର ଗମ୍ଭୀର ଧୀର,

ନ ଥିଲା ତା’ ବଳ            ଲଙ୍ଘିଯିବା ପାଇଁ

ନଦୀ-ତୀର-ବନ-ଶିର ।

 

ସେ ସଙ୍ଗୀତ ଶୁଣି            ଚକ୍ରବାକୀ-ମୁଖ

ଅନାଇଲା ଚକ୍ରବାକ,

ନଦୀ-କୂଳ-ବନ୍ଧୁ            ପ୍ରିୟ ବାନ୍ଧବୀକି

ଶୁଣିବାକୁ ଦେଲା ଡାକ ।

 

କପୋତ ଚମକି            ତୁନି ହୋଇ ଥରେ

ପୁଣି ଢାଳିଦେଲା ସ୍ୱର,

କୁହୁ କରି ଗୀତ-            ସ୍ୱର ପ୍ରଶଂସିଲା

କୋକିଲ ଗାୟକବର ।

 

ସଙ୍ଗୀତ-ନିର୍ଝରେ            ନୃପଙ୍କରର ପ୍ରେମ-

କୁଣ୍ଡ ହୋଇ ଉଚ୍ଛଳିତ

ବଢ଼ିଗଲା ପ୍ରାଣ-            ସରିତ ହୃଦୟ-

ପୁଳିନ ହେଲା ପ୍ଳାବିତ ।

 

ଉନ୍ମଥିତ ହୋଇ            ଉନ୍ମତ୍ତ ପରାଏ

ପ୍ରବାହରେ ଗଡ଼ିପଡ଼ି,

ନବୀନ ବଳରେ            ମନ-ମୀନ ବେଗେ

ଉପରକୁ ଗଲା ଚଢ଼ି ।

 

ଶମ୍ପାଲୋକ ପଛେ            ଶବଦ ପରାଏ

ମନ ପଛେ ନରବର,

ସିକତିଳ ପଥେ            ନିକୁଞ୍ଜ ନକଟ

ଗମନ କଲେ ସତ୍ୱର ।

 

ଅଲକ୍ଷରେ ଥାଇ             ଲକ୍ଷ କଲେ କୁଞ୍ଜ-

ଗର୍ଭେ ପାଇ ରନ୍ଧ୍ର-ପଥ,

ଅନସୂୟା ସଖୀ            କସୁମର ହାର-

ଗ୍ରନ୍ଥନେ ହୋଇଚି ରତ ।

 

ଶକୁନ୍ତଳା ଫୁଲ-            ହାର ଚାହିଁ ପୁଣି

ମନେ ଭାବୁଥାଏ ଆନ,

ବୋଧ ହେଲା ତହିଁ            ପ୍ରିୟମ୍ୱଦା ସଖୀ

ଶେଷ କରିଥିଲା ଗାନ ।

 

ପ୍ରିୟମ୍ୱଦା ହସି            ଅନୁସୂୟା ପ୍ରତି

ବୋଇଲା, ‘‘ଥାଉ ତୋ’ ହାର,

ମୁଁ ଯାହା ଜାଣଇଁ            ଗାଇଲି, ତୁ ଏବେ

ଗାଅ କିନା ଏକବାର ?’’

 

ଅନୁସୂୟା ହସି            ବୋଇଲା, ‘‘ତୋ’ ଗୀତ

ପରି ନୁହଇ ମୋ’ ଗୀତ,

ମୁଁ ଗୀତ ଗାଇଲେ            ପରାଣ-ଦେବତା

ହୋଇଯିବେ ଉପନୀତ ।

 

ହାର ନୋହିଥିଲେ            କି ଦେଇ ପୂଜିବ

ଶକୁନ୍ତଳା ପ୍ରାଣେଶ୍ୱରେ ?’’

ଶକୁନ୍ତଳା-ଚିତ୍ତ            ଆନେ ଥିଲା, ଶ୍ରୁତି

ନ ଥିଲା ତାଙ୍କ ଭାଷାରେ ।

 

ପ୍ରିୟମ୍ୱଦା ତାହା            ଜାଣି ଶକୁନ୍ତଳା-

କେଶ ସଜାଡ଼ିବା ଛଳେ,

ପୁଷ୍ପ ଆଭରଣେ            ମଣ୍ଡିଦେଲା ତାର

କେଶ କର୍ଣ୍ଣ କଉଶଳେ ।

 

ଅନସୂୟା ଏଣେ            ଅବସର ପାଇ

ପୂର୍ଣ୍ଣ କରିଦେଲା ହାର,

ପ୍ରିୟମ୍ୱଦା ପୁଣି            ବୋଇଲା, ‘‘ସଜନି !

ଗାଅ ଏବେ ଏକବାର ।’’

 

ଅନସୂୟା ସମେ            ବସି ହସି କରି

ସଜନୀକି ସାବଧାନ,

‘‘ଦେଖ ଆସିଯିବେ            ପରାଣ-ଦେବତା,’’

ବୋଲି ଆରମ୍ଭିଲା ଗାନ ।

 

‘‘ଚୂତ ପକ୍ୱ ହେଲେ            କୋକିଳ ଆସଇ

ଭାଷଇ ମଧୁର ଭାଷା,

ପୁଣ୍ୟ ପକ୍ୱ ହେଲେ            ପରାଣ-ଦେବତା

ପୂରଣ କରନ୍ତି ଆଶା ।

 

ନିର୍ମଳ ଗଗନେ            ଚନ୍ଦ୍ର ଥିଲେ ସିନା

ଦିଶନ୍ତି କର-ଦର୍ପଣେ,

ନିର୍ମଳ ପୀରତି            ଜାତ ହୋଇଥିଲେ

ପାଶକୁ ଆସନ୍ତି ଜନେ ।

 

ସୁଜନ ପ୍ରକୃତି            ଲଭି ବିକୃତି

ଶୁଣା ନାହିଁ କାଳେ କାଳେ,

ସେ କଥା ଅନ୍ୟଥା            ହେବାର ବ୍ୟବସ୍ଥା

ଅଛି କି ମୋ ସଖୀ ଭାଲେ ?

 

ରତ୍ନ-ପରୀକ୍ଷକ            ରତନ ପାଇଲେ

ଦେଇ କି ପାରଇ ଛାଡ଼ି ?

ବିକସିତ ଫୁଲ            ହସ୍ତରେ ପଡ଼ିଲେ

କେ ଦେଇଛି ପଦେ ମାଡ଼ି ।

 

ରସନା ବିକୃତ            ନଥିଲେ ଅମୃତ

କାହାକୁ ଲାଗିଛି ପିତା ?

ଯା’ କଣା ଲଭିଲେ            ବିଶୁଷ୍କ ବଲ୍ଲରୀ

ହୋଇଯାଏ ପଲ୍ଲବିତା ।

 

ଆସ ମୋ’ ସଖୀର            ପରାଣ-ଦେବତା,

କାହିଁକି ଲୁଚିଛ ହୃଦେ ?

ସମ୍ମୁଖରେ ଥରେ            ବିରାଜିତ ହୁଅ

ମୋ’ ସଖୀ ପୂଜିବ ମୁଦେ ।’’

 

‘‘ଗାନ ଦିଅ ରଖି’’            ପ୍ରିୟମ୍ୱଦା ସଖୀ

ବୋଇଲା ପରିହାସରେ,

‘‘ବିଦ୍ୟୁତ ବେଗରେ            ଆସିଲେଣି ନୃପ

ତୋ’ ଦର୍ଦ୍ଦୂର-ବର-ସ୍ୱରେ ।’’

 

‘‘ଆସିଲେଣି ନୃପ’’            ଶବଦେ ଚମକି

ଶକୁନ୍ତଳା ଦେଲା ଚାହିଁ,

ନିକୁଞ୍ଜ ଦୁଆରେ            ଉଭା ହୋଇଛନ୍ତି;

ପ୍ରାଣପ୍ରିୟ ନରସାଇଁ ।

 

ଚାହିଁ ସଖୀଦ୍ୱୟ            ଉଭା ହୋଇଗଲେ,

ଉଭା ହେଲା ଶକୁନ୍ତଳା,

ସଖୀଯୁଗଳର            ପାଦୁଁ ମୁଖଯାଏ

ଲଜ୍ଜା-ସ୍ରୋତେ ବୁଡ଼ିଗଲା ।

 

ଶକୁନ୍ତଳା ପ୍ରାଣ            ଦୋଳାୟିତ ହେଲା

ପ୍ରେମ-ତରଙ୍ଗରେ ଭାସି,

ତିନିହେଁ ବିନତ-            ବଦନା, କାହାକୁ

କେହି ନ ପାରନ୍ତି ଭାଷି ।

 

ପ୍ରିୟମ୍ୱଦା ଚାହିଁ            ଭାବ ଜଣାଇଲା

ଶକୁନ୍ତଳା ପ୍ରତି ଠାରି,

ପଦପ୍ରକ୍ଷାଳନେ            ବିଳମ୍ୱ ନ କର

ତୁମ୍ୱିକା ଅଛି ବାରି ।

 

ଶକୁନ୍ତଳା ସେହି            ଭାର ଅରପିଲା

ଠାରି ଅନସୂୟା ପ୍ରତି,

କିନ୍ତୁ ଅନସୂୟା            ଅସମ୍ମତା ହେଉ,

ବୋଲୁଥାଏ ତାର ମତି ।

 

ଅନସୂୟା ହସି            ବୋଇଲା, ‘‘ସଜନି,

ନିଜେ ବହ ନିଜ ଭାର,

ବିଧି ଦେଇ ନାହିଁ            ଅରଜି ନାହିଁ ମୁଁ

ସେ ଭାଗ୍ୟର ଅଧିକାର ।’’

 

ପ୍ରେମ-ବିକମ୍ପିତ            କରେ ଶକୁନ୍ତଳା

କଲା ପଦ-ପ୍ରକ୍ଷାଳନ,

ପ୍ରିୟମ୍ୱଦା ଏଣେ            ସାଜିଦେଲା ନବ

ପଲ୍ଲବେ କୋମଳାସନ ।

 

ସ୍ପରଶରେ ପର-            ସ୍ପରେ ମନେ କଲେ

ଯୋଷାକର ଯୁବାପଦ,

ଗୁରୁ ନୁହେ ଏହି            ଗଉରବ ତୁଲେ

ସ୍ୱଗଗ-ପତି-ସମ୍ପଦ ।

 

ସଖୀ ଅନୁରୋଧେ            ବସିଲେ ନରେଶ

କୋମଳ ପଲ୍ଲବାସନେ,

ରତ୍ନ ସିଂହାସନେ            ବସିବା ସୁଖରୁ

ବଳି ସୁଖ ହେଲା ମନେ ।

 

ସଖୀଙ୍କ ନିଦେଶେ            ଶକୁନ୍ତଳା ଦେଲା

ନରପତି-ଗଳେ ହାର,

ପ୍ରାଣପତି ମଣି            ମନେ ଦେଲା ଫୁଲ-

ହାର ସଙ୍ଗେ ପ୍ରେମ-ଭାର ।

 

ପ୍ରିୟମ୍ୱଦା ହସି            ବୋଇଲା, ‘‘ନରେଶ,

କି ଦେଇ ସଖୀ ଆମ୍ଭର,

ତପସ୍ୱିନୀ କନ୍ୟା            ତାପସ-ନିକୁଞ୍ଜେ

ତୋଷିବ ଅତିଥିବର ?

 

‘ପାଣିଗ୍ରହଣ’ରୁ            ବୁଝିଅଛୁଁ କାଲି

ସ୍ୱଭାବେ ତୁମ୍ଭେ ଉଦାର,

ବାହୁଲ୍ୟେ ମାତର            କହୁଅଛୁଁ ଆମ୍ଭେ

ମୁନିକନ୍ୟା ହେ ଉଦାର ।

 

କୁମାରୀ-ସୁମନ-            ଦାମ ମାତ୍ର ଅଛି

ସମ୍ୱଳ ଏ ତପୋବନେ,

ଚରିତାର୍ଥ କର            ତାପସ-କୁଳକୁ

ତହିଁ ତୃପ୍ତି ଭରି ମନେ ।’’

 

ଭାଗ୍ୟ ପରଶଂସି            ରାଜା ମନେକଲେ,

ରୋଗୀ ଲୋଡ଼ୁଥିଲା ଯାହା,

ରୋଗ ପ୍ରଶମନ      ବ୍ୟବସ୍ଥା ଶ୍ଲୋକରେ

ଭିଷକ ଭାଷିକା ତାହା

 

ପ୍ରକାଶ୍ୟେ ବୋଇଲେ,      ‘‘ତପସ୍ୟାର ଫଳ

ରାଜ-ପ୍ରାପଣୀୟ କର,

ହୃଦୟର ହାର            କରିଦେଇ ସିନା

ତାହା ତପସ୍ୱିନୀକର ।’’

 

ପ୍ରିୟମ୍ୱଦା ସଖୀ            ନୃପଙ୍କୁ କହିଲା,

‘‘ବନଫୁଲ ସମାଦୃତ

ହେବ କି ପ୍ରମଦା-            ରଣ୍ୟ ସାର ପୁଷ୍ପ

ସବୁ ଯହିଁ ସମାବୃତ ?’’

 

ନରେଶ ବୋଇଲେ,            ’’କରଗତ ହେଲେ

ନନ୍ଦନର ପାରିଜାତ,

ସହଜେ ପାର୍ଥିବ            ପ୍ରସୂନ ସକଳ

ହୋଇଥାନ୍ତି ଅବଜ୍ଞାତ ।’’

 

ସଖୀ ପଚାରିଲା            ସଖୀ ପ୍ରତି,‘‘ସଖୀ-

ନନ୍ଦନ ପାଇବ କିସ ?

୧ । ଓ ୨ । କାଲି ପାଣିଗ୍ରହଣରୁ (ହସ୍ତଧାରଣରୁ) ବୁଝିଅଛୁଁ ତୁମ୍ଭେ ସ୍ୱଭାବେ ଉଦାର; ହେ ଉଦାର, ଆମ୍ଭେ ମୁନିକନ୍ୟା । ବାହୁଲ୍ୟେ ମାତ୍ର କହୁଅଛୁଁ । ଅନ୍ୟ ପକ୍ଷେ କାଲି ପାଣିଗ୍ରହଣରୁ (ବିବାହବ୍ୟଞ୍ଜକ) କାର୍ଯ୍ୟରୁ ବୁଝିଅଛୁ, ତୁମ୍ଭେ ସ୍ୱଭାବେ ଉଦାର; ଆମ୍ଭେ ବାହୁଲ୍ୟ ମାତ୍ର କହୁଅଛୁଁ; ମୁନିକନ୍ୟା (ଶକୁନ୍ତଳା) ଦାର (ଭାର୍ଯ୍ୟା)ହେଉ । ୩ । କୁମାର-ସୁମନ-ଦାମ- କୁମାରୀର ସୁମନଦାମ-। ଅନ୍ୟପକ୍ଷେ କୁମାରୀ ରୂପକ ସୁମନଦାମ । ୪ । ତପସ୍ୱିନୀର-ତପସ୍ୱିସମୂହ; ଅନ୍ୟ ପକ୍ଷେ ତପସ୍ୱିନୀର-ଶକୁନ୍ତଳାର ହସ୍ତ । ୫ । ପ୍ରମଦାରଣ୍ୟ-ରାଜାଙ୍କର ଅନ୍ତଃପୁରସ୍ଥ ଉଦ୍ୟାନ; ଅନ୍ୟ ପକ୍ଷେ ତପସ୍ୱିନୀକର- ଶକୁନ୍ତଳାର ହସ୍ତ । ୫ । ପ୍ରମଦାରଣ୍ୟ ରାଜାଙ୍କର ଅନ୍ତଃପୁରସ୍ଥ ଉଦ୍ୟାନ, ଅନ୍ୟପକ୍ଷେ ସ୍ତ୍ରୀ-ସମାଜ । ୬ । ସଖୀ ପ୍ରତି ସଖୀ ପଚାରିଲା, ଗୋ ସଖୀ, ନନ୍ଦନ (ଇନ୍ଦ୍ରୋଦ୍ୟାନ) କିସ ପାଇବ-? ଅନ୍ୟପକ୍ଷେ ସଖୀ ପ୍ରତି ପଚାରିଲା, ସଖୀନନ୍ଦନ (ଶକୁନ୍ତଳାର ପୁତ୍ର) କିସ ପାଇବ-?

ବିଶ୍ୱାସଭାଜନ            ନୁହନ୍ତି ଜଗତେ

ନଦୀ ନଖୀ ନରାଧୀଶ ।’’

ସେ ବୋଇଲା,            ‘‘ଭାବୀ ନନ୍ଦନର କଥା

କି ହେବ ଆମ୍ଭେ ପଚାରି ?’’

ନୃପତି ବୋଇଲେ,            ‘‘ସତ ସତ ସତ

ସେ ମୋ ଉତ୍ତରାଧିକାରୀ ।’’

 

ତାପସିକ ରସେ            ନାଗରିକ ରସ

ତହିଁ ପ୍ରେମରସ ପଡ଼ି

ଅମା-ସ୍ୱାତୀ-ଶନି            ପ୍ରାୟେ ମିଳି କଲେ

ଆନନ୍ଦର ମହାଝଡ଼ି ।

 

ଝଡ଼ି-ଅନ୍ଧକାରେ            ଭାସ୍କର ପରାଏ

ରାଜା ରାଜା-ଅଭିମାନ

ପ୍ରେମ-ପ୍ରାବଲ୍ୟରେ            ନିକୁଞ୍ଜ-ଗଗନେ

ହୋଇଗଲା ଅପିଧାନ ।

 

ତପସ୍ୱିନୀଙ୍କର            ଚିର-ଶୁଷ୍କ-ପ୍ରାଣ-

ଟାଙ୍ଗର ହିଁ ଗଲା ବୁଡ଼ି,

ଦୃଶ୍ୟ ହେଲା ନାହିଁ            ଜ୍ଞାନ-ପଥ ସବୁ

ମନ ଗଲା ପଥ ହୁଡ଼ି ।

 

ଶକୁନ୍ତଳା ତହିଁ            ସବୁ ଜାଣି ଜାଣି

କିଛି ନ ବୁଝିଲା ପରି,

ପୁଲକିତ ପ୍ରାଣେ             ଲଜ୍ଜାଭରେ ଥାଏ

ମୁଖ ଅବନତ କରି ।

 

ମୃଗଶିଶୁଟିଏ            ଦେଖିଲେ ସଖିଏ

ନିକୁଞ୍ଜ ପ୍ରାଙ୍ଗଣେ ଛିଡ଼ା,

ଜନନୀକି ତାର            ଲୋଡୁଛି ଯେମନ୍ତ

ପାଇ କ୍ଷୁଧା ତୃଷା ପୀଡ଼ା ।

 

ପ୍ରିୟମ୍ୱଦା ଉଠି            ‘‘ଆହା ମୃଗ-ଶାବ

ହୋଇଅଛି କ୍ଷୁଧାତୁର,

ତା’ ମା’ ନିକଟକୁ            ନେଇ ଦିଏଁ ବୋଲି

ନିକୁଞ୍ଜରୁ ହେଲା ଦୂର ।

 

ଅନସୂୟା ଉଠି            ‘‘ଶିଶୁଟିକୁ ଜଳ

ଦେଇ ତୁ ଯତନ କର,

ମୃଗୀକୁ ମୁଁ ଧରି            ଆଣୁଅଛି’’ ବୋଲି

ତା’ ସଙ୍ଗେ ଗଲା ସତ୍ୱର ।

 

ଶକୁନ୍ତଲା ହୋଇ            ଉତ୍‌ଥିତ ବୋଇଲା,

‘‘ମୁଁ ହେଲି ଯେ ଏକାକିନୀ ?’’

ରାଜା- ‘‘କିଏ ସେ ରଖିଛି       ନିକୁଞ୍ଜରେ ମୋତେ

ପ୍ରେମଧନେ ଏକା କିଣି ?’’

 

‘‘ମୁଁ ନ ଜାଣେ’’            କହି ଶକୁନ୍ତଳା ହେଲା

ଯିବାପାଇଁ ତରତର,

ରାଜା-‘‘ମୁଁ ନ ଜାଣ ହେଲେ      ବସିଏ ନିଭୃତେ

ସୁବର୍ଣ୍ଣ ରଚନା କର ।’’

 

ଶକୁ- ‘‘ନ ଜାଣଇଁ ମୁହିଁ      କାନନବାସିନୀ

ରଚନାଟି ସୁଦ୍ଧା କଣ ?’’

ରାଜା- ‘‘ସତ କହିଲ ଗୋ      ସୁଧାସୁଭାଷିଣୀ

ରଚନାତ ସୁଧାକଣ ?’’

 

ଶକୁ- ‘‘ସୁଧାକଣ କାହୁଁ      ପାଇବି ତା’ ପରା-

ଥାଏ ପୂର୍ଣ୍ଣ ଶଶଧରେ ?’’

ରାଜା- ‘‘ଦେ ତ ସକଳଙ୍କ      ପୂର୍ଣ୍ଣ ଅଛି ସୁଧା

ଅକଳଙ୍କ ତୋ’ ଅଧରେ ।’’

 

ଏରୂପେ ବିବିଧ            କୌତୁକେ ବିନୋଦେ

ବେଳ ହେଲା ଅବସାନ,

କୁଞ୍ଜ-ରନ୍ଧ୍ର ପଥେ            ଚାହିଁ ତାଙ୍କ ରୀତି

ସ୍ନିଗ୍‌ଧ ହେଲେ ବିବସ୍ୱାନ ।

 

ପର ପ୍ରେମ ଚାହିଁ            ନିଜ ପ୍ରେମ ସଦା

ହୋଇଥାଏ ବିସ୍ଫାରିତ,

ଛାୟା ଲୋଭେ ତରୁ-      ମୂଳକୁ ଭାସ୍କର

କର କଲେ ପ୍ରସାରିତ ।

 

ଭାନୁ ଆଲିଙ୍ଗନେ            ପ୍ରଫୁଲ୍ଲ ବିଗ୍ରହେ

ଛାୟା ତେଜି ତରୁ-ତଳ,

ଉଦୟାଦ୍ରି-କୁଞ୍ଜ            ବିଳାସ-ଲାଳସେ

ଚଳିଲା ହୋଇ ଚଞ୍ଚଳ ।

 

ଗଲାବେଳେ ଲମ୍ୱ            ହୋଇ ପଡ଼ି ଛାୟା

ତରୁବର-ପଦ ଧରି,

ବୋଇଲା, ‘‘ଆସିବି,            ଆସିବେ ଯଦ୍ୟପି

ମୋ ଚନ୍ଦ୍ରିକା-ସହଚରୀ ।’’

 

ଅଦୂର କାନନେ            ପ୍ରିୟମ୍ୱଦା ତେଣେ

ଇଙ୍ଗିତରେ ଦେଲା ଡାକି,

‘‘ନଳିନୀକି ତେଜି            ମିହିର ଜଲେଣି

ଚକ୍ରବାକ-ଚକ୍ରବାକୀ ।’’

 

ଶିବିରକୁ ଗଲେ            ନୃପତି, ସୁନ୍ଦରୀ

କୁଟୀରକୁ ହେଲା ନୀତ,

ସୁନ୍ଦରୀ-ହୃଦୟେ            ପ୍ରଣୟ-ପ୍ରସୂନ

ହୋଇଗଲା ବିକସିତ ।

 

ବିଦାୟକାଳୀନ            ସତୃଷ୍ଣ-ଦର୍ଶନ

ନୃପତିଙ୍କୁ ସ୍ମରି ସ୍ମରି,

ପ୍ରଣୟ-ପ୍ରମୋଦ-            ବିମୁଗ୍‌ଧା ସୁନ୍ଦରୀ

ଯାପନ କଲା ଶର୍ବରୀ ।

 

ଦିନା ଚାରି ରହି            ସେ ବନେ ନରେଶ

ପ୍ରମୋଦେ କରି ବିଳାସ

ନଗରୀକୁ ଗଲେ            ସୁନ୍ଦରୀକି ଦେଇ

ପରେ ଘେନିଯିବା ଆଶ ।

 

୧ । ସେ ବୋଇଲା, ନନ୍ଦନର(ଇନ୍ଦ୍ରୋଦ୍ୟାନର)କଥା ଆମ୍ଭେ ଭାବି (ଚିନ୍ତାକରି) ପଚାରି କି ହେବ?

ଅନ୍ୟପକ୍ଷେ ସେ ବୋଇଲା, ଭାବୀ ନନ୍ଦନର(ଭବିଷ୍ୟତ ପୁତ୍ରର)କଥା ଆମ୍ଭେ ପଚାରି କି ହେବ?

୨ । ଉତ୍ତରାଧିକାରୀ- ଉତ୍ତରର ଅଧିକାରୀ, ଅନ୍ୟପକ୍ଷେ ପରବର୍ତ୍ତୀ ଅଧିକାରୀ ।

୩ । ମୁଁ ନ ଜାଣେ – ମୁଁ ଜାଣେ ନାହିଁ ।

୪ । ମୁଁ ନ ଜାଣେ ହେଲେ – ଲେଖନୀ ମୁଖ ଜାଣ ହେଲେ, ସୁବର୍ଣ୍ଣ-ଉତ୍ତମ ଅକ୍ଷର ।

 

ଚତୁର୍ଥ ସର୍ଗ

ପ୍ରଣୟ-ସୌରଭ

 

ନରପତି ଗଲେ            ନିଜ ନଗରୀକୁ

ସୁନ୍ଦରୀ ରହିଲା ବନେ,

ନରପତିଙ୍କର            ବିଳାସ ସକଳ

ଲୀଳା କଲା ବାମା ମନେ ।

 

ଚିର ଆଚରିତ            କରମେ ବାମାର

ମନ ହେଲା ଉଦାସୀନ,

ନବ ନବ ସୁଖ-            ମୟୀ ସ୍ମୃତି ଆସି

ତହିଁ ହେଲେ ସମାସୀନ ।

 

ରାଜପୁର, ରାଜ-            ବିଭବ, ନଗର,

ଅଶ୍ୱ, ଗଜ, ଦାସ, ଦାସୀ,

ବିଚରଣ କଲେ            ବନବାସିନୀର

କଳ୍ପନା-କ୍ଷେତ୍ରରେ ଆସି ।

 

ମନେ ମନେ ସଜ            ହୋଇ ଯାଉଥାଏ

ପତିପୁର ଯିବା ପାଇଁ,

ଦୁଃଖ କରେ ପୁଣି            ଚିରସଙ୍ଗିନୀଙ୍କ

ଭାବୀ ବିରହକୁ ଧ୍ୟାୟି ।

 

ସେନେହ-ପୋଷିତ            ମୃଗ-ବିହଙ୍ଗଙ୍କୁ

ଏବେ ଛାଡ଼ିଯିବା ବୋଲି,

ସ୍ନେହମୟୀଦୃଷ୍ଟି            ଦେଉଥାଏ ତାଙ୍କ

ସୁନ୍ଦର ଅଙ୍ଗରେ ବୋଳି ।

 

କେବେ ଉଭା ହୋଇ      ସ୍ୱହସ୍ତ-ବର୍ଦ୍ଧିତ

ପାଦପ-ବଲ୍ଲରୀ-ପାଶେ,

କରୁଥାଏ ତାଙ୍କ            ଭବିଷ୍ୟତ ଚିନ୍ତା

କଳ୍ପିତ-ବିରହୋଚ୍ଛାସେ ।

 

ଆଶ୍ରମର ସ୍ନେହ-            ବରଷାରେ ମିଶି

ହସ୍ତିନାର ପ୍ରେମ-ବାତ,

ମୁହୁର୍ମୁହୁଃ କରି            ଦେଉଥାଏ ତାର

ପରାଣେ ପୁଲକ ଜାତ ।

 

ପ୍ରଥମେ ପ୍ରଥମେ            ସମୟର ସ୍ରୋତ

ପ୍ରବାହିତ ହେଲା ଖର,

ଦିନୁଦିନ ହୋଇ            ଆସିଲା ତା’ ଗତି

କ୍ରମେ ମନ୍ଦୁ ମନ୍ଦତର ।

 

କାନ୍ତ-ଦରଶନ            ଉତ୍କଣ୍ଠା ବାମାର

କ୍ରମଶଃ ହୋଇ ଉନ୍ନତ,

ସ୍ଥିରୁ ସ୍ଥିରତର            କଲା ସମୟକୁ

ରୁଦ୍ଧ କରି ଗତି-ପଥ ।

 

ଶକୁନ୍ତଳା ମନ            ସହିତ ସମୟ

ଉଜାଣି ରଚିଲେ ଗତି,

କଳ୍ପନା ଆଣିଲା            ଆଶ୍ରମ-ଅତିଥି

ହସ୍ତିନା-ଅବନୀ-ପତି ।

 

କୁଞ୍ଜ-ଆଳାପନେ,            କାନନ-ଭ୍ରମଣେ

ହେଲା ତାଙ୍କ ସଙ୍ଗେ ରତ,

ମନ କାଳ ସୁଖ            ଅବଲୋକି ଜ୍ଞାନ

ହେଲା ତାଙ୍କ ଅନୁଗତ ।

 

ଶକୁନ୍ତଳା-ଦେହ            ମାତ୍ରକ ରହିଲା

ଆଶ୍ରମ-କୁଟୀରେ ବସି,

ନିକଟେ ନ ଥିଲେ            ସଖୀମାନେ କିମ୍ୱା

ଅନ୍ୟ ତାପସ ତାପସୀ ।

 

କୁଟୀର-ପ୍ରାଙ୍ଗଣେ            ଉପଗତ ହେଲେ

ଅତିଥିରୂପେ ଦୁର୍ବାସା,

ଦେଖିଲେ କୁମାରୀ            ବସିଅଛି, କିନ୍ତୁ

ନ କହିଲା ତାଙ୍କୁ ଭାଷା ।

 

‘‘ଅତିଥି ମୁଁ’’ ବୋଲି            ଉଚ୍ଚାରିଲେ ମୁନି

କୁମାରୀ ଶୁଣିଲା ନାହିଁ,

କେମନ୍ତେ ଶୁଣନ୍ତା            ତା’ମନ-ମତିଥି

ହୋଇ ଥିଲା ଦୂରେ ଯାଇ ।

 

ତହିଁ ମୁନିବର            ବିସ୍ମୟ ସହିତ

ମନେ ବହି ଅପମାନ,

ଉଚ୍ଚରେ ବୋଇଲେ,            ‘‘ଅଭିମାନିନି ଲୋ,

କାହିଁ ଥାଇ ତୋ’ କି ଧ୍ୟାନ ?

 

ମୁନି-ଆଶ୍ରମରେ            ଥାଇ ତୋ’ ଆଶ୍ରମ-

ବିଧାନରେ ଅବହେଳା,

କର୍ତ୍ତବ୍ୟ କରମ            ଏହି ତୋ’ ମାନସ

ଦୂରେ କରୁଅଛି ଖେଳା ।

 

ଘେନ ପୂଜ୍ୟ-ପୂଜା            ବ୍ୟତକ୍ରମ-ଫଳ

ଯା’ଠାରେ ରଖିଛୁ ଲୟ,

ସେ ତୋତେ ଚିହ୍ନିବ            ନାହିଁ ତୁ ଦେଲେହେଁ

ଆପଣାର ପରିଚୟ ।’’

 

ଏହା କହି ମୁନି            ଚାଲିଯାଉଥିଲେ,

ଜାଣିଲେ ସଜନୀଦ୍ୱୟ,

ନିକଟ କାନନେ            ଫୁଲ ତୋଳୁଥିଲେ

ଲଭିଲେ ଘୋର ବିସ୍ମୟ ।

 

ଧାଇଁ ମହର୍ଷିଙ୍କ            ପାଦତଳେ ପଡ଼ି

ବହୁତ କରି ବିନୟ

ବୋଇଲେ,‘‘ତାତ ହେ,       କ୍ଷମ ଦୋଷ ହୋଇ

ବାଳିକା ପ୍ରତି ସଦୟ ।’’

 

ତାପସୀଙ୍କ ଅତି            କାରୁଣ୍ୟରେ ହେଲା

ମୁନିଙ୍କ କୋପ ଶୀତଳ,

ଦାବ-ଦଗ୍‌ଧ-ଗିରି            ହୁଅଇ ଯେସନ

ଲଭି କାଦମ୍ୱିନୀ-ଜଳ ।

 

ବୋଇଲେ ମହର୍ଷି,            ‘‘ଯା’କୁ ଚିନ୍ତୁଥିଲା,

ଥିଲେ ତାର ନିଦର୍ଶନ;

ପୂର୍ଣ୍ଣ-ପରିଚୟ            ପାଇବ ତାହାକୁ

କଲେ ତାହା ପ୍ରଦର୍ଶନ ।’’

 

ତାପସୀଏ ଶୁଣି            ଫେରି ବିଚାରିଲେ,

‘‘ବିପଦ-ସାଗର ତଟ

ମିଳିଲା, ଏ କଥା            ହେବନାହିଁ କିନ୍ତୁ

କୁମାରୀ-ପାଶେ ପ୍ରକଟ ।

 

କୁମାରିକି ନୃପ            ହେମ-ଅଙ୍ଗୁରୀୟ

ଅଛନ୍ତି କରି ପ୍ରଦାନ,

ସେହି ଅଙ୍ଗୁରୀୟ            କରିବ ତାହାଙ୍କ

ବିଲୁପ୍ତ-ସ୍କୃତି ଉତ୍‌ଥାନ ।

 

ବିଶେଷତଃ ତହିଁ            ହୋଇଛି ନିର୍ମଳେ

‘ଦୁଷ୍ମନ୍ତ’ ନାମ ଉତ୍‌କୀର୍ଣ୍ଣ,

କତୁରି ହୋଇ ସେ            କରିଦେବ ତାଙ୍କ

ସଂଶୟ-ବନ୍ଧନ ଛିନ୍ନ ।’’

 

ସଖୀଏ ବୋଇଲା,            ‘‘ସଖି, ଏକ କଥା

ସଂଶୟ ମଣୁଛି ମନେ,

ଦୁଇ ଦୁଇ ଅର୍ଥ            ହେଉଥିଲା ତାଙ୍କ

ସହିତ ଆମ୍ଭ ବଚନେ ।

 

ଯଦି କୁମାରୀର            ପ୍ରତିକୂଳେ ନୃପ

ପ୍ରକାଶନ୍ତି ସବୁ ଅର୍ଥ,

ତେବେ ତ କୁମାରୀ            କଳଙ୍କ-ସାଗରେ

ଜୀବନ କରିବ ବ୍ୟର୍ଥ ।’’

 

ଅପରା ବୋଇଲା,            ‘‘ମନ୍ଦ ତେଜି ଭଲ

ଭାବ ଘେନିଥାନ୍ତି ସନ୍ତ,

ମନ ବଚନରେ            କର୍ମର ଏକତା

ରଖନ୍ତି ଚରିତ୍ରବନ୍ତ ।

 

ପ୍ରତିକୂଳ ଅର୍ଥ            କେମନ୍ତେ କରିବେ

କରି ଅନୁକୂଳ କର୍ମ,

କର୍ମେ ତାହାଙ୍କର            ଫଳିତ ହୋଇଛି

ମନ-ବଚନର ମର୍ମ ।

 

ବଦନର ଭାବ            ମାନବ-ହୃଦୟ-

ପୁସ୍ତକର ସୂଚୀପତ୍ର,

ବଜନେ ଦର୍ଶିତ            ହୋଇଥାଏ ସେହି

ପୁସ୍ତକର ପ୍ରତି ଛତ୍ର ।

 

ମୋହୋ ଜାଣିବାରେ      ନୃପଙ୍କ ହୃଦୟ

ପ୍ରସନ୍ନ ପ୍ରଶସ୍ତ ପୁତ,

କପଟତା କିମ୍ୱା            ଶଠତା ତହିଁରେ

ନ ପାରେ ହୋଇ ସମ୍ଭୁତ ।

 

କିନ୍ତୁ ସେ ତ ରାଜା            ରାଜଧର୍ମବଶେ

ରାଜକର୍ମେ ଥିବେ ରତ,

ମୁନି ଅଭିଶାପ            ରୋଧିଦେବ ତାଙ୍କ

ପ୍ରଣୟ-ସ୍ମରଣ-ପଥ ।

 

କହି ଯାଇଛନ୍ତି            ଆସିବାକୁ ଯାହା

ଆଉ ତ ଆସିବେ ନାହିଁ,

ଉପାୟ କେବଳ            ଆବଶ୍ୟକ ଏବେ

ତାଙ୍କ ଦରଶନ ପାଇଁ ।

 

ତାତ କହିଥାନ୍ତି,            ‘ଯହିଁ ଯେତେ ସୁଖ

ତହିଁ ଥାଏ ତେତେ ବିଘ୍ନ,

ସୁଖ ନ ମିଳଇ            ଦୁଃଖ ଭୟ କରି

ଚିତ୍ତ କଲେ ଉଦବିଗ୍ନ’ ।’’

 

ତା’ପରେ ତାପସ-            କନ୍ୟାଦ୍ୱୟ ଗଲେ

ଶକୁନ୍ତଳା ସନ୍ନିଧାନ,

ଦେଖିଲେ ସୁନ୍ଦରୀ            ବାମକରେ ଗଣ୍ଡ

ଥୋଇ କରୁଅଛି ଧ୍ୟାନ ।

 

ପୁତ୍ତଳିକା ପରି             ବସିଛି, ସମ୍ମୁଖେ

ଭୂତଳେ ହୋଇଛି ଲେଖା,

‘ଦୁଷ୍ମନ୍ତ’ ଅକ୍ଷର-            ତ୍ରୟେ ମୁହୁର୍ମୁହୁଃ

ଚଳିଛି କଠିନୀ-ରେଖା ।

 

‘ଦୁଷ୍ମନ୍ତ’ ‘ଦୁଷ୍ମନ୍ତ’            ପଢ଼ନ୍ତେ ସଖୀଏ

ଅନାଇଦେଲା ସୁନ୍ଦରୀ,

ନାହିଁ ନରପତି,            ଉଭା ହୋଇଛନ୍ତି

ମାତ୍ର ବେନି ସହଚରୀ ।

 

ନ ଜାଣଇ କିସ            ଲେଖିଅଛି ତଳେ

ସଖୀଏ ହସନ୍ତି ଚାହିଁ,

ନିଜେ ପଢ଼ି ପରେ            ମେଣ୍ଟାଇଲା ଖରେ

ପ୍ରେମାଞ୍ଚିତ ଲଜ୍ଜା ପାଇ ।

 

ସଖୀ-ପରିହାସ            ନ ଗଣି ସତ୍ୱର

ଶିରେ ପୋଛିଦେଲା କର,

ସଖୀଏ ବୋଇଲା,            ‘‘ଲଲାଟ ବିଭୂତି-

ଲେଖା ହେଉ ଦୁଃଖହର ।’’

 

ଆଣିଥିଲେ ଫୁଲ            ସଜନୀ ଦ୍ୱିତୟ

ତ୍ରିତୟ ବିମଳ ମନେ,

ନେଇ ଦେବାଳୟେ            ଗୌତମୀ ସହିତ

ଲାଗିଲେ ଦେବ-ଅର୍ଚ୍ଚନେ ।

 

କେତେ ଦିନ ପରେ            ଆଶ୍ରମେ ଆସିଲେ

କଣ୍ୱ ମୁନି ସୁଧୀବର,

ଶକୁନ୍ତଳା ତାଙ୍କ            ପଦ ବନ୍ଦି ପାଶୁଁ

ଅନ୍ତର ହେଲା ସତ୍ୱର ।

 

ଆଉ ଯେତେ ଥିଲେ      ତାପସ ତାପସୀ

ବନ୍ଦି ମୁନି ପାଦତଳେ,

ମୁନି ପଚାରନ୍ତେ            ବୋଇଲେ ସମସ୍ତେ

ଅଛନ୍ତି ରହି କୁଶଳେ ।

 

ପୁଣି ନିଜ ନିଜ            କାର୍ଯ୍ୟରେ ଲାଗିଲେ

ମୁନିଙ୍କ ଆଦେଶ ପାଇ,

କେ କଲା ଯଜନ            କେ ବା ଅଧ୍ୟୟନ

ପୂର୍ବ ରୀତି ଅନୁଯାୟୀ ।

 

ସଖୀ ସଙ୍ଗେ ଥାଏ            ଶକୁନ୍ତଳା, କିନ୍ତୁ

ମୁନିଙ୍କୁ କଲେ ଦର୍ଶନ,

କିଛି ଛଳ କରି            ଦୂର ହୋଇଯାଏ

ବିନତ କରି ବଦନ ।

 

କୁମାରୀ-ସୁଲଭ            ସରଳତା ତାର

ସ୍ୱଭାବକୁ ପରିହରି,

ଭୟ ଭୟେ ଲଜ୍ଜା            ପଛେ ଲୁଚିଥାଏ

ତନୁ ସଙ୍କୁଚିତ କରି ।

 

ଦିନେ ମହାଋଷି            ତରୁମୂଳେ ବସି

ଭାବୁଥାନ୍ତି ମନେ ମନେ,

ଭିନ୍ନ ଭିନ୍ନ ରୀତି            ଦିଶୁଅଛି କିପାଁ

ଶକୁନ୍ତଳା ଆଚରଣେ ।

 

ପୂର୍ବପରି ଆସି            ମୋ’ ଆଗେ ଭରସି

କହୁ ନାହିଁ କିପାଁ କଥା,

ସମକ୍ଷେ ପଡ଼ିଲେ            ଅପସରି ଯାଏ,

ଅବନତ କରି ମଥା ।

 

ତନୁ ଆବରଣେ            କେତେବେଳେ ତାର

ଦିଶୁ ନାହିଁ ଅବହେଳା,

ମୁଖ କାନ୍ତି ତାର            ଭିନ୍ନ ଦିଶୁଅଛି

ଜୀବନେ ତା’ କିସ ହେଲା ?

 

କାକ ବସିଥିଲା            ପାଦପ ଉପରେ

କଲା କିସ କିସ ରବ,

ଧ୍ୟାନ ଦେଇ ମୁନି            ଶୁଣି ଅବଗତ

ହେଲେ ସେ ରହସ୍ୟ ସର୍ବ ।

 

ବିଶଦ-ବଦିତ            ହେଲେ ଶକୁନ୍ତଳା-

ଦୁଷ୍ମନ୍ତ-ପ୍ରଣୟ-କଥା,

ମନେ କଲେ ଚୂତ-            ପାଦପ ବରିଛି

ଯୋଗ୍ୟ ସହକାର ଲତା ।

 

ଆନନ୍ଦିତ ହେଲେ            ଆହୁରି ଜାଣି ସେ

ଲତିକା ଧରିଛି କଷି,

ନିଜ ଅଭିଲାଷ            ସଫଳ ମଣିଲେ

ସୁତାଭାଗ୍ୟ ପରଶଂସି ।

 

ବିଚାରିଲେ ମନେ            ପିତାପୁରେ ସୁତା

ଥିବା ନୁହେ ଶ୍ରେୟସ୍କର,

ନିଜ ଲୋକ ସଙ୍ଗେ            ପତି ସମୀପକୁ

ପଠାଇଦେବା ସତ୍ୱର ।

 

ଗୌତମୀଙ୍କି ଡାକି            ବୋଇଲେ, ‘‘ସୁସିଦ୍ଧ

ହୋଇଛି ମୋ ସଙ୍କଳପ,

ଶକୁନ୍ତଳା ଯୋଗ୍ୟ-            ବର ପାଇଁ ଯାହା

କରି ଯାଇଥିଲି ତପ ।

 

ଆସି ଅବଗତ            ହେଲି, ବିଜେ ନିଜେ

କରି ହସ୍ତିନା-ଭୂପତି,

ପ୍ରୀତିସହକାରେ            ଶକୁନ୍ତଳା-କର

ଗ୍ରହଣ କରିଅଛନ୍ତି ।

 

ହସ୍ତିନାକୁ ଏବେ            ଯାଉ ଶକୁନ୍ତଳା

ସେବିବ ସ୍ୱାମୀଚରଣ,

ଉଚିତ ନୁହେ ତା’            ପକ୍ଷେ ଆଉ ଏହି

କାନନେ ତପଶ୍ଚରଣ ।

 

କାଲି ପ୍ରଭାତରୁ            ଉଠି ତୁମ୍ଭେ ଘେନି

ସଙ୍ଗରେ ତାପସଦ୍ୱୟ,

ଶକୁନ୍ତଳାକୁ ମୋ’            ଦେଇଆସ ଯାଇ

ହସ୍ତିନାରାଜ-ନିଳୟ ।’’

 

କାଶ୍ୟପ-ବଚନ            ଗୌତମୀ ଶ୍ରୁତିକି

ହୋଇ ଆନନ୍ଦର ଝର,

ହୃଦୟ-କ୍ଷେତ୍ରକୁ            ବିକ୍ଷୋଭିତ କରି

ଦାରୁଣେ ବହିଲା ଖର ।

 

ଆଜନମ କୋଳ-            ଲାଳିତା ସ୍ନେହର

ମୁର୍ତ୍ତି ହେବ ରାଜରାଣୀ

ଚରିତାର୍ଥ ହେବ            ନାହିଁ କା ଶ୍ରବଣ

ଶୁଣିଲେ ସେ ମଧୁବାଣୀ ?

 

ନୟନ-ପ୍ରତିମା            ଚିରଦିନ ପାଇଁ

ନୟନୁ ହେବ ଅନ୍ତର,

ସେ କଥା ଭାବିଲେ            ଦୁଃଖେ ବିଦାରିତ

ସହଜେ ହୁଏ ଅନ୍ତର ।

 

କ୍ଷଣକେ ସେ କଥା            ବିସ୍ତାରିତ ହେଲା

କୁଟୀରେ କୁଟୀରେ ଯାଇ,

ଦୂରକ୍ରମେ ଯଥା            ବଢ଼ିଥାଏ ଦୀପ

ନିକଟ ବସ୍ତୁର ଛାଇ ।

 

ହସି ହସି କେହି            ତାପସୀ କହିଲା,

‘‘ପୂର୍ବରୁ ମୁଁ ଥିଲି ଜାଣି,

ଶକୁନ୍ତଳା ଘେନି            ଅଳଙ୍କୃତା ହେବ

ଦୁଷ୍କନ୍ତଙ୍କ ରାଜଧାନୀ ।’’

 

କେ ବୋଇଲା, ‘‘ଆମ୍ଭ      ଶକୁନ୍ତଳା ଯାଇ

ଲଭିଲେ ରାଜ-ସମୃଦ୍ଧି,

ଅଧିକୁ ଅଧିକ            ହେବ ଏବେ ଆମ୍ଭ

ଆଶ୍ରମର ଭାଗ୍ୟବୃଦ୍ଧି ।’’

 

କେ ବୋଇଲା, ‘‘ଏତେ      କଥା ହୋଇଅଛି,

କିଛି ମୁଁ ନ ଥିଲି ଜାଣି,

କିଏ ବା ଜାଣିବ            ଉପବାସୀ ଜନ

ନିମଜ୍ଜି ପିଇଲେ ପାଣି ?’’

 

କେ ବୋଇଲା, ‘‘ଓହୋ      ଶକୁନ୍ତଳା ଦିଶେ

କିଛି ନ ଜାଣିଲା ପରି,

ଦେଖ କି କୌଶଳେ            ସୌଭାଗ୍ୟ-ମନ୍ଦିର

ନେଇଛି ପ୍ରସ୍ତୁତ କରି ।’’

 

ଅପରା ବୋଇଲା,            ‘‘ଜାତୀୟ ଗୌରବ

ଚାହିଁ ଭାଗ୍ୟ ନିଏ ବରି,

କ୍ଷତ୍ରିୟନନ୍ଦିନୀ            ବୋଲି ସିନା ତାକୁ

ଘେନିଲେ ନୃପକେଶରୀ ।

 

ଆଉ ଏକ କଥା            ଲୋକଙ୍କୁ ନିପୁଣ

କରାଏ ପ୍ରକୃତିଗୁଣ,

ତୀକ୍ଷ୍‌ଣ କରିବାକୁ            ଯାଇ ନ ଥାଏ କେ

ବନ କଣ୍ଟକର ମୁନ ।

 

ସମ ଜାତି ଦେଖି            ପରସ୍ପର ମନ

ସ୍ୱଭାବେ ହୁଅଇ ସମ,

ବାୟସ-ପାଳିତ            ପିକ-ଶାବ ପିକେ

ମିଶିବାକୁ ହୁଏ କ୍ଷମ ।’’

 

ପ୍ରିୟମ୍ୱଦା ଶୁଣି            ସହାସ୍ୟେ କହିଲା,

ଅନସୂୟା ମୁଖ ଚାହିଁ,

‘‘ସଜନି ! ସଂଶୟ-            ତରଣୀ ଲାଗିଲା

ସୁବର୍ଣ୍ଣ ଭୂମିରେ ଯାଇ ।’’

 

ଅନସୂୟା ମୁଦ            ସମୁଦିତ ହେଲା

ପ୍ରକାଶିଲା ନିଜ ଭାଷ,

‘‘ସତେ ସଖି ! ସତ-      କାର୍ଯ୍ୟରେ ସହାୟ

ଚିନ୍ତାମଣି ବିଶ୍ୱବାସ ।’’

 

ଶକୁନ୍ତଳା କର୍ଣ୍ଣେ            ପଡ଼ନ୍ତେ ସେ କଥା

ବିଚରିଲା ନିଜ ମନେ,

‘‘ଦୁହିତାର ଦୋଷ            କ୍ଷମିବାକୁ ପିତା

ତୁଲ୍ୟ ନାହିଁ ତ୍ରିଭୂବନେ ।

 

ପାଳିଛନ୍ତି ମୋତେ            ତାତ ପିତୃ-ମାତୃ-

ସ୍ନେହ କରି ସମନ୍ୱୟ,

କଥା ପଦେ ସୁଦ୍ଧା            ତାଙ୍କୁ ନ ପଚାରି

ଜୀବନ କଲି ବିକ୍ରୟ ।

 

ଧନ୍ୟ ଧନ୍ୟ ପିତା !            ଗେହ୍ଲାଈ ସୁତାର

କିଛି ନ ଧଇଲେ ଦୋଷ,

ତ୍ରୁଟି ଚାହିଁ ସ୍ନେହ            ନ ତୁଟି ତାଙ୍କର

ଅଧିକ ବଢ଼ିଛି ତୋଷ ।

 

ହୃଦୟ ତାଙ୍କର            ନ କଳି ହୃଦୟ

ହେଉଧିଲା ମୋ’ ଅସ୍ଥିର,

ପ୍ରବାଳ ଲତିକା            କେମନ୍ତେ ଜାଣିବ

ସାଗର କେତେ ଗଭୀର ?

 

ଆସିବାକୁ କାନ୍ତ            କହି ଯାଇଥିଲେ

ନ ଆସିଲେ ଆଜିଯାଏ,

ତାଙ୍କ ପ୍ରେମ ଅବା            କେମନ୍ତେ କଳିବି

ତାହା ତ ସିନ୍ଧୁ ପରାଏ ।

 

କାନ୍ତ-ପ୍ରେମ ଯେବେ      ସାଗର ମୋ’ ପ୍ରେମ

ହେବ ତ ସରିତ ସରି,

ସାଗର ଅଙ୍କକୁ            ସରିତ ଯିବାକୁ

ନ ଥାଏ ତ ଅପସରି ।

 

ଉଚ୍ଚ ଲୋକଠାରେ            ଉଚ୍ଚ ଆଶା କଲେ

ନ ହୁଏ କେବେ ନିଷ୍ପଳ,

ଜଳସ୍ତମ୍ଭ ଯେବେ            ଉର୍ଦ୍ଧକୁ ଉଠଇ

ବରିନିଏ ମେଘଜଳ ।

 

ହସିବେ କି ତାଙ୍କ            ରମଣୀମଣ୍ଡଳ

ମୋର ସେହି ରୀତି ଚାହିଁ ?

ତରଙ୍ଗ-ଭୂଭଙ୍ଗ            ନ ଗଣି ତଟିନୀ-

ସାଗରେ ପଶଇ ଯାଇଁ ।’’

 

ଏହିରୂପେ କେତେ            କଳ୍ପନା-ଜଳ୍ପନା

ଲାଗିଗଲା ତପୋବନେ,

ସମସ୍ତେ ଜାଣିଲେ,            ଶକୁନ୍ତଳା ଯିବ

ପରାହେ ପତିଭବନେ ।

 

ଦିନକ ମାତର            ଥାଇ ତପୋବନେ

ରାଜରାଣୀ ହେବ ଯାଇ,

ମୁନି-କନ୍ୟାଗଣ            ଜାଣି ତାକୁ ସ୍ନେହ

ଭାଷରେ ଦେଲେ ଭସାଇ ।

 

ନିକଟୁଁ ଅନ୍ତର            ହେବାକୁ ନ ହେଲା

କୁମାରୀମାନଙ୍କ ମନ,

ପ୍ରଗାଢ଼ ପ୍ରୀତିରେ            କରୁଥାନ୍ତି ତାକୁ

ପୁନଃ ପୁନଃ ନିରୀକ୍ଷଣ ।

 

ଅନ୍ୟ ଚିନ୍ତା ପାଇଁ            ଶକୁନ୍ତଳା ଆଉ

ନ ପାଇଲା ଅବସର,

ଯେ ଆସେ ପାଶକୁ            କରୁଥାଏ ତାକୁ

ଦ୍ୱିଗୁଣ ସ୍ନେହ ଆଦର ।

 

ତପୋବନେ ମାୟା-            ମମତାକୁ ଚାହିଁ

ଭାନୁ ହେଲେ ଈର୍ଷାନ୍ୱିତ,

ତର୍ଜି ତର୍ଜି ଯେହ୍ନେ            ରାଗ-ରକ୍ତ-ମୁଖେ

ବେଗେ ହେଲେ ଅସ୍ତମିତ ।

 

ମାନବ ଧରମ-            ସୀମାକୁ ଲଙ୍ଘିଲେ

ଦେବେ ନ ପାରନ୍ତି ସହି,

ନିଜେ ନିଜେ ଯେଣୁ            ଧର୍ମ-ସୀମା-ମଧ୍ୟେ

ଚିର-କାଳ ଥା’ନ୍ତି ରହି ।

 

ସନ୍ଧ୍ୟା ଉପଗମେ            ମୁନି-ବନ ହେଲା

ବେଦସ୍ୱନେ ମୁଖିରିତ,

ଚଞ୍ଚଳମତିର            ସନ୍ଧ୍ୟା ହିଁ ଚଞ୍ଚଳ

ଗତିରେ ଗଲା ତ୍ୱରିତ ।

 

ସନ୍ଧ୍ୟାବିଧି ସାରି            କୁମାରୀ ଶୋଇଲା

ପ୍ରିୟ ସଖୀଦ୍ୱୟ ସଙ୍ଗେ,

ନାମ ମାତ୍ର ତନୁ            ଶଯ୍ୟାରେ ରହିଲା,

ଲାଗିଲେ ଆଲାପ ରଙ୍ଗେ ।

 

ତିନି ସଖୀଙ୍କର            ମନ, ମନକଥା

ସବୁ କରିଦେବେ ଶେଷ,

ଏକର କଥନ            ନ ସରୁ ଅନ୍ୟର

କଥା କରେ ପରବେଶ ।

 

ନିଦ୍ରା ଆଜି ମୁନି-            ସୁତାଙ୍କ କୁଟୀର-

ସୀମା ମାଡ଼ି ପାରୁ ନାହିଁ,

ବାରମ୍ୱାର ଆସି            ଲେଉଟି ଯାଉଛି

ଦୁଆର ମୁଖକୁ ଚାହିଁ ।

 

ଅବଶେଷେ ନିଦ୍ରା            ସ୍ୱପନ ସହିତ

କୁଟୀରେ ପ୍ରବେଶି ବଳେ,

କୁମାରୀଙ୍କ କର୍ଣ୍ଣ-            ପଟେ ଥାପୁଡ଼ିଲେ

ମୃଦୁମନ୍ଦେ କଉଶଳେ ।

 

ବାରମ୍ୱାର ଚେଇଁ            କୁମାରୀଏ ପୁଣି

କରୁଥାନ୍ତି କଥାରମ୍ଭ,

ସ୍ୱପନର ସ୍ନେହ            ଆଲିଙ୍ଗନେ ଚେତା

ମାନିଗଲା ପରାଭବ ।

 

ସ୍ୱପ୍ନକୋଳେ ବସି            ଶକୁନ୍ତଳା ହେଲା

ହସ୍ତିନାରେ ଉପଗତ,

ଦେଖିଲା ନଗରେ            ପୂରିଛି କୁଟୀର-

ଶ୍ରେଣୀ ଯେହ୍ନେ ପରବତ ।

 

ଧାତ୍ରୀ ହରିତକୀ            ଫଳରୂପେ ରାଜ-

ପୂରେ ଝୁଲେ ହୀରା ନୀଳା,

ମୁନିପତ୍ନୀଙ୍କର            ପରି ଲାଗିଅଛି

ପୁରନାରୀଙ୍କର ଲୀଳା ।

 

ଅକୁନ୍ଦିତ ଗଜ-            ଦନ୍ତ-ପାଦ-ଖଟ

ବାହୁ ତା’ ସୁବର୍ଣ୍ଣ-ଦଣ୍ଡ,

ଆକାରେ ଯେସନ            ଗ୍ରାମ୍ୟ ବର୍ଦ୍ଧକୀର

କରଚଞ୍ଚା-କାଷ୍ଠଖଣ୍ଡ ।

 

ରଜତ ଦଉଡ଼ି            ଗୁନ୍ଥା ହୋଇଅଛି

ବକ୍ଷେ ତାର କପାଗଦା,

ସୁବର୍ଣ୍ଣ-ରୁଖାରେ            ରତ୍ନ ବଇଠାରେ

ସଳିତା ଜଳୁଛି ସଦା ।

 

ବଳ୍‌କଳ ପରାଏ            ସୂକ୍ଷ୍ମ-ହେମ-ପତ୍ର

ପିନ୍ଧିଛନ୍ତି କେତେ ରାଣୀ,

ଘୋଟକୀ ଦର୍ଶନେ            ମୃଗୀପରି କଲେ

ତା’ ପ୍ରତି ବକ୍ରଚାହାଣି ।

 

ବାୟସ ନ ଡାକୁଁ            ଗଉତମୀ ଆସି

‘‘ଶକୁନ୍ତଳା, ଶକୁନ୍ତଳା’’,

ଡାକି ଉଠାଇଲେ            ସେ ଡାକ ତାହାର

ସ୍ୱପନରେ ମିଶିଗଲା ।

 

ସ୍ୱପନର ଅଙ୍କ-            ଚାରିଣୀକି ତାହା

ଏମନ୍ତ ପ୍ରତୀତ ହେଲା,

ରାଜପୁର ମଧ୍ୟୁଁ            କେହି ‘‘ଶକୁନ୍ତଳା,

ଶକୁନ୍ତଳା’’ ଡାକ ଦେଲା ।

 

ଚେଇଁ ପ୍ରିୟମ୍ୱଦା            ଉଠି ହଲାଇଲା

ସ୍ୱପନ-ମଜ୍ଜିତା-ଦେହ,

ମଣିଲା ସେ ରାଜ-            ପୁର ନାରୀ ଏକ

ଧରି କରୁଅଛି ସ୍ନେହ ।

 

ଗାଢ଼ ଆଲୋଡ଼ନେ            ଭାଙ୍ଗିଲା ସ୍ୱପନ,

ଚମକି ଚାହିଁଲା ଭୀରୁ,

ଅଟବୀ-କୁଟୀରେ            ରହିଅଛି ଦୂରେ

ସମ୍ପଦର ଅଟବୀରୁ ।

 

ପୁନଶ୍ଚ ଗୌତମୀ            ଡାକିଲେ, ‘‘ସତ୍ୱରି

ଶକୁନ୍ତଳା ତେଜ ତଳ୍ପ,

ଆସ ପ୍ରିୟମ୍ୱଦା,            ଆସ ଅନସୂୟା,

ବିଭାବରୀ ଅଛି ଅଳ୍ପ ।

 

କଜ୍ଜଳପତ୍ରୀଏ            କେତେବେଳୁଁ ବନେ

ରାବିଲେଣି ବାରମ୍ୱାର,

କ୍ଷଣକ ଭିତରେ            ଦୂର ହୋଇଯିବ

ନିଶା-ଶେଷ-ଅନ୍ଧକାର ।

 

ହେଲେଣି ଅଦୃଶ୍ୟ            ସାନ ତାରାସବୁ

ବଡ଼ ବଡ଼ ତାରାମାନ,

ଅରୁଣ-ଉଦୟ-            ପଥ ପରିଷ୍କାର

ହେଉଛି ପ୍ରତୀୟମାନ ।’’

 

ଚମକିଲା ପରି            ଉଠି କାକଗଣ

ସେହି କାଳେ କଲେ ରଡ଼ି,

ସତେ କି ତାଙ୍କର            ଧନ କେ ନେଉଛି

ଥିବାରୁ ସେ ଶୋଇପଡ଼ି ।

 

ଗୌତମୀ ସହିତ            ପ୍ରିୟମ୍ୱଦା ଆଦି

ତହୁଁ ଯାଇ କଲେ ସ୍ନାନ,

କେତେ ମୁନିସୁତ            ଆଗୁଁ ସ୍ନାନ କରି

ସାରିଦେଲେ ବେଦଗାନ ।

 

ଶକୁନ୍ତଳା ସ୍ନାନ            କରାଇଲା ସଖୀ

ଅଙ୍ଗେ ଲେପି ତୀର୍ଥ-ମାଟି,

ବିଲେପି କୁଙ୍କୁମ ସଙ୍ଗେ      ଗୋରୋଚନା

ନାଗେଶ୍ୱର ଚୂର୍ଣ୍ଣ ବାଟି ।

 

ସ୍ନାନ ଅବଶେଷେ            ପିନ୍ଧି ମୁକ୍ତକେଶୀ

ମନୋରମ ସୂକ୍ଷ୍ମବାସ,

ଗୁରୁ-ଜନ ପଦେ            ପ୍ରଣମି ଘେନିଲା

ମଙ୍ଗଳ ଆଶିଷ-ଭାଷ ।

 

ଗୌତମୀ ବୋଇଲେ,      ‘‘ମହାରାଣୀ-ପଦେ

ହୁଅ ବତ୍ସେ ! ଗୌରବିଣୀ’’,

ଅନ୍ୟ କେ ବୋଇଲା,      ‘‘ସୀତା ପରି ହୁଅ

ମହାବୀର-ପ୍ରସବିନୀ ।’’

 

ଅନ୍ୟ କେହି ସେହି            ଆଶୀର୍ଭାଷ ଶୁଣି

ବିଚାରିଲା ମନେ ମନେ,

ସୀତା ନିର୍ବାସିତା            ହୋଇ ବୀରପୁତ୍ର

ପ୍ରସବିଥିଲେ ଯେ ବନେ ?

 

ଏଣେ କଳାକର            ଚନ୍ଦ୍ରିକା ସହିତ

ବଦନରେ ଭରି ମ୍ଲାନି,

ବାରୁଣୀ ମନ୍ଦିର            ସମୀପସ୍ଥ ହେଲେ

ଲୋକନେତ୍ରେ ଦେଇ ଗ୍ଲାନି ।

 

ଅନ୍ୟ ଦିଗେ ରବି            କରି ସମୂଜ୍ଜ୍ୱଳ

ଅରୁଣକୁ ଅଗ୍ରସର,

ଉଦୟ-ପର୍ବତେ            ପଦକ୍ଷେପ କରୁ-

ଛନ୍ତି ହୋଇ ତରତର ।

 

ଜ୍ୟୋତିଷ୍କ ଯୁଗଳ            ଦେଖାଇଲେ ଭବେ

ନିଜ ଦଶା-ବିପର୍ଯ୍ୟୟ,

ଦେଖୁଁ ଦେଖୁଁ ଏକ            ଅଧୋଗତ, ତେଣେ

ଅପରର ଅଭ୍ୟୁଦୟ ।

 

ଧରାଧର-ଗୁରୁ            ମେରୁ-ଶିରେ ପାଦ

ଦେବାର ଗରବ ଫଳେ,

ଶ୍ରୀହୀନ ଶଶାଙ୍କ            ନିପତିତ ହେଲେ

ଅସ୍ତାଚଳ ପାଦ-ତଳେ ।

 

କୁମୁଦିନୀ-ଶୋଭା            ଦୃଷ୍ଟି-ପଥୁଁ ଯାଇ

ସ୍କୃତିପୁରେ କଲା ବାସ,

କାହା ଜୀବନରେ            ଉଲ୍ଲାସ ରହିଛି

ପ୍ରଣୟୀ ଗଲେ ପ୍ରବାସ ?

 

କୁମୁଦିନୀପୁର            ତେଜି ମଧୁକର

କମଳିନୀ ଦ୍ୱାରେ ଆସି,

ପ୍ରଭାତ-ଭିଖାରି            ହୋଇ ଗାନସ୍ୱରେ

ଦେଲା ତାର ନିଦ୍ରା ନାଶି ।

 

ପକ୍ୱ କୁବଳୟ-            ଫଳେ ହିମକଣା

ପ୍ରାତଃ ସମୀରଣେ ହଲି,

ଅରୁଣାଲିଙ୍ଗନ            ମୁଦେ ଦେଉଅଛି

ମାଣିକ୍ୟର ଦର୍ପ ଦଳି ।

 

ବୀତନିଦ୍ର ହୋଇ            ଉଟଜ ଉପରୁ

ଓହ୍ଲାଇ ମୟୂରମାନେ,

ଶିଖଣ୍ଡ-ରତନ            କାନ୍ତି ମାଳିନେଲେ

ଅରୁଣ-କିରଣ-ଶାଣେ ।

 

କ୍ଷୁର-କ୍ଷୁଣ୍ଣ ବେଦି-            ପ୍ରାନ୍ତେ ଉଭା ହୋଇ

ହରିଣ-ହରିଣୀଗଣ,

ଗ୍ରୀବା ସଳଖାଇ            ଆଗେ, ପଛେ କଲେ

ଅପଘନ ପ୍ରସାରଣ ।

 

ଏକାଳେ ହାରୀତ            ନାମେ ଋଷିପୁତ୍ର

କାଶ୍ୟପ ଆଦେଶ ପାଇ,

ଅଳଙ୍କାର-ପୂର୍ଣ୍ଣ            ଥାଳି ଏକ ଆଣି

ଦେଲା ଶକୁନ୍ତଳା ପାଇଁ ।

 

ରୁଣ୍ଡ ହୋଇଥିଲେ            ତାପସୀ-ମଣ୍ଡଳୀ

ଚାହିଁ ସବୁ ଅଳଙ୍କାର,

ବୋଇଲେ, ‘‘ଏ ଭୂଷା      ସବୁ କାହିଁ ଥିଲା,

ଆହା କେଡ଼େ ଚମତ୍କାର !’’

 

କେ ବୋଇଲା, ‘‘ଏହି      ବିଚିତ୍ର ଭୂଷଣ

କଦାପି ନୁହେଁ ପାର୍ଥିବ,

ସ୍ୱର୍ଗୀୟ ଭୂଷଣ            ସ୍ୱର୍ଗ ଅପସରା

ରାତ୍ରେ ଆଣି ଦେଇଥିବ ।

 

ଭୂଲୋକର ସୁଖ            ଦୁଃଖ ଭଲ ମନ୍ଦ

ସ୍ୱର୍ଗକୁ ଦିଶଇ ପରା,

ଦୁହିତାର ସ୍ନେହ-            ବଶେ ଆସିବାକୁ

ଦୂର ନୁହେ ତାକୁ ଧରା ।

 

ସ୍ତିରୀ କଥା ସ୍ତିରୀ            ଜାଣଇ, ସ୍ତିରୀଏ

ଭୂଷଣ-ଅନୁରାଗିଣୀ,

ସ୍ୱର୍ଗେ ଥାଇ ତାର            ସ୍ନେହ କି ଛାଡ଼ିଛି

ଯେ ଯାହା ଗର୍ଭଧାରିଣୀ ।’’

 

କେ ବୋଇଲା, ‘‘ମୁନି      ଜାଣି ଜାଣି କରି-

ଥିଲେ ଏସବୁ ସଞ୍ଚିତ,

ପ୍ରିୟ ସୂତା ତାଙ୍କ            ପ୍ରିୟ ଭୂଷଣରୁ

ନ ହେବ ବୋଲି ବଞ୍ଚିତ ।’’

 

ହାରୀତ ବୋଇଲେ,            ‘‘ମୁନି ମହିମାରେ

ନୁହେ ଏହା ଚମତ୍କାର,

ତାଙ୍କ ଉଦ୍ୟାନର             ଏକ ଏକ ତରୁ

ଏକ ଏକ ଧନାଗାର ।

 

ପୁଣି ଏକ ଏକ            ରାଜା ମୁନୀନ୍ଦ୍ରଙ୍କ

ଏକ ଏକ ମହାତରୁ,

ଏତିକି ଭୂଷଣ            ମିଳିବାର କେଉଁ

ଚିତ୍ର ତାଙ୍କ ନିକଟରୁ ?

 

ସିଦ୍ଧତପାଙ୍କର            ଶରଧା ନ ଥାଏ

ଧନ ରତ୍ନ ଅଳଙ୍କାରେ,

ପୂତ ହେବା ଆଶେ            ଧନ ରତ୍ନ ଆଦି

ଉଭା ହୋଇଥାନ୍ତି ଦ୍ୱାରେ ।

 

ମୁନୀନ୍ଦ୍ର ଆଦେଶେ            ଉଦ୍ୟାନେ ବୁଲି ମୁ୍ଁ

କର ବଢ଼ାଇବା ମାତ୍ରେ,

କେଉଁଠାରୁ କେଉଁ            ଅଳଙ୍କାର ଆସି

ପୂରିଗଲେ ଏହି ପାତ୍ରେ ।

 

ଭୂଷା ଖଞ୍ଜିବାକୁ            ତାପସୀମାନଙ୍କ

ବୁଦ୍ଧି ହୋଇଗଲା ବଣା,

କେଉଁ ଭୂଷା କେଉଁ            ଅଙ୍ଗେ ଯୋଜନୀୟ

ତାଙ୍କୁ ତ ନ ଥିଲା ଜଣା ।

 

କହିଦେଲା ତାହା            ପରିବ୍ରାଜିକାଏ

ଥିଲା ତାପସୀଙ୍କ ସଙ୍ଗେ,

ମୁଦେ ପ୍ରିୟମ୍ୱଦା            ଭୂଷା ନେଇ ମଣ୍ଡି-

ଦେଲା ଶକୁନ୍ତଳା-ଅଙ୍ଗେ ।

 

ନିସର୍ଗ-ସୁନ୍ଦରୀ-            ଶକୁନ୍ତଳା ଦେହେ

ସ୍ଥାନ ଲଭି ଅଳଙ୍କାରେ,

ପ୍ରଫୁଲ୍ଲିତ ହେଲେ            ରବି ରଶ୍ମି-କୋଳେ

ପଙ୍କଜିନୀ ପରକାରେ ।

 

ଭୂଷଣମଣ୍ଡିତା            ଶକୁନ୍ତଳା ଅଙ୍ଗେ

ପଡ଼ି ନବ-ରବି-କର,

ଧନ୍ୟ ହେଲି ବୋଲି            ଉଷତେ ନାଚିଲା

ଉଲ୍ଲସାଇ କଳେବର ।

 

ଭୂଷା ଶେଷେ ଯୋଷା      ସଖୀ କରୁଁ ନେଇ

ସୁରଙ୍ଗ-ଦୁକୂଳ-ଶାଟୀ,

ପରିଧାନ କଲା            କ୍ଷୀଣ-କଟି ଗୌର-

ଦେହେ କରି ପରିପାଟୀ ।

 

ସେଦିନ ଜାଣିଲା            ଯହିଁ ପାଇଁ ତାର

ହୋଇଥିଲା କର୍ଣ୍ଣବେଧ,

ସେଦିନ ଜୀବନେ            ଅନୁଭବ କଲା

ବଳ୍‌କଳ-ଦୁକୂଳ-ଭେଦ ।

 

ଏକାଳେ ମୁନୀନ୍ଦ୍ର            ଆସି ସ୍ନେହ-ଦୃଷ୍ଟି

ଦେଇ ଶକୁନ୍ତଳା ପ୍ରତି,

ବିଚାରିଲେ ମନେ            ଶକୁନ୍ତଳାହୀନ

ହେବ ମୋ’ ବନ ସମ୍ପ୍ରତି ।

 

ସେ ବିଚାରେ ହୃଦ            ବିକ୍ଷୋଭିତ ହୋଇ-

ଗଲା ମୁନିବରଙ୍କର,

ମୃଣାଳ-ଲାଳସୀ            ଗଜ ପ୍ରବେଶିଲେ

ଯେସନେ କମଳାକର ।

 

ହୃଦ ଆନ୍ଦୋଳନେ            ନୟନଯୁଗଳେ

ଜଳ ହେଲା ଢଳଢଳ,

ବିକମ୍ପିତ ସରେ            ସ୍ୱତଃ ଆସିଥାଏ

ଜଳଦ-ଦଳକୁ ଜଳ ।

 

ସେହି କାଳେ ଯଦି            କଥା କହିଥାନ୍ତେ

ଅଶ୍ରୁ ଯାଇଥାନ୍ତା ବହି,

ପାନ୍ଥତରୁ ଦେହେ            ପଥ ଫିଟିଗଲେ

ପାଥ କି ପାରଇ ରହି ?

 

ସମୟ ପାଇଲେ            ଜୀବନେ ପ୍ରବୃତ୍ତି

ଫୁଟି ପଡ଼ିଥାଏ ଆସି,

ପ୍ରବୃତ୍ତି-ବର୍ଜିତ            କେ ଅଛି ଜଗତେ

କି ଗୃହୀ କି ବନବାସୀ ?

 

ମୁନି ଆଗମନ            ଚାହିଁ ଶକୁନ୍ତଳା

ସଲଜ୍ଜେ ଚରଣ-ତଳେ,

ଗୌତମୀ ଆଦେଶେ      ପ୍ରଣିପାତ କଲା

ନୟନ ପୂରାଇ ଜଳେ ।

 

ଆନନ୍ଦ-ପୁଲକେ            ବାଷ୍ପ-ଗଦଗଦ-

କଣ୍ଠେ ଆଶିଷିଲେ ମୁନି,

‘‘ସମସ୍ତ କୁଶଳେ            ପତି-ରତ୍ନାକରେ

ହୁଅ ମା ତୁ ସୁରଧନୀ ।

 

ପୁତ୍ର ଲାଭ କର            ଚକ୍ରବର୍ତ୍ତୀ-ଚିହ୍ନ

ବିମଣ୍ଡିତ କଳେବର ।’’

ସହର୍ଷେ ଗୌତମୀ            ବୋଇଲେ, ‘‘ଏହିଟି

ଆଶୀର୍ବାଦ ଛଳେ ବର ।’’

 

ବସି ମୁନି ପାଶେ            ସୁତାକୁ ବସାଇ

କ୍ଷଣେ ସ୍ଥିର କରି ମନ,

ସସ୍ନେହେ ବୋଇଲେ,      ‘‘ମାଆ ଗୋ, ତୁ ଆଜି

ଗମିବୁ ପତିସଦନ ।

 

ଥିଲୁ ତପୋବନେ            ଶାନ୍ତର ଭବନେ

ସଖୀ ସଙ୍ଗେ ଖେଳି ରଙ୍ଗେ,

ପଶିବୁ ଏଥର            ସମ୍ପତ୍ତି ସଲିଳ-

ସଂସାର-ସିନ୍ଧୁ-ତରଙ୍ଗେ ।

 

ନାବ ବିନା କେହି            ସାଗରେ ପଶିଲେ

ଲଭଇ ଘୋର ବିପଦ,

ସଂସାର-ସାଗର            ପାଇଁ ମହାପୋତ

ଏକମାତ୍ର ସ୍ୱାମୀ-ପଦ ।

 

ନାରୀମାନଙ୍କ            ସ୍ୱାମୀଟି ଈଶ୍ୱର

ସ୍ୱାମୀଙ୍କ ଚରଣ ସ୍ୱର୍ଗ,

ଲକ୍ଷ୍ମୀ ସଦା ପତି-            ବ୍ରତାର ସଙ୍ଗିନୀ

ସ୍ୱାମୀ ପ୍ରୀତି ଅପବର୍ଗ ।

 

ସ୍ୱାମୀ ଗୁରୁ ସ୍ୱାମୀ            ପରମ ବାନ୍ଧବ

ସ୍ୱାମୀ ସେବା ନାରୀ-ଧର୍ମ,

ସ୍ୱାମୀ-ପଦେ ଭର୍କ୍ତି            ଅର୍ଚ୍ଚନାରେ ମତି

ଅର୍ପି ତୁ କରିବୁ କର୍ମ୍ମ ।

 

ସ୍ୱାମୀ ଯା’ କହିବେ            ଦୁଷ୍କର ହେଲେହେଁ

ପାଳନେ ହେବୁ ତତ୍ପର,

ଥରେ ଯା’ ବାରିବେ            ଆଉ ତହିଁ କେବେ

ହେବୁ ନାହିଁ ଅଗ୍ରସର ।

 

ଦୁଃଖ ଥିଲେ ମନେ            ଦୂର କରିବୁ ତା’

ସ୍ୱାମୀ-ଦରଶନ ମାତ୍ର,

ପରିହାସ କଲେ            ତାଙ୍କୁ ନ ମଣିବୁ

ପ୍ରତି-ପରିହାସ-ପାତ୍ର ।

 

ସ୍ୱାମୀଙ୍କ ଭୋଜନ            ପରେ ତୁ ଭୁଞ୍ଜିବୁ

ଶୋଇବୁ ଶୟନ ପରେ,

ସ୍ୱାମୀଙ୍କର ଶଯ୍ୟା            ତେଜିବା ପୂର୍ବରୁ

ଉଠୁଥିବୁ ପ୍ରତ୍ୟୁଷରେ ।

 

ଅବସର ଦେବୁ            ନାହିଁ ତୋ’ ନେତ୍ରକୁ

ପର ପୁଂସ-ନିରୀକ୍ଷଣେ,

ସୋଦର ହେଲେହେଁ      ନିର୍ଜନେ ନିକଟେ

ରହି ଦେବୁ ନାହିଁ କ୍ଷଣେ ।

 

ସ୍ୱାମୀ ଯେବେ ରୋଷ      କରିବେ ଅଥବା

କରିବେ ଯଦି ଭର୍ତ୍ସନା,

ସେ ଦୋଷ ନ ଘେନି      ନତ-ଶିରେ ସହି

କରିବୁ ତାଙ୍କ ଅର୍ଚ୍ଚନା ।

 

ନିଜ କରେ ରାନ୍ଧି            ନିଜେ ଦେଉଥିବୁ

ପତିଙ୍କି ଅନ୍ନ ବ୍ୟଞ୍ଜନ,

ଭୋଜନ ସମୟ            ପାଶେ ଉଭାହୋଇ

ଚାଳିବୁ ଧରି ବ୍ୟଜନ ।

 

ସ୍ୱାମୀ-ସେବା-କାର୍ଯ୍ୟେ      ନାରୀ-ପ୍ରତିନିଧି

କଦାପି କରିବୁ ନାହିଁ,

ବିନା ବେତନର            ପରିଚାରିକାକୁ

ଘରୁ ଦେବୁ ଘଉଡ଼ାଇ ।

 

ସ୍ୱାମୀ ତୋ’ ଅବନୀ-      ଭାର ବହିଛନ୍ତି

ତୋ’ ଶିରେ ତାଙ୍କ ଚରଣ,

କେତେ ଧୈର୍ଯ୍ୟ ତୋହୋ      ପାଇଁ ପ୍ରୟୋଜନ

ରଖିବୁ ସଦା ସ୍ମରଣ ।

 

ବାସ-ଭୂଷଣର            ଗର୍ବ ନ କରିବୁ

ଅବା ତହିଁ ପାଇଁ ଅଳି,

ଯାହା ଦେବେ ତୋଷ      ସନ୍ତୋଷେ ଘେନିବୁ

ଜାଣିବୁ ତାହା ତୋ’ ଭଳି ।

 

ଶାଶୁଙ୍କ ଚରଣ            ସେବୁଥିବୁ ନିତି

ଗୃହର ଦେବତା ମଣି,

ଶାଶୁଟି ସ୍ୱାମୀର            ପୂଜା-ସିଂହାସନ

ସର୍ବ ସମ୍ପଦର ଖଣି ।

 

ନଣନ୍ଦ ଅଳିରେ            କେବେ ନ ଚଳିବୁ

ଅଧିକେ କରିବୁ ସ୍ନେହ,

ବିମନ ହେଲେ ସେ            କୋଳକୁ ଆଣିବୁ

ଆଉଁସି ତା’ ମୁଖ ଦେହ ।

 

ଆଉ ଯେତ ପୁର-            ନାରୀ ଥିବେ ତାଙ୍କୁ

କରିବୁ ଭଗିନୀ ଜ୍ଞାନ,

ସେ କଥା କଦାପି            ନ କରିବୁ ଯହିଁ

ହେବ ତାଙ୍କ ଅପମାନ ।

 

ଗୁରୁଜନ କେହି            ପାଶକୁ ଆସିଲେ

ଉଠିବୁ ତେଜି ଆସନ,

ଉଚ୍ଚାସନ ଦେଇ            ବନ୍ଦି ସବିନୟେ

କରିବୁ ମୃଦୁ ଭାଷଣ ।

 

ଉଚ୍ଚହାସ କେବେ            ନ କରିବୁ ପୁଣି

ନ କରିବୁ ଉପହାସ,

ପରିହାସ ଛଳେ            କରିବୁ ନାହିଁଟି

ସଖୀଜନ-ମାନ ହ୍ରାସ ।

 

ନିଜେ ପରିଷ୍କୃତ            ଥାଇ ନିଜ ଗୃହ

ରଖିଥିବୁ ପରିଷ୍କାର,

ପରିଜନଙ୍କର            ଦୁଃଖ ଶୁଣୁଥିବୁ

କରୁଥିବୁ ପ୍ରତିକାର ।

 

ଅନାହତ ହୋଇ            ଆସି କେହି ତୋର

ଅଯଥା ପ୍ରଶଂସା କଲେ,

ଜାଣିଥିବୁ ତାର            ଆଗମନ ତୋତେ

ଠକିବାକୁ କଉଶଳେ ।

 

ସ୍ୱାମୀଦୋଷ, ରୋଷ      ଜନ୍ମାଇବାକୁ ତୋ’

ବର୍ଣ୍ଣିବ ଆସି ଯେ ନାରୀ,

ତା’ କଥା ବିଷମ            ବିଷ ମଣିଥିବୁ

ସେ ଏକା ତୋର ଭଗାରି ।

 

ଏତେ ଦିନଯାଏ            ମଣିଥିଲୁ ପ୍ରିୟ

ସମ୍ପତ୍ତି ତୋ’ ତପୋବନ,

ଏଥର ମଣିବୁ            ଅଖିଳ-ଅବନୀ

ହେଲା ତୋର ପ୍ରିୟଧନ ।

 

ତପୋବନ-ମହୀ-            ରୁହ-ଗତ-ସ୍ନେହ

ମହୀରେ କରିବୁ ନ୍ୟସ୍ତ

ମୃଗ-ମୃଗୀ ଗତ            ମମତା କରିବୁ

ମାନବ-ସମାଜଗତ ।

 

ସ୍ୱାମୀ ତୋର ଋଷି-            ସ୍ୱରୂପ ମଣ୍ଡିତ

କରିଛନ୍ତି ରାଜ୍ୟାଶ୍ରମ,

ସେ ଆଶ୍ରମ-ନୀତି-            ରକ୍ଷଣେ ନିଜର

ଜୀବନ କରିବୁ କ୍ଷମ ।

 

ଉଠ ମା, ଏଥର            ଚାଲ ଶୁଭକ୍ଷଣେ !

ସ୍ୱାମୀ-ପଦ-କଞ୍ଜ-ଧ୍ୟାୟି,

ଗୌତମୀ ସହିତ            ଶିଷ୍ୟ ଦୁଇ ତୋତେ

ତହିଁ ଦେବେ ପହୁଞ୍ଚାଇ ।

 

ଆଗେ ଶାରଦ୍‌ବତ,            ଚାଲି ଦେଖାଅ ତୋ’

ଭଗିନୀର ଗତିପଥ,

ଗୌତିମୀ, ଦୁହିତା            ସଙ୍ଗେ ଚଳ, ହେଉ

ଶାର୍ଙ୍ଗରବ ଅନୁଗତ ।’’

 

ଚାଲିଲେ ଗୌତମୀ            ହସ୍ତିନାଭିମୁଖେ

ଶକୁନ୍ତଳା କର ଧରି,

ଚାଲିଲେ ମୁନୀନ୍ଦ୍ର            ତାପସ-ମଣ୍ଡଳ

ସହ ସର୍ବ ସହଚରୀ ।

 

ଶକୁନ୍ତଳା ପଥେ            ଯାଉଁ ଯାଉଁ ତାର

ତରୁ-ଲତା ଚାହିଁ ଚାହିଁ,

ହୃଦୟ-ପଟରେ            ଚିତ୍ରି ନେଉଥାଏ

ସେନେହ-ରଙ୍ଗେ ରଙ୍ଗାଇ ।

 

ଥରେ ଥରେ ସବୁ            ତରୁ-ଲତା-ଅଙ୍ଗ

କରି ଦେଉଥାଏ ସ୍ପର୍ଶ,

ବିକାଶ ବ୍ୟାଜରେ            ତରୁ-ଲତାଙ୍କର

ହେଉଥାଏ ଲୋମହର୍ଷ ।

 

କେତେକ ଶିଶିର-            ଛଳେ କେତେ ଅବା

କୁସୁମ-ବର୍ଷଣ-ଛଳେ,

ଶକୁନ୍ତଳା-କର-            ସ୍ପରଶ ମାତ୍ରକେ

ଲୋତକ ମୋଚନ କଲେ ।

 

ଯେଉଁସବୁ ତରୁ-            ଲତାକୁ ସୁଶୀଳା

ଛାଡ଼ି ଦେଇଥାଏ କ୍ରମେ,

ବିରହ-ବେଦନା            ଅନୁଭବ ଯେହ୍ନେ

କରୁଥାନ୍ତି ମର୍ମେ ମର୍ମେ ।

 

ବନେ ମୁହୁର୍ମୁହୁଃ            ଶ୍ରୁତିଗତ ହେଲା

କପୋତ କରୁଣ ଗାନ,

ସତେ ଯେହ୍ନେ କାନ୍ଦି            ପକାଇଲେ ଦୁଃଖ-

ଭରେ ତରୁ-ଲତାମାନ ।

 

କୁହୁ କୁହୁ ସ୍ୱନେ            ମଧୁରେ ଭାଷିଲା

କୋକିଳ ବନବାନ୍ଧବ,

ଶୁଭ ଗମନରେ            ବନଦେବୀ ଯେହ୍ନେ

କଲେ ହୁଳହୁଳି ରବ ।

 

ହରିଣ ହରିଣୀ            ମୟୂର ମୟୂରୀ

ଆହାର ବିହାର ଛାଡ଼ି,

ଦୁଃଖିତ ନୟନେ            ଅନାଇ ରହିଲେ

ପଥ-ପାର୍ଶ୍ୱେ ଧାଡ଼ି ଧାଡ଼ି ।

 

ମୃଗଶିଶୁ ଏକ            ଆସି ଶକୁନ୍ତଳା

ଚରଣ ଦୁକୂଳାଞ୍ଚଳେ,

ଲୁଚି ଲୁଚି ସଙ୍ଗେ            ସଙ୍ଗେ ଚାଲୁଥାଏ

ନ ରହି ହରିଣୀ-ଦଳେ ।

 

କେତେ ଦୂରେ ତାହା      ଜାଣି ଶକୁନ୍ତଳା

ଆଉଁସି ତା’ ଦେହ ମୁଖ,

ସଜଳ ନୟନେ            ପିତାଙ୍କୁ କହିଲା

ପ୍ରକାଶି ହୃଦୟ-ଦୁଃଖ-

 

‘‘ଜାଣ ତାତ ମୋତେ      ଯେମନ୍ତ ସ୍ନେହରେ

ପାଳିଅଛ ତପୋବନେ,

ଆଜନ୍ମ ଜନନୀ-            ହୀନ ଏ ଶିଶୁକୁ

ପାଳିଅଛିଁ ମୁଁ ତେସନେ;

 

ସ୍ନେହ-ରଜ୍ଜୁ ତାର            ଛିଣ୍ଡାଇ ଯିବାକୁ

ମୋ ପ୍ରାଣେ ହେଉଛି କଷ୍ଟ,

ଛାଡ଼ିଗଲେ ମୋତେ            କେତେ ଦିନଯାଏ

ଲୋଡ଼ିବ ହୋଇ ଉତ୍କଣ୍ଠ ।

 

ଅନୁମତି ହେଲେ            ନିଅନ୍ତି ଏହାକୁ

ବୋଲି ହେଉଅଛି ମନ,

ନ ହେଲେ ଛଡ଼ାଇ            ନିଅ ଏ ଶିଶୁକୁ

ମୋତେ ଛାଡ଼ୁଛ ଯେସନ ।’’

 

ଶୁଣି ମୁନିବର            ମୃଗକୁ ଧଇଲେ

ନୟନୁ ବୁହାଇ ବାରି,

ବୋଇଲେ, ‘‘ମା ମୋର, ଜାଣିଲି ମୋ’ ହୃଦ-

ବ୍ୟଥା ଅଛୁ ଜାଣିପାରି ।

 

ମୃଗଶିଶୁ-ରୂପ            ଉଦୟ-ପର୍ବତେ

ଉଇଁଛି ଯେ ସ୍ନେହ-ରବି,

ବ୍ୟାପିବ ତା’କର            ହସ୍ତିନା ନଗର

ରାଜ୍ୟ ଅଚଳ ଅଟବୀ ।

 

ଅରୁଣ ଲୋହିତ            ବରଣ ପରାଏ

ମୃଗଶିଶୁ ଥାଉ ବନେ,

ଯାଅ ମା, ଅଶୁଭ            ଧୂଳିସାତ ହୋଇ

ଲୋଟୁ ତୋ’ ରଙ୍ଗ-ଚରଣେ ।’’

 

କାନନକୁ ଚାହିଁ            ବୋଇଲେ ମୁନୀନ୍ଦ୍ର,

‘‘ଆହେ ତରୁ-ଲତାମାନେ,

ତୁମ୍ଭ ଆଜନମ            ସଖୀ ଯାଉଅଛି

ଆଜି ପତିସନ୍ନିଧ୍ୟାନେ ।

 

ଜଳ ପାନ କରୁ            ନ ଥିଲା ଯେ ଆଗେ

ତୁମ୍ଭଙ୍କୁ ନ ଦେଇ ଜଳ,

ହେଉଥିଲା ତୁମ୍ଭ            ଅଙ୍ଗେ ନବ ପୁଷ୍ପ

ଦେଖିଲେ ମୁଦେ ବିହ୍ୱଳ;

 

ତହିଁପାଇଁ ସଖୀ-            ବୃନ୍ଦ ଘେନି କେତେ

କରୁଥିଲା ମହୋତ୍ସବ,

କେତେ ଯତନରେ            ରଖୁଥିଲା ତୁମ୍ଭ

ନୈସର୍ଗିକ ସଉଷ୍ଠବ;

 

ଭୂଷଣରଙ୍କୁଣୀ            ହୋଇ ଯେ ତୁମ୍ଭର

ଅଙ୍ଗଭଙ୍ଗ ହେବ ଜାଣି,

କେବେହେଁ ତୁମ୍ଭର            ପଲ୍ଲବ ଛେଦନେ

ବଢ଼ାଇ ନ ଥାଏ ପାଣି;

 

ତୁମ୍ଭେମାନେ ଏବେ            ପ୍ରସନ୍ନଭାବରେ

କର ଅନୁମତି-ଦାନ,

ମଧୁମୟ ଶୁଭ-            ମୟ ହେଉ ସେହି

ଶକୁନ୍ତଳାର ପ୍ରସ୍ଥାନ

 

ସରୋଜ-ଶୋଭିତ            ସରୋବରେ ହେଉ

ଗତି-ପଥ ମନୋହର,

ପଦ୍ମ-ବାସ ବହି            ଗନ୍ଧବହ ହେଉ

ଅନୁକୂଳ ସୁଖକର ।

 

ନବ ନବ ଦୃଶ୍ୟ            ନୟନ-ପଥରେ

ହେଉ ତାର ମନୋରମ,

ଛାୟାତରୁ ଶ୍ରମ            ନାଶନ୍ତୁ ଆତପ-

ତାପ କରି ଉପଶମ ।’’

 

କୁମାରୀ ବୋଇଲା,             ‘‘ତାତ, ମୋ ସଙ୍ଗରେ

ନ ଯିବେ କି ସଖୀଦ୍ୱୟ ?’’

ମହର୍ଷି ବୋଇଲେ,            ‘‘ହୋଇଲାଣି ତାଙ୍କ

ବିବାହର ଯୋଗ୍ୟ ବୟଃ ।

 

ରାଜସଦନକୁ            ନଗରକୁ ତାଙ୍କ

ଯିବାର ଉଚିତ ନୁହେ,

ତୋ ସଙ୍ଗେ ଗୌତମୀ      ଯିବେ, ଆଶ୍ରମରେ

ରହିବେ ତୋ ସଖୀ ଦୁହେଁ ।

 

କୁମାରୀ ବୋଇଲା            ‘‘ପିତୃକୋଳ ତେଜି

ସଖୀଙ୍କି ଅନ୍ତର କରି,

ଅଚିହ୍ନିତା ନାରୀ-            ମଣ୍ଡଳୀରେ କେହ୍ନେ

ରହିବି ଜୀବନ ଧରି ?

 

ମଳୟ-ପର୍ବତୁଁ            ଉନ୍ମୁଳିତ ହୋଇ

ଚନ୍ଦନ-ଲତା ଯେସନ,

ଉଦ୍ୟାନକୁ ଗଲେ            ଝାଉଁଳି ପଡ଼ଇ

ମୋ’ ଦଶା ହେବ ତେସନ ।’’

 

ମହର୍ଷି ବୋଇଲେ,            ‘‘ତୋତେ ଲାଭକରି

ରାଜପୁର ନାରୀମାନେ,

ତୋ ପ୍ରାଣ ତୋଷିବେ      ମଧୁର ଭାଷଣେ

ମଧୁମୟ ସୁସମ୍ମାନେ ।

 

ପତିଙ୍କ ସମ୍ପତ୍ତି-            ବନେ ମନ ତୋର

ସୁଖେ କରି ପରବେଶ,

ଆଶ୍ରମ ସ୍ମରଣ            ପାଇଁ ଅବସର

ତୋତେ ଦେବ ନାହିଁ ଲେଶ ।

 

ପ୍ରାଚୀକୋଳେ ରବି            ପରାଏ ତୋ କୋଳେ

ଶୋଭିତ ହୋଇ ନନ୍ଦନ,

କରିଦେବ ରାଜ-            ପୁର ଆଲୋକିତ

ତୋ ହୃଦ-ମୃଦ-ବର୍ଦ୍ଧନ ।’’

 

ସଖୀଏ ବୋଇଲେ,            ‘‘ଆମ୍ଭଙ୍କୁ ସଜନି,

ସମର୍ପୁଛୁ କାହା କରେ ?

ମନେ କରୁଥିବୁ            ରାଜ-ଉପବନେ

ବିଚରଣ ସମୟରେ ।’’

 

ସୁଶୀଳା ବୋଇଲା,            ‘‘ତରୁ-ଲତାଭାର

ରହିଲା ତୁମ୍ଭ ଉପରେ,

ନ ଝୁରିବ ମୋତେ            ମୃଗଶିଶୁ ମଜ୍ଜି

ତୁମ୍ଭର ସ୍ନେହ-କୂପରେ ।

 

ପାଶୁଁ ଗଲି ବୋଲି            ଜାଣୁଛି ଅନ୍ତରୁ

ଅନ୍ତର ମୁଁ ହେବି ନାହିଁ,

ନିଆଳୀ-ମୂଳରେ            ଜଳସେକ କରି

ଦେଉଥିବ ମୋହ ପାଇଁ ।’’

 

ମୁନିପାଦେ ପଡ଼ି            ଉଠି ଶକୁନ୍ତଳା

ଆଲିଙ୍ଗିଲା ସଖୀଦ୍ୱୟେ,

ବଳ୍‌କଳ-ଦୁକୂଳ            ତିନ୍ତାଇ ଲୋତକେ

ଲଗାଇ ହୃଦ ହୃଦୟେ ।

 

ପ୍ରିୟମ୍ୱଦା ସଖୀ            ବୋଇଲା, ‘‘ସଜନି,

ପାସୋରିଛୁଁ ଅଙ୍ଗୁରୀୟ,

ସେ ତୋ ପ୍ରଣୟର             ଆଦ୍ୟ ଉପହାର

ସଯତନେ ସଙ୍ଗେ ନିଅ ।

 

ତାକୁ ନ ଦେଖିଲେ            ପୀରତି ଲାଘବ

ମଣିପାରେ କାନ୍ତ-ମନ,

କାନ୍ତ-ପ୍ରୀତି-ରୂପେ            ନାମାକ୍ଷର ତାଙ୍କ

କରିଥିବୁ ଗଣ୍ଠିଧନ ।’’

 

‘‘ଦୂର ହେଲୁ ଏବେ’’            ବୋଲି ପ୍ରିୟମ୍ୱଦା

ଅନସୂୟା କାନ୍ଦି କାନ୍ଦି,

ଆବାଲ୍ୟସଙ୍ଗିନୀ            ଦୁକୂଳ-ଅଞ୍ଚଳେ

ଅଙ୍ଗୁରୀୟ ଦେଲେ ବାନ୍ଧି ।

 

ଲେଖି ମୁଦିଥିଲେ            ପତ୍ରଟିଏ ମୁନି

ଦେଇ ଶାରଦ୍‌ବତ କରେ,

କହିଲେ ନନ୍ଦିନୀ            ସଙ୍ଗେ ତା ଦେବାକୁ

ଦୁଷ୍ମନ୍ତଙ୍କ ନିକଟରେ ।

 

ପୁନଶ୍ଚ କୁମାରୀ             ବୋଇଲା, ‘‘ପିଅର

କେବେ ପୁଣି ଦରଶନ,

କରିବି ତୁମ୍ଭର            ଚରଣ-କମଳ

ଆସି ଏହି ତପୋବନ ?’’

 

ମହର୍ଷି ବୋଇଲେ,            ‘‘ଯେ କାଳେ ଶୋଭିବ

ତୋ ପୁତ୍ର ମସ୍ତକେ ଛତି,

ସେହି ଛତ୍ର-ଛାୟା ତଳେ      ସ୍ନିଗ୍‌ଧ ହେବ

ସସାଗରା ବସୁମତୀ ।

 

ତୋ ପତି ଏ ବନେ            ବାନପ୍ରସ୍ଥରୂପେ

ହେବେ ମୋକ୍ଷ-ଅଭିଳାଷୀ,

ମୋକ୍ଷ ପାଇଁ ତୁହି            ତାଙ୍କ ପଦ-ସେବା

କରିବୁ ଏ ବନେ ଆସି ।’’

 

ଆଉ ଯେତେ ଥିଲେ      ତାପସ-ତାପସୀ

ସମସ୍ତଙ୍କୁ ଶକୁନ୍ତଳା,

କା’ ପଦ ବନ୍ଦନ            କା’ମୁଖ ଚୁମ୍ୱନ

କାହାକୁ ଆଶ୍ଳେଷ କଲା ।

 

ଚାଲିଲେ ଗୌତମୀ            ଶକୁନ୍ତଳା ସହ

ଶାରଦ୍‌ବତ ତାଙ୍କ ଆଗେ,

ଚାଲିଲେ ତାହାଙ୍କ            ପୃଷ୍ଠରକ୍ଷୀରୂପେ

ଶାର୍ଙ୍ଗରବ ପଛଭାଗେ ।

 

ପ୍ରଣୟ-ସୌରଭ            କ୍ରମେ ବିସ୍ଫାରିତ

ହୋଇ ଶକୁନ୍ତଳା ମନେ,

ପଥକଷ୍ଟ ବଳ-            ପ୍ରାବଲ୍ୟକୁ ତାହା

ବିନାଶ କଲା ଗମନେ ।

 

ଆଶ୍ରମେ ଆସିଲେ            ମୁନି ମହାମନା

ସୁଖ ଦୁଃଖ କରି ସମ,

ତାଙ୍କ ସଙ୍ଗେ ଆସି            ତାପସ-ତାପସୀ

କଲେ ନିଜ ନିଜ କର୍ମ ।

 

ପଞ୍ଚମ ସର୍ଗ

ପୁଷ୍ପେ କୀଟ

 

ହସ୍ତିନା-ଭୂପତି            ବିଜେ କରିଛନ୍ତି

ରତ୍ନମୟ ସିଂହାସନେ,

ସତେ କି ଧରମ-            ମୂର୍ତ୍ତି-ପ୍ରତିବିମ୍ୱ

ଉଜ୍ଜ୍ୱଳ ଜ୍ଞାନ-ଦର୍ପଣେ ?

 

ଉଭୟ ପାର୍ଶ୍ୱରେ            ଶୋଭନ୍ତି ସଚିବ

ଆଦି ସଭାସଦଗଣ,

ନ୍ୟାୟ, ବିବେକାତି            ରହିଛନ୍ତି ଯେହ୍ନେ

ଧରି ନର-ଅପଘନ ।

 

ସଭ୍ୟ ସହ ନୃପ-            ବଦନ ପ୍ରସନ୍ନ

ଉଜ୍ଜ୍ୱଳ ନିର୍ମଳ ଶାନ୍ତ,

ଯଥା ଶାରଦୀୟ            ନକ୍ଷତ୍ର-ମଣ୍ଡଳ-

ମଣ୍ଡିତ ରଜନୀକାନ୍ତ ।

 

ସିଂହାସନ ପାଦ-            ପୀଠରେ ଉଜ୍ଜ୍ୱଳ

ରତ୍ନରାଜି ଥା’ନ୍ତି ଲାଗି,

ରାଜନ୍ୟ-ମଣ୍ଡଳ            ମୁକୁଟ-ରତନେ

ଆଲିଙ୍ଗନ ଦେବା ଲାଗି ।

 

ପାଶେ ରତ୍ନଘଟେ            ରଖା ହୋଇଥାଏ

ଯମୁନାର ସ୍ୱଚ୍ଛ ଜଳ,

ଯାଚକ-ଭୂସୁର            ବାଞ୍ଚା ମହୀରୁହ

କରିବା ପାଇଁ ସଫଳ ।

 

ନୃପ ଦକ୍ଷ କରେ            ପ୍ରଚଣ୍ଡ ପ୍ରଭାରେ

ରାଜୁଥାଏ ରାଜଦଣ୍ଡ,

ଦୁରୁ ଦେଖି ତାହା            ରିପୁବର୍ଗ-ଗର୍ବ

ହୋଇଯାଏ ଖଣ୍ଡ ଖଣ୍ଡ ।

 

ଅବଳ ସକଳ            ଦେଉଥିଲେ ଯେଉଁ

ଗଜମୁକ୍ତା ଉପହାର,

ବାଛି ବାଛି ଯେଉଁ            ରତ୍ନ ଉପହାର

ଦେଇଥିଲା ପାରାବାର;

 

ସଭାମଣ୍ଡପରେ            ଝୁଲୁଥିଲେ ତାହା

ହୋଇ ଅବନତ ମୁଖ,

ପ୍ରଫୁଲ୍ଲିତ ହେଉ-            ଥିଲେ ଲଭି ରାଜ-

ଦଣ୍ଡର ଚଣ୍ଡ-ମୟୂଖ ।

 

ନୃପ ଧନୁର୍ନାଦେ            ରାକ୍ଷସ ସକଳ

ରାଜ୍ୟ ସହ ତେଜି ଦର୍ପ

ଦୂରେ ଲୁଚିଥିଲେ            ଗରୁଡ଼-ଗର୍ଜନ

ଶ୍ରବଣରେ ଯଥା ସର୍ପ ।

 

ହୃଦୟ ଭିତରେ            କ୍ଷମା ନରେଶଙ୍କ

ହୃଦୟ ଉପରେ କ୍ଷୌମ,

ପରିଚ୍ଛଦ ରୂପେ            ଥାଇ ହୋଇଥିଲେ

ଶୋଭା-ରାଜ୍ୟେ ସାର୍ବଭୌମ ।

 

ଅତି ହିଁ ପ୍ରବଳ             ଥିଲା ତାଙ୍କ ଲୋଭ

ଗୁଣୀଗଣଙ୍କର ଗୁଣେ,

ରତ୍ନକୁ ଶିଶିର-            ବିନ୍ଦୁ ମଣୁଥିଲେ

ମାନବ-ଶରୀର ତୃଣେ ।

 

ଜୀବନେ ତାଙ୍କର            ସତ୍ୟ ସହ ଯଶ

ନିତି କରୁଥାନ୍ତି କଳି,

ସ୍ୱଚ୍ଛତା ଉଚ୍ଚତା            ଗୁଣରେ ଥିବାର

ଏକରୁ ଅପର ବଳି ।

 

ଲୋକଙ୍କ ବିବାଦେ            ବିଚାରେ ନିପୁଣ

ଥିଲେ ନିଜେ ନରପତି,

ସତ୍ୟ ଯଶ ବାଦ            ବିଚାର କ୍ଷମତା

ଦେଇଥିଲେ ଲୋକ ପ୍ରତି ।

 

ପର-ପରଶଂସା            ଶୁଣିଲେ ନୃପତି

ହେଉଥିଲେ ଆହ୍ଲାଦିତ,

ତାଙ୍କ କାର୍ଯ୍ୟୁ ଭଲ            କାର୍ଯ୍ୟ କରିବାକୁ

କିନ୍ତୁ ଦେଉଥିଲେ ଚିତ୍ତ ।

 

ଅବିଶ୍ରାମେ ଯଥା            ଚଳନ୍ତି ଭାସ୍କର,

ଅହୋରାତ୍ର ବହେ ବାତ,

କରଗ୍ରାହୀ ନୃପ            ପ୍ରଜାହିତେ ତଥା

ରହିଥାନ୍ତି ଅବିଶ୍ରାନ୍ତ ।

 

ନିଜେ ଦୁଃଖ ସହି            ହରୁଥିଲେ ସଦା

ପ୍ରକୃତି-ପୁଞ୍ଜର ଦୁଃଖ,

ପାଦପ ଯେମନ୍ତ            ଛାୟା ଦିଏ ସହି

ପ୍ରଚଣ୍ଡ ଭାନୁ ମୟୂଖ ।

 

ଶାସନେ ତାଙ୍କର            ଆଲୋକ ଥିଲେହେଁ

ତମ ଥିଲା ଘୋରତମ,

ସେହି ତମ ଭେଦି            କୁପଥ ଗମନେ

କେହି ନୋହୁଥିଲେ କ୍ଷମ ।

 

ସଭା ସମ୍ମୁଖରେ            ଉଭାହୋଇ ଆସି

କରଯୋଡ଼ି ପ୍ରତିହାରୀ,

ଜଣାଇଲା, ‘‘ଦେବ,            କଣ୍ୱ-ଆଶ୍ରମରୁ

ଆସିଛନ୍ତି ତପଶ୍ଚାରୀ ।

 

ଦୁଇ ଜଣ ଋଷି-            ଶିଷ୍ୟ’ ଛନ୍ତି ପୁଣି

ନାରୀ’ ଛନ୍ତି ଦୁଇଜଣ,

କେଜାଣି କି କାର୍ଯ୍ୟେ      ଇଚ୍ଛା କରୁଛନ୍ତି

ଶ୍ରୀଛାମୁଙ୍କ ଦରଶନ ।

 

ନାରୀଙ୍କ ମଧ୍ୟରେ            ଏକ ଅଛି ବୃଦ୍ଧା

ତରୁଣୀ ଅଛି ଅପର,

ମନେ କରଇଁ ସେ            ଋଷିକନ୍ୟା ନୁହେ,

ହେଲେ ବା ହେବ ଅପ୍‌ସରା ।

 

ତାପସଙ୍କ ମଧ୍ୟେ            ତରୁଣୀର ରୂପ

ଦିଶୁଛି ଲାବଣ୍ୟମୟ,

ପାଣ୍ଡୁର-ପତନ-            ମଧ୍ୟେ ମନୋରମ

ଯଥା ନବ କିଶଳୟ ।

 

ପଠାଇଅଛନ୍ତି            ପରା ମୁନିବର

ପତ୍ର ଦେଇ ତାଙ୍କ ହସ୍ତେ,

ଆଜ୍ଞା ହେବ ଯେବେ      ଉପଗତ ହେବେ

ଛାମୁରେ ଆସି ସମସ୍ତେ ।’’

 

ପ୍ରତିହାରୀ କଥା            ଶୁଣି ମହାରାଜ

ଚମତ୍କାର ମଣି ମନେ,

ବୋଇଲେ, ‘‘ସତ୍ୱର            ନିଅ ତାଙ୍କୁ ମୁହିଁ

ଯାଉଛି ଅଗ୍ନି-ଭବନେ ।’’

 

ଶକୁନ୍ତଳା ଏଣେ            ସିଂହଦ୍ୱାରେ ଥାଇ

ବିଚାରୁଛନ୍ତି ଅନ୍ତରେ,

‘‘ଏହିକ୍ଷଣି କାନ୍ତ            ଆସିଯିବେ ପରା

ମୋ ଆସିବା ଉଦନ୍ତରେ ।

 

କେଜାଣି ଆପଣେ            ନିଜେ ହସି ହସି

ନେବେ ମୋର କର ଧରି,

ଅଥବା ସାଦରେ            ଘେନିଯିବା ଲାଗି

ପଠାଇବେ ସହଚରୀ !

 

ଯାହା ହେଉ ଆଉ            ସ୍ୱାମୀ-ଦରଶନେ

ଅଧିକ ବିଳମ୍ୱ ନାହିଁ,

କେଉଁଠାକୁ ନେବେ,            ହେବ ସୁସଜ୍ଜିତ

କେଉଁ ଗୃହ ମୋହ ପାଇଁ ?

 

କେତେ କେତେ ଘର      କେମନ୍ତ ସୁନ୍ଦର

ଶାଳତରୁ ଜିଣି ଉଚ୍ଚ,

କେମନ୍ତ ଧବଳ            ରାଜହଂସ-କାନ୍ତି

ଏହା ତୁଲେ ହେବ ତୁଚ୍ଛ ।

 

କେମନ୍ତେ ଚିହ୍ନିବି            କିଏ ଶ୍ୱଶ୍ରୂ ଦେବୀ,

କିଏ ବା ଥିବେ ନଣନ୍ଦ,

କାହାକୁ ସାଦରେ            ଆଲିଙ୍ଗିବି ତହିଁ

ବନ୍ଦିବି କାହାର ପଦ ?’’

 

ବୃଥା କିପାଁ ଏତେ            ଭାବନା ଭାବିନି !

ଭବିତବ୍ୟ ଅଛି ଆନ,

ଭବିଷ୍ୟତ-ପୁର-            ପ୍ରବେଶ-କ୍ଷମତା

ଲଭି ନାହିଁ ନର-ଜ୍ଞାନ ।

 

ଏମନ୍ତ ସମୟେ            ପ୍ରତିହାରୀ ଆସି

ଜଣାଇ ରାଜସମ୍ମତି,

ଆଗନ୍ତୁକ ଚାରି-            ଜଣେ ଘେନିଗଲା

ଅଗ୍ନିଗୃହେ ନୃପ କତି ।

 

ଦେଖିଲେ ନରେଶ            ତାପସଙ୍କ ମଧ୍ୟେ

ରୂପବତୀ ସୁକୁମାରୀ,

ପ୍ରସ୍ତର ଭିତରେ            ହୀରାଖଣ୍ଡ ପରି

ସହଜେ ହେଉଛି ବାରି ।

 

ତାପସମାନଙ୍କୁ            ପ୍ରସନ୍ନ ବଦନେ

ରାଜା କରି ସମାଦର,

ପୁଚ୍ଛିଲେ କୁଶଳ            ତାଙ୍କ, ମୁନିଙ୍କର,

ତଥା ଆଶ୍ରମପଦର ।

 

ଶାରଦ୍‌ବତ ଦେଲେ            ଉତ୍ତର କୁଶଳ

ଥିବାର ସେ ସମୁଦାୟ,

ପୁଣି ପଚାରିଲେ            ନରେଶ ତାଙ୍କର

ଆଗମନ-ଅଭିପ୍ରାୟ ।

 

ଶାରଦ୍‌ବତ କଣ୍ୱ-            ପ୍ରେରିତ-ପତ୍ରିକା

ଦେଲେ ନରବର-କରେ,

ମୁଦ ଫେଇ ମୁଦେ            ପଢୁଁ ପଢୁଁ ନୃପ

ବିସ୍ମିତ ହେଲେ ଅନ୍ତରେ ।

 

ଶକୁନ୍ତଳା ଆଶା            ଦଗ୍‌ଧ ହୋଇଯିବ

ଅନଳ-ଗୃହ-ଅନଳେ,

ଏ ବିଶ୍ୱାସ ତିଳ-            ମାତ୍ର ଥିଲା ନାହିଁ

ତାହାର ହୃଦ-କମଳେ ।

 

ପତ୍ର ପଢ଼ି ଥରେ            ଶୂନ୍ୟେ ଅନାଇଲେ

ସେ ପତ୍ର ପଢ଼ିଲେ ପୁଣି,

କେମନ୍ତ କଥା ଏ            ବୋଲି ପୁନଃ ପୁନଃ

ମନେ ମନେ ହେଲେ ପୁଣି ।

 

ବିଶ୍ରଦ୍ଧ ନୟନେ            ଶକୁନ୍ତଳା ପ୍ରତି

ଚାହିଁ ଚାହିଁ ବାରମ୍ୱାର,

ବିଷଣ୍ଣ ହୃଦୟେ            ପୁଣି ବିଚାରିଲେ,

‘‘ଏ ତ ବଡ଼ ଚମତ୍କାର !

 

ଚିତ୍ର ନୁହେ ଶଠ-            ଜନ ଶତ ଶତ

ଶାଠ୍ୟ କଲେ ଏ ସଂସାରେ,

ଚିତ୍ର ଶତାଂଶରେ            ଶାଠ୍ୟ ଦେଖାଗଲେ

ଏକା ସାଧୁ-ଜନଠାରେ ।

 

ଶତ ଶାଠ୍ୟୁଁ ବଳି            ମୁନିଙ୍କ ପତ୍ରରେ

ପୂରିଅଛି ଯେଉଁ ଶାଠ୍ୟ,

ମୁନି ହେଲେ ଜଟ            ଛିଣ୍ଡାଇ ମରନ୍ତେ,

ଏ କି ଶ୍ରାବ୍ୟ, ଏ କି ପାଠ୍ୟ ?

 

ସତ୍ୟ ନା କୁହୁକ            ବୁଝିପାରୁନାହିଁ,

କି ଦେବି ଏଥି ଉତ୍ତର ?

ପଠନଭ୍ରମ ବା            ବୋଲି ଆଉ ଥରେ

ପଢ଼ିଲେ ପୁଣି ପତର ।

 

ଯାହା ପଢ଼ିଥିଲେ            ତାହା ଲେଖା ଅଛି

ପୁନଶ୍ଚ ବିଚାର କଲେ,

‘‘ନିଶ୍ଚୟ ଦଇବୀ            ମାୟା ଏହା ମୋତେ

ଠକିବାକୁ କଉଶଳେ ।

 

ନ ହେଲେ ଏପରି            ସୁନ୍ଦରୀ ହୁଏ କି

ଅବନୀ ତଳେ ସମ୍ଭବ ?

ପୁଣି ବୃଦ୍ଧ କଣ୍ୱ            ମୁନିଙ୍କ ଦୁହିତା

ହେବା ତହୁଁ ଅସମ୍ଭବ ।

 

ମୁନି-କନ୍ୟା ଦେହେ            ମଣ୍ଡିତ ହୋଇଛି

ସ୍ୱର୍ଗୀୟ ଭୂଷଣରାଶି,

ମୁଁ କି ଏଡ଼େ ମୂର୍ଖ;            ଏତକ ନ ବୁଝି

ଏ ପତ୍ରେ ହେବି ବିଶ୍ୱାସୀ ?

 

ଆସ ଜ୍ଞାନ, ଆସ            ବିବେକ, ମୋ’ ହୃଦେ

ବସି ଦିଅ ମୋତେ ବଳ,

ଉଚିତ ଉତ୍ତର            ଦେବି, ଏ ଘଟଣା

ହେଉ ସତ୍ୟ ଅବା ଛଳ ।’’

 

ବୋଇଲେ, ‘‘ତାପସ-      କୁମାର, ପଠନେ

ବୁଝିଲି ପତ୍ରିକା ମର୍ମ,

ଯାହା ଲେଖିଛନ୍ତି            ମୁନି ତାହା ମୋର

ଧର୍ମ ନୁହେ, ନୁହେ କର୍ମ ।

 

ଏ ନାରୀ ସହିତ            କେବେ କାହିଁ ମୋର

ହୋଇ ନାହିଁ ପରିଣୟ

କୁରୁବଂଶୀ ଆଗେ            ଦେଖାଗଲା ଆଜି

ଅଭିନବ ଅଭିନୟ ।

 

ଯଦି ଗର୍ଭବତୀ            ନ ଥା’ନ୍ତା ଯୁବତୀ,

ନୋହିଥାନ୍ତା ବିବାହିତା,

ତେବେ ମହର୍ଷିଙ୍କ            ଆଦେଶ ପାଳନେ

ନ ଥିଲା ମୋ କିଛି ଚିନ୍ତା ।

 

କେମନ୍ତେ ବଳିଲା            ମନ ମୁନିଙ୍କର

ନିଜେ ହୋଇ ପୁରୁବଂଶୀ,

ସ୍ୱକୀୟ ବଂଶର            କୀର୍ତ୍ତି-କଳାକର-

ଅଙ୍ଗେ ଢାଳିବାକୁ ମସୀ !’’

 

ଶାରଦ୍‌ବତ ଚଳି            ବୋଇଲେ,‘‘ନରେଶ,

ସବୁ କଥା କି ଅନୃତ ?’’

ହସି ନରପତି            ବୋଇଲେ,‘‘ତାପସ,

ଇନ୍ଦ୍ରଜାଲ ଏ ପ୍ରକୃତ ।’’

 

ଶାରଦ୍‌ବତ-

‘‘ଦେଖ ଶକୁନ୍ତଳା,            ଫିଟାଅ ନରେନ୍ଦ୍ର

ନୟନ-ତିରସ୍କରଣୀ,

ପ୍ରତିପନ୍ନ କର            କେଉଁ ରୂପେ ତୁମ୍ଭେ

ହୋଇଛ ତାଙ୍କ ଘରଣୀ ?’’

 

ଶକୁନ୍ତଳା-

‘‘ବୁଝିପାରୁ ନାହିଁ,            ସତ୍ୟ କି ଏ କଥା

ଚଳୁଅଛି ପରିହାସ,

 

ମୋ’ ମନ ପରୀକ୍ଷା            କରୁଛନ୍ତି ବୋଲି

ହେଉଛି ଦୃଢ଼ ବିଶ୍ୱାସ ।

 

କେତେ ରଙ୍ଗେ ଭାଷା      କରନ୍ତି ନରେଶ

ବୁଝିବ ବୁଝିବା ଲୋକ,

ଭିନ୍ନ ଭିନ୍ନ ଅର୍ଥ            ବହି ବିରଚିତ

ହୋଇଥାଏ ତାଙ୍କ ଶ୍ଲୋକ ।’’

 

ଦୁଷ୍ମନ୍ତ-

‘‘ସତେ କି ସୁନ୍ଦରି !            ଚିହ୍ନିଅଛ ମୋତେ

ମୁଁ ଧରିଛି ତୁମ୍ଭ କର ?

ସତେ କି ବଲ୍ଲଭ-            ରୂପେ ଦେଖିଅଛ

ବଦନକୁ ଦୁଷ୍ମନ୍ତର ?

 

ଶକୁନ୍ତଳା-

‘‘ଯେଉଁ ବଚନ ମୋ’      ଜୀବନ କିଣିଲା

ଶୁଣୁଅଛି ସେହି ସ୍ୱର,

କମଳିନୀ କେବେ            ବିକଶିଅଛି କି

ନ ଚାହିଁ ନିଜେ ଭାସ୍କର ?’’

 

ଦୁଷ୍ମନ୍ତ-

‘‘ଭଲକରି ଥରେ            ଦେଖ କିନା ମୁଁ କି

ଯାଇଥିଲି ତୁମ୍ଭ ପାଶ ?

ତୁମ୍ଭ ପରିଣେତା            ମୁହିଁ ଥିବାର କି

କରୁଛ ଦୃଢ଼ ବିଶ୍ୱାସ ?’’

 

ଶାରଦ୍‌ବତ-

‘‘ଦେଖ ନା ନୃପଙ୍କ            ବଦନ, ବିବାହ-

କଥା କର ପ୍ରତିପନ୍ନ ।

 

ଶକୁନ୍ତଳା-

‘‘ ସ୍ୱାମୀ ଥିବା ଯେବେ      ସମ୍ମତ ନୁହନ୍ତି

ଦେଖିବି କିହିଁ ଲପନ ?

 

ତେବେ ତାଙ୍କ ପ୍ରୀତି-      ଉପହାର ଅଛି

ନାମାଙ୍କିତ ଅଙ୍ଗୁରୀୟ,

ପ୍ରଣୟ-ପ୍ରମାଣ            ତାହା ମୋର ନେଇ

କରପଦ୍ମେ ତାଙ୍କ ଦିଅ ।’’

 

ନରେଶ ବୋଇଲେ,            ‘‘ତାହା ଯଦି ଅଛି

ଏତେ କଥା କାହିଁ ପାଇଁ ?’’

ସୁନ୍ଦରୀ ଚଞ୍ଚଳେ            ଦେଖିଲା ଅଞ୍ଚଳେ

ଗଣ୍ଠି ନାହିଁ, ମୁଦି ନାହିଁ ।

 

ଏ କାନି ସେ କାନି            ଦେଖିଲେ ବ୍ୟାକୁଳେ,

ସତ୍ତା ନାହିଁ ମୁଦ୍ରିକାର,

ପୂର୍ବରୁ ବିପଦ            କରି ଦେଇଅଛି

ନିଜ ପଥ ପରିଷ୍କାର ।

 

ଚାହିଁ ନରପତି            ସହାସେ ବୋଲନ୍ତି,

‘‘ଦେଖ କର ଅନ୍ୱେଷଣ,

ପ୍ରମାଣିତ ହେଉ,            ଦୂଷ୍ମନ୍ତ ନୃପତି

କରଇ ମିଥ୍ୟା ଭାଷଣ ।

 

ଦେଖ ହେ ତାପସ,            ବିଳମ୍ୱ କାହିଁକି

ଦେଖାଅ ମୁଦ୍ରିକା ଆଣି,

ହେବ ଏହିକ୍ଷଣି            ତୁମ୍ଭ ତପସ୍ୱିନୀ

ହସ୍ତିନାର ପାଟରାଣୀ ।’’

 

ଅପମାନଭରେ            ଶକୁନ୍ତଳା-ହୃଦ

କମ୍ପିଗଲା ଥରଥର,

ନୟନ-ଯୁଗଳୁଁ            ଅଶ୍ରୁ ଦୁଇ ଧାର

ବହିଗଲା ଦରଦର ।

 

ସଖୀ କହିଥିଲା,            ଯାହା ତା’ ପ୍ରାଣର

ପ୍ରଣୟ-ମନ୍ଦିର-କଞ୍ଚି;

ହଜାଇ ତା’ ହେଳେ            ଅସମ୍ଭବ ମନେ

ହେଲା ରହିବାର ବଞ୍ଚି ।

 

ଅନ୍ଧକାରମୟ            ଦିଶିଲା ଜଗତ,

ସ୍ଫୁରି ନ ପାରିଲା ଭାଷା,

ତେଣୁ ପରିଣତ            ହୋଇ ଉଡ଼ିଗଲା

ହିମାଳୟ ତୁଲ୍ୟ ଆଶା ।

 

ଜାଣି ନ ପାରିଲେ            ଅପଘନେ ତାଙ୍କ

ଅଛି କି ନା ଆଉ ପ୍ରାଣ,

କାହିଁ ଯିବେ ଅବା            କେମନ୍ତେ ରହିବେ

ତହିଁକି ନ ହେଲା ଜ୍ଞାନ ।

 

ଢଳି ପଡ଼ୁ ପଡ଼ୁ            ଗଉତମୀ ଧରି

ବସିଗଲେ ଭୂମିତଳେ,

ପରାଣ ଅଛି କି            ନାହିଁ ବୋଲି ମୁଖ

ଚାହିଁଲେ ଅତି ବିକଳେ ।

 

ହାହାକାର କରି            ତାପସ-ଯୁଗଳ

ବଦନେ ସିଞ୍ଚିଲେ ଜଳ,

ଦେଖିଲେ ନାସିକା-            ବାୟୁ ଅଛି, କିନ୍ତୁ

ନୟନ-ତାରା ନିଶ୍ଚଳ ।

 

ନୃପତି ବୋଇଲେ,            ‘‘କାହିଁକି କରୁଛ

ଏ ତାରୁଣ ଅଭିନୟ,

କେଉଁ ଲାଭ ଆଶା            ଅଛି ତାହା ବେଗେ

କହନା କରି ନିଶ୍ଚୟ ।’’

 

ଶାର୍ଙ୍ଗରବ କ୍ରୋଧେ            ବୋଇଲେ, ‘‘ଆମ୍ଭର

ନାହିଁ ଧନେ ପଣେ ଆଶ,

ଏହି ଅଭିନୟ            ଅଧିନାୟକର

ହେବ ଏକା ସର୍ବନାଶ !

 

ଆବାଲ୍ୟ ଆଶ୍ରମ-            ଲାଳିତା ସରଳା

ମାୟାବନୀ ହେବା ବାଣୀ,

ହାୟ ରେ ଦଇବ,            ହାୟ ଧର୍ମଦେବ,

ଏଥି ଶୁଣାଇଲ ଆଣି !

 

ପର-ପ୍ରବଞ୍ଚନା            ଅବଳ-ଗଞ୍ଜନା

ହେଲା ଏବେ ରାଜଧର୍ମ,

ଲକ୍ଷ୍ମୀଦେବି ! ତୁମ୍ଭେ      କେଉଁ ଲୋଭେ ପଡ଼ି

ତେଜିପାରୁନାହିଁ ହର୍ମ୍ୟ ।’’

 

ବୋଇଲେ ନରେଶ,            ତରୁଣ ତାପସ,

କରୁଣେ ମିଶାଇ କ୍ରୋଧ,

ବାଳ-ଚପଳତା            କିପାଁ ଦେଖାଉଛି

ନ ନେଇ ବିଷୟବୋଧ ?

 

ତରୁଣୀର ଦଶା-            ଦର୍ଶନେ ସହସା

ତନୁ ହୁଏ ଲୋମାଞ୍ଚିତ;

ମଣଇଁ, ମୋ ନାମ            କହି କେହି ତାକୁ

କରିଅଛି ପ୍ରବଞ୍ଚିତ ।

 

ଶୋଭାବତୀ ଶୋଭା-      ସରିତରେ ଦେବେ

ହୋଇଯିବେ ଲୋଭାନ୍ୱିତ;

କପଟେ ଲମ୍ପଟ            କେହି ତହିଁ ଚାହିଁ

ହୋଇଥିବ ନମଜ୍ଜିତ ।

 

ଶାର୍ଙ୍ଗ-

‘‘ଦେବେ ଯେବେ ଲୋଭେ      ପଡ଼ନ୍ତେ କାହିଁକି

ନେଇଥାନ୍ତେ ତୁମ୍ଭ ନାମ ?

ଦିବ୍ୟ ରୂପ ବହି            ପ୍ରଣୟେ କି ହୋଇ

ନ ପାରନ୍ତେ ସିଦ୍ଧକାମ ?

 

ଦୁଷ୍ମନ୍ତ-

‘‘ସ୍ୱଭାବତଃ ନାରୀ            ଦେବେ ଏଡ଼ି ଲୋଡ଼ି-

ଥାଏ ନର-ପ୍ରୀତି-ପାଶ,

ନଳ ରୂପ ଧରି-            ଥିଲେ ଦେବେ ବହି

ଦମୟନ୍ତୀ-ଲାଭ-ଆଶ ।’’

 

ଶାର୍ଙ୍ଗ-

‘‘ସତ୍ୟ ଅପଳାପ            ନ ହେଉ, ସନ୍ତାପ

ନ ପଶୁ ସାଧୁ ଜୀବନେ,

 

ଏହା ଆମ୍ଭ ଶିକ୍ଷା            ଏହା ଧର୍ମଦୀକ୍ଷା,

ଏହା ଆମ୍ଭ କାର୍ଯ୍ୟେ ମନେ ।

 

କର୍ମଫଳ ପ୍ରାଣୀ            ଅବଶ୍ୟ ଭୁଞ୍ଜଇ

କେ କରିପାରିବ ଆନ,

ଶତ ପ୍ରତିଷେଧ            ଲଙ୍ଘି ପଶିଥାଏ

କର୍ମଫଳ ବଳବାନ ।

 

ରହ ଶକୁନ୍ତଳା,            ଧର୍ମ ଅନୁସରି

କର୍ମଫଳ କର ଭୋଗ,

ବୃଥା ଆମ୍ଭେ ଆଉ            କରି ନ ପାରିବୁଁ

ଅପଧର୍ମ ଅନୁଯୋଗ ।

 

ଶାରଦ୍‌ବତ ଭାଇ,            ଚାଲ ଆଗ ହୋଇ

ରହି ନ ପାରିବା କ୍ଷଣେ,

ଚାଲ ଗଉତମି,            ନ ହେଲେ ପଡ଼ିବା

ମହାପାପ-ଆକ୍ରମଣେ ।’’

 

ତାପସଙ୍କ ସହ            ଚଳିଲେ ଗୌତମୀ

ଦୁଃଖିନୀକି ଦେଇ କାନ୍ତେ,

 

ଜ୍ଞାନ-ଛାୟା ଲଭି            ମଣିଲା ଦୁଃଖିନୀ

ସମର୍ପିତ ହେଲା କାନ୍ତେ ।

 

ତାପସଙ୍କ ରୀତି            ବିଲୋକି ବୋଇଲେ

ନରପତି ଉପହାସେ,

‘‘ଧନ୍ୟ ହେ ତାପସ !            କର୍ମଫଳ ରଖି

ଦେଇଯାଉଛ ମୋ ପାଶେ ।

 

ପୁରୁବଂଶ ହେବ            ବିସ୍ତୃତ-ବିଶ୍ରୁତ-

କୀରତି ଜାର-ସନ୍ତାନେ ।’’

ଶୁଣି ବିମୁଗ୍‌ଧାର            ଆଶା-ଲତା ନବ

ପଲ୍ଲବିତ ହେଲା ପ୍ରାଣେ ।

 

‘ଜାର’ ଶବ୍ଦ ‘ଯାର’            ବୁଝିଲା ସରଳା

ଅକ୍ଷରଭେଦ ନ ବାରି,

ଭୀମ-ବଜ୍ର-ନାଦ            ନ ଗଣି ଚାତକୀ

ପାନ କରେ ଘନ ବାରି ।

 

ଯେଉଁ ସୁଧାକରୁଁ            ସୁଧା ପାନ କରି

ଚକୋରୀ ଥାଏ ଜୀବନେ,

 

ସେହି ଚନ୍ଦ୍ରମାରୁ            ଗରଳ ଝରିବା

କେମନ୍ତେ ଭାବିବ ମନେ ?

 

ଯେଉଁ ନୃପ-ପ୍ରେମ-            ଜଳେ ନିମଜ୍ଜିତ

ହୋଇଅଛି ପ୍ରେମଶୀଳା,

କେମନ୍ତେ ମଣନ୍ତା            ସେହି ପ୍ରେମ-ଜଳ

ପାଲଟିଛି ହିମଶିଳା ।

 

ସମୁଳେ ‘‘ତଥାସ୍ତୁ’’            ଉଚ୍ଚାରି ତାପସେ

ବାହାରିଗଲେ ଚଞ୍ଚଳ,

କାଳେ ପୁରୁବଂଶେ            କୁନ୍ତୀର ଉଦରେ

ଫଳିଲା ସେହି ସୁଫଳ ।

 

ସାଧୁ ପ୍ରତି କରି            ଉପହାସ କେହି

ପାଇ ନ ପାରନ୍ତି ପାର,

ସାଧୁ-ଅଙ୍ଗେ ପଡ଼ି            ଉପହାସ ପୁଣି

ସାଧିଥାଏ ଉପକାର ।

 

ଶକୁନ୍ତଳା ଯେଉଁ            ଭାବରେ ବୁଝିଲେ

ତାହା ମଧ୍ୟ ନୁହେ ବ୍ୟର୍ଥ,

 

ପୁତ୍ର ତାଙ୍କ ହେଲେ            ଜନନୀ-ମାନସ-

ସିଦ୍ଧି-ସାଧନେ ସମର୍ଥ ।

 

ସ୍ୱଭାବ-ସାଧବ            ସରଳ ହୃଦୟେ

ହୁଡ଼ିଯାନ୍ତି ଯେବେ ପଥ,

ବିଧାତା ସେ ଦୋଷ            କ୍ଷମ ସିଦ୍ଧ କରେ

ତାଙ୍କ ଶୁଭ-ମନୋରଥ ।

 

ସଂଜ୍ଞା ଉପଗତ            ହୋଇଗଲା ଆସି

ବିମୁଗ୍‌ଧାର ଅପଘନେ,

ପ୍ରତ୍ୟାଖ୍ୟାନ କଥା            ସବୁ ପରିହାସ

ବୋଲି ବୋଧକଲେ ମନେ ।

 

ପରିହାସ-ପଟୁ            ନୃପମଣି ବୋଲି

ଜାଣି ତ ଥିଲେ ଦୁଃଖିନୀ,

ବିଷକୁ ପୀୟୂଷ            ବିଶ୍ୱାସେ ପିଇଲେ

ଥିବାରୁ ପ୍ରେମ-ଭୋଖିନୀ ।

 

ବିରାଜିଲା ତାଙ୍କ            ବଦନର ଜ୍ୟୋତି

ବିମାର୍ଜିତ ହେଲା କାନ୍ତି,

 

ରାଜଲକ୍ଷ୍ମୀ କି ଏ            ମୂର୍ତ୍ତିମତୀ ବୋଲି

ରାଜା-ମନେ ହେଲା ଭ୍ରାନ୍ତି ।

 

ରାଜଲକ୍ଷ୍ମୀ ଭାର            ହୋଇଥିଲା ତାଙ୍କ

ଜୀବନର ସୁଖକର,

ଏହି ରାଜଲକ୍ଷ୍ମୀ            ଭାର ହେଲା କିନ୍ତୁ

ଦୁର୍ବହ ଦୁଃସହତର ।

 

କର୍ତ୍ତବ୍ୟର ବିମୂଢ଼            ହୋଇ ମହାରାଜ

ରହିଲେ ବିଷମ କଷ୍ଟେ,

ବୁଚାରିଲେ ମନେ            ଚୁଚୁନ୍ଦ୍ରା ସହସା

ପଶିଗଲା ନାଗ କଣ୍ଠେ ।

 

ନୃପ-ଭାବ ଦେଖି            ପୁରୋଧା ବୋଇଲେ,

‘‘ନରେନ୍ଦ୍ର ନ ହୁଅ ଖିନ୍ନ,

ତୁମ୍ଭର କୁମର            ଜନ୍ମିବ ଶରୀରେ

ବହି ଚକ୍ରବର୍ତ୍ତୀ ଚିହ୍ନ ।

 

କେତେ ମୁନି କେତେ      ଗଣକ ଏ କଥା

କହିଛନ୍ତି ବାରମ୍ୱାର,

 

ସେହିଟି କେବଳ            ପ୍ରକୃଷ୍ଟ ଉପାୟ

କଣ୍ୱ-ପତ୍ର ପରୀକ୍ଷାର ।

 

ପ୍ରସୂତିକା ହେବା-            ଯାଏ ବରାରୋହା

ରକ୍ଷିତା ହେଉ ଯତନେ,

ତା’ପରେ ଗ୍ରହଣ            ଅବା ନିଗ୍ରହଣ

ଯା’ ହେବ ଛାମୁଙ୍କ ମନେ ।’’

 

ସଙ୍କେତେ ସମ୍ମତି            ବିଜ୍ଞାପିଲେ ନୃପ

ତାଙ୍କ ଗୃହେ ନେବା ପାଇଁ,

ସରଳହୃଦୟା            ବିନମ୍ରବଦନା

ବାମା ତା’ ଜାଣଇ ନାହିଁ ।

 

ବାମାକୁ ପୁରୋଧା            ବୋଇଲେ, ‘‘ଆସ ମା,

ସଦନକୁ ଯିବା ଆସ,

ଧର୍ମବଳ ତୋର            ସୁଖ ସମ୍ପାଦିବ

ଧରମେ ରଖ ବିଶ୍ୱାସ ।

 

ଚାଲିଲେ ପୁରୋଧା,            ଗଲେ ଶକୁନ୍ତଳା

ତାଙ୍କ ପଦ କରି ଲକ୍ଷ୍ୟ,

 

ଅଭାଗିନୀ ମନେ            କଲେ ଯାଉଛନ୍ତି

ପ୍ରାଣେଶ-ନିବାସ-କକ୍ଷ ।

 

ଜାଣିଥାନ୍ତେ ଯଦି            ଗତି ହେଉ ନାହିଁ

ପତିଙ୍କ ପୁଣ୍ୟ ପ୍ରାସାଦ,

ଜୀବନ ସଂଶୟ            ହୋଇଥାନ୍ତା, କାହିଁ

ଚଳିଥାନ୍ତା ଅବା ପାଦ ?

 

କିଛି ଦୂର ଯାଇଁ            ପଥେ ଉଭା ହୋଇ

ଅପୂର୍ବ ଏକ ସୁନ୍ଦରୀ,

‘ଆସ ବତ୍ସେ, ଆସ            ମୋ ପୁରକୁ’ ବୋଲି

ନେଲା ବାଳା-କର ଧରି ।

 

‘ଏ କି ଏ କି’ ବୋଲୁଁ            ବୋଲୁଁ ପୁରୋହିତ

ଜାଣି ନ ପାରିଲେ ଆଉ,

କେଉଁ ଦିଗେ ଘେନି-      ଗଲା ସେ ରମଣୀ,

ଆସିଥିଲା ଅବା କାହୁଁ ?

 

ବାମା ନିରୁଦ୍ଦେଶ            ବାରତା ଜାଣିଲେ

ପୁରୋଧା-ମୁଖୁଁ ନରେଶ,

 

ଜାଣି ନ ପାରିଲେ            କରିଛି ପ୍ରଣୟ

ପୁଷ୍ପେ କୀଟ ପରବେଶ ।

 

ମତି ଯା’ର ଶୁଭ            ଗତିରେ ତା’ ଶୁଭ

ଉଭା କରିଦିଏ ଧର୍ମ,

ଶକୁନ୍ତଳା ଯହିଁ            ରହିଲା ସେ ପୁର

ଦୁଃଖ-ବିଶିଖର ବର୍ମ ।

 

Unknown

ଷଷ୍ଠ ସର୍ଗ

ପ୍ରଣୟ-ଫଳ

 

ଶିଶିର-ସଦନେ            ଜନ୍ମିଲା ନନ୍ଦନ

ମନୋହର ରୂପବନ୍ତ,

ତା’ ଦେଖି ଶିଶିର            ଆନନ୍ଦେ ଅଧୀର

ହେଲା ଯେହ୍ନେ ଉନମତ୍ତ ।

 

ସ୍ଥୂଳ ଉର୍ଣ୍ଣ-ବାସ            ବାଛି ବାଛି ଦେଲା

ପେଡ଼ି ସକଳକୁ ଦାନ,

ସୁପକ୍ୱ ଗୋଧୂମ-            ରାଶି ଦାନେ କଲା

ଦାତ୍ରଭୋଜି ସମାଧାନ ।

 

ଇକ୍ଷୁ ଦଣ୍ଡ-ମାନ            ଖଣ୍ଡ ଖଣ୍ଡ କରି

କ୍ଷେପିଲା କେଦାର ଗର୍ଭେ,

କୁସୁମ-କୁସୁମ            ରଞ୍ଜିତ ବସନ

ପାଇଲେ ରସିକ ସର୍ବେ ।

 

ଦିଗେ ଦିଗେ ହେଲା            ହରିଦ୍ରାରଞ୍ଜିତ

ମଧୁମୟ ଶୁଭ ପତ୍ର,

ଆତପ-ତାପିତ            ଜନେ ବିତରିଲା

ଲକ୍ଷ ଲକ୍ଷ ଆତପତ୍ର ।

 

ଗଗନଚାରୀଙ୍କି            ହେବା ପାଇଁ ପତ୍ର

ନେଲା ଚକ୍ର-ପବମାନ,

କରିନେଲା ପଥ            ଧୂଳି-ବିରଚିତ

ଭଉଁରୀ-ଖମ୍ୱ-ସୋପାନ ।

 

ନିର୍ବାସିତ ପଦ୍ମ-            ସବୁକୁ ଆଣିଲା

ହୃଦେ ହୋଇ ଦୟାଯୁକ୍ତ,

ଶୀତବିକମ୍ପିତ            ପ୍ରଭାତକୁ କଲା

କୁଜ୍‌ଝଟକା- କାରାମୁକ୍ତ ।

 

ରାତ୍ରି ଭୋଗୁଥିଲା            ସୁଦୀର୍ଘ ସମୟ

ହସନ୍ତି ବହନ ଦଣ୍ଡ,

କ୍ଷମାକରି ତାକୁ            ପୁରସ୍କାର ଦେଲା

ଚନ୍ଦ୍ରିକା-ପୀୟୁଷ-ଖଣ୍ଡ ।

 

ଦିଗଙ୍ଗନାମାନେ            ହଟି ହଟି ନେଲେ

ପାତଳ-ପାଟଳ-ପାଟ,

ଚିର-ଜ୍ୟୋତି-ଲୋଭୀ      ଜ୍ୟୋତିଷ୍କ-ମଣ୍ଡଳ

ଜୂର କଲେ ଜ୍ୟୋତି-ହାଟ ।

 

ସୁନାରୀ ଖର୍ଜୁର            ରହିଲେ ସୁମର୍ଣ୍ଣ

ହାର-ସଙ୍ଗଠନେ ବ୍ୟସ୍ତ,

ଚନ୍ଦ୍ରାତପ ପାଇଁ            ଶାଳ୍ମଳୀଏ ହେଲେ

ଅହୋରାତ୍ର ସୂଚି-ହସ୍ତ ।

 

ପତ୍ର ପାଇ ବନ-            ନଗର-ଉଦ୍ୟାନ-

ଜନପଦୁଁ ତରୁ ଲତା,

ଶିଶିର-ମନ୍ଦିରେ            ଉପଗତ ହେଲେ

ହୃଦେ ଭରି ପ୍ରଫୁଲ୍ଲତା ।

 

ବିଶାଳ ରସାଳ            ଶାଳ ସହିତରେ

ପଳାସ-ପାଦପଗଣ,

ସଂହତି ବଳରେ            ତରୁ-ସଂଘ ମଧ୍ୟେ

ଦେଖାଇଲେ ବଡ଼ପଣ ।

 

ତାଙ୍କ ପଛେ ପଛେ            ମଧୁକ-ଶିରୀଷ-

କାଞ୍ଚନ ଭୂରୁହଶ୍ରେଣୀ,

ଉଭା ହୋଇଗଲେ            ବିଭବାନୁରୂପ

ବସନ-ଭୂଷଣ ଘେନି ।

 

ଶୁଭ୍ର ପରିଚ୍ଛଦେ            ଅଭ୍ର ଚମକାଇ

ଦମ୍ଭେ ନିମ୍ୱ ମହୀରୁହ,

ତରୁ-ସମ୍ମିଳନୀ-            ମଣ୍ଡପେ ବସିଲା

ଭେଦକରି ତରୁ-ବ୍ୟୂହ ।

 

କିନ୍ନର ସ୍ୱରୂପେ            କିନ୍ନରୀ ସ୍ୱରୂପେ

ସାଜି ଦିବ୍ୟ ବିଭୂଷଣେ,

ମାଧବୀ ନିଆଳୀ            ମଲ୍ଲୀ ନେଇଥିଲା

ଚମ୍ପକ ମଧ୍ୟ ପ୍ରାଙ୍ଗଣେ ।

 

ସେବା ପାଇଁ କତି            ଥିଲେ ମଞ୍ଜୁଆତୀ

କର୍ଣ୍ଣିକାର, କୁରୁବକ,

ବକୁଳ, ବକମ            କର୍ଣ୍ଣେ ଶିରେ ଘେନି

ମଞ୍ଜୁଳ-ପୁଷ୍ପ-ସ୍ତବକ ।

 

ଆସିଲେ ସୁମନ            ଦଳ ଦଳ ହୋଇ

ଆସିଲେ ଦ୍ୱିଜ-ମଣ୍ଡଳ,

ସ୍ୱଦେଶୀ ବିଦେଶୀ            ଶୋଭା-ସମ୍ଭାରରେ

ମଣ୍ଡିଦେଲେ ସଭାସ୍ଥଳ ।

 

ଅଗସ୍ତ୍ୟଙ୍କ ଶୁଭ-            ଆଶିଷ-ବାରତା

ସମୀର ଆଣିଲା ବହି,

ମଳୟ-ଭୂଧର-            ଚନ୍ଦନ-ସୌରଭ

ଲୋଭେ ତହିଁ କ୍ଷଣେ ରହି ।

 

ଶଙ୍ଖ ବଜାଇଲା            ମଧୁପ ମଧୁରେ

ନାମକରଣ-ଉତ୍ସବେ,

ନବ-ନନ୍ଦନର            ‘‘ବସନ୍ତ’’ ନାମରେ

ଏକମତ ହେଲେ ସର୍ବେ ।

 

ମଧୁ ଭୋଜି ହେଲା            ପରଷିଲେ ଫୁଲ୍ଲ

ହୃଦୟେ ସୁମନ-ଦଳ,

ଲୁଚି କରୁଥିଲା            ମଧୁପ ଶଙ୍ଖୁଆ

ଲଗାଇ କୌଶଳ ଛଳ ।

 

ଦ୍ୱିଜଗଣ ମଧୁ            ସହିତ ଭକ୍ଷଣ

କରୁଥାନ୍ତି ମଧୁଭାଣ୍ଡ,

ମହୀରୁହଗଣ            ସ୍ତମ୍ଭୀଭୂତ ହୋଇ

ରହିଲେ ଚାହିଁ ସେ କାଣ୍ଡ ।

 

ସୁଦୂର ଆଗତ            କୋକିଳ ମଧୁରେ

କଲା ଶୁଭ ଆଶୀର୍ବାଦ,

ଦ୍ୱିଜଗଣ ତାହା            ସମର୍ଥନ କଲେ

ଉଚ୍ଚାରି ‘ତଥାସ୍ତୁ’ ନାଦ ।

 

କ୍ରମେ ବୃଦ୍ଧ ହେଲା            ଶିଶିର ଶରୀର

ହୋଇଗଲା ବଳହୀନ,

ଶଶିକଳା-ମତ            ବଢ଼ିଲା ବସନ୍ତ

କରମେ ହେଲା ପ୍ରବୀଣ ।

 

ପୁତ୍ରେ ରାଜ୍ୟ ଦେଇ            ଶିଶିର ପର୍ବତ-

ତଳେ ଯାଇ କଲା ବାସ,

ତନୁ ତ୍ୟାଗ କଲା            ଘୋର ତଫେ ଚାରି-

ଦିଗେ ଜାଳି ଆଶ୍ରୟାଶ ।

 

ଜନ୍ମିଥିଲା ବୋଲି            ମରଣ ଲଭିଲା,

ଜନମିବ ସେହିପରି,

ଦେଲା ଯାହା ଯାହା            ଜନ୍ମାନ୍ତରେ ତାହା

ଭଣ୍ଡାରେ ରହିବ ଭରି ।

 

ବସନ୍ତ-ମାଧୁରୀ            ଦର୍ଶନ-ମାନସେ

ଦୁଷ୍ମନ୍ତ ନୃପତି ଦିନେ,

ଏକାକୀ ଭ୍ରମଣ            କରୁଥିଲେ ଯାଇ

ତଟିନୀ-ତଟ ବିପିନେ ।

 

ଶ୍ରବଣେ ତାଙ୍କର            ପ୍ରବେଶିଲା ଏକ

ରମଣୀ-କଣ୍ଠର ଗାନ,

ଜଳଧର-ନାଦେ            ଶିଳୀନ୍ଧ୍ର ପରାଏ

ପୁଲକି ଉଠିଲା ପ୍ରାଣ ।

 

ସ୍ୱର ଲକ୍ଷ୍ୟକରି            ଲୁଚି ଉପଗତ

ହେଲେ ଗାନ ସନ୍ନିଧାନେ,

ମୁହୂର୍ତ୍ତେ ଶ୍ରବଣ            କଲେ ସେ ମଧୁର

ଗୀତ ଶ୍ରୁତି-ପ୍ରଣିଧାନେ ।

 

ଯେତିକି ଶୁଣିଲେ            ତେତିକି ନୃପଙ୍କ

ଜୀବନ ହେଲା ବ୍ୟାକୁଳ,

ବିସ୍କୃତି-ସାଗର-            ମଧ୍ୟେ ପଶି ଯେହ୍ନେ

ଖୋଳି ପାଉ ନାହିଁ କୂଳ ।

 

ଦେଖିଲେ ନରେଶ,            ନାରୀ ଏକ ଅଛି

ଶିଶୁଟିଏ ଧରି କୋଳେ,

ତରୁଣୀ ଏ ବନ            ପୁଲକାଉଅଛି

ସଙ୍ଗୀତ-ସ୍ୱର-ହିଲ୍ଲୋଳେ ।

 

ଗୀତେ ଥିଲା, ‘‘ଅଳି            ନବ ବିକସିତ

ନଳିନୀକି ପରିହରି,

ବଂଶ ରନ୍ଧ୍ରେ ରନ୍ଧ୍ରେ            ଭ୍ରମି ମରୁଥାଏ

କେଉଁ ସୁଖ-ଆଶା କରି ?’’

 

ପୁରୁଷ ଗୋଟିଏ            ଆସିଲା ସେଠାକୁ

ନାନାବିଧ ଫୁଲ ଧରି,

ତାକୁ ଚାହିଁ ଶିଶୁ            ହରଷେ ଉଠିଲା

ମାତା-କୋଳ ତ୍ୟାଗକରି ।

 

‘‘ବାବା, ବାବା’ ବୋଲି      ବାଳକ ପୁରୁଷ

ବକ୍ଷେ କଲା ଆରୋହଣ,

ପୁରୁଷ ହିଁ ତାକୁ            ସାଦରେ ଧଇଲା

କରି କର ପ୍ରସାରଣ ।

 

ରୂପ-ସମ୍ପଦରେ            ଚାରିଙ୍କର କେହି

କାହାକୁ ନ ଥିଲେ ନ୍ୟୁନ,

ଚାରି ଜଣଙ୍କର            ଆନନ୍ଦରେ ଶୋଭା

ହୋଇଗଲା ଚତୁର୍ଗୁଣ ।

 

ଚାତକ-ନୟନେ            ଅକସ୍ମାତ ଚାରି

ମେଘ ସମ୍ମିଳିତ ନଭେ,

ପ୍ରାୟେ ନୃପତିଙ୍କ            ହୃଦେ ଉତ୍କଣ୍ଠା

ଜନମାଇଦେଲେ ଲବେ ।

 

ଶାର୍ଦ୍ଦୂଳର ଗନ୍ଧ            ପାଇଲେ ଯେସନ

ହୁଅନ୍ତି ହରିଣ-ଦଳ

ଚକିତେ ଚୌଦିଗ            ଚାହିଁଲେ ସେମାନେ

ହୃଦୟ କରି ଚଞ୍ଚଳ ।

 

ଚାହୁଁ ଚାହୁଁ ପଶି            କାନନେ ନୃପଙ୍କ

ନୟନୁ ହେଲେ ଅନ୍ତର,

ନାଚି ନାଚି ତାଙ୍କ            ଶୋଭା ନରେଶଙ୍କ

କମ୍ପିତ କଲା ଅନ୍ତର ।

 

ନୃପ-ନେତ୍ରେ ବନ            ନିରସ ଦିଶିଲା,

ନୀରସ ଦିଶିଲା ମହୀ,

ରସ-ଲୁବ୍‌ଧ-ହୃଦେ            ଲେଉଟି ଆସିଲେ

ପଥେ ଧୀରେ ରହି ରହି ।

 

ରାଜ-ପଣ, ରାଜ-            ସମ୍ପଦ ସକଳ

ପ୍ରତୀତ ହେଲା ନିରସ,

ନିରସ ଲାଗିଲା            ମଧୁମୟ ମଧୁ-

ମାସର ରାତ୍ରି ଦିବସ ।

 

କେଉଁ ସୁଖେ ଇଚ୍ଛା            ତହିଁର ବିବକ୍ଷା

ମନେ ତାଙ୍କ ହେଲା ନାହିଁ,

ଯେଉଁ ସୁଖେ ଚିନ୍ତା            ପଶଇ ଲେଉଟି

ଆସେ ତା ରୁକ୍ଷତା ଚାହିଁ ।

 

ଦୁର୍ବାସାଙ୍କ ଶାପ-            ବଳେ ନୃପ-ହୃଦେ

ଶକୁନ୍ତଳାର ପ୍ରଣୟ,

ପିଞ୍ଜର-ନିବଦ୍ଧ            କ୍ଷୁଧିତ-ଶାର୍ଦ୍ଦୂଳ

ପରାଏ ହେଲା ଅଥୟ ।

 

ବସିଥାନ୍ତି ରାଜା            ବାହାର-ମଣ୍ଡପେ

ନଗର-ରକ୍ଷକ ଆସି,

ମୁଦ୍ରିକା ଗୋଟିଏ            ନୃପ-ହସ୍ତେ ଦେଲା

ପ୍ରଣମି ଏମନ୍ତ ଭାଷି-

 

‘‘ମହାରାଜ, ଆଜ            ନଗର ଭ୍ରମଣ-

ସମୟରେ ଅପହୃତ,

ଏହି ମୁଦ୍ରିକାର            ସହିତ ଧୀବର

ଜଣେ ହୋଇଅଛି ଧୃତ ।

 

ଧୀବର କହେ, ସେ            ମାଛ ମାରିଥିଲା

ଶଚୀ-ତୀର୍ଥ-ଜଳେ ଜାଲେ,

ମୁଦ୍ରିକା ପାଇଲା            ଗର୍ଭେ ତାକୁ ଖଣ୍ଡ

ଖଣ୍ଡ କରିବାର କାଳେ ।

 

ମୁଦ୍ରିକା ଆମିଷ-            ଗନ୍ଧ କରୁଅଛି

ସେ କଥାକୁ ସମର୍ଥିତ,

ମୁଦ୍ରିକାରେ ହୋଇ-            ଅଛି ଛାମୁଙ୍କର

ନାମ ଅକ୍ଷର ଖୋଦିତ ।’’

 

‘‘ସତ କି ହେ’’ ବୋଲି      ନରେଶ ନିଅନ୍ତେ

ମୁଦ୍ରିକାର ପରିଚୟ

ଫିଟିଗଲା ସ୍ମୃତି-            କପାଟ, ଦିଶିଲା

ଶକୁନ୍ତଳା-ପରିଣୟ ।

 

ଜାଣିଲେ ଅକ୍ଷରେ            ଅକ୍ଷରେ ସତ୍ୟ, ଯା’

ଲେଖିଥିଲେ କଣ୍ୱ ମୁନି,

ବିସ୍ମୟେ ବିଷାଦେ            କ୍ଷୋଭେ ରହିଗଲେ

ରାଜା ହୋଇ କ୍ଷଣେ ତୁନି ।

 

କିମ୍ଭୂତ ଘଟଣା            ବୋଲି କେତେ କେତେ

ଚିନ୍ତା କଲେ ମନେ ମନେ,

ପଶିବାରେ କିନ୍ତୁ            ସମର୍ଥ ନ ହେଲେ

ନିବିଡ଼-ରହସ୍ୟ-ବନେ ।

 

ନୃପ ଆଦେଶରେ            ଧୀବର ସତ୍ୱର

ସମକ୍ଷକୁ ହୋଇ ନୀଚ,

କମ୍ପକଳେବରେ            ବିଚଳିତ ସ୍ୱରେ

କହିଲା ହୋଇ ବିନୀତ ।

 

‘‘ମହାରାଜ ଧର୍ମ-            ଅବତାର, ଜଣେ

ଧୀବର ମୁଁ ନୁହେ ଚୋର;’’

ନରେଶ ବୋଇଲେ,            ‘‘ଜାତି ପରିଚୟେ

ଆବଶ୍ୟକ ନାହିଁ ମୋର ।’’

 

ଧୀବର-

‘‘ଧର୍ମପ୍ରଭୋ, ମାଛ            ମାରି ଆଣିଥିଲି

ଦୋଷ ବୁଝି ଦିଅ ଦଣ୍ଡ,’’

ରାଜା-

‘‘ମାଛ ମାରିବାର            ବିଷୟ ମର୍ଣ୍ଣନ

କରିବାର ସବୁ ପଣ୍ଡ ।’’

 

ଧୀବର-

‘‘ମହାରାଜ, ମୁହିଁ            ଜଣେ କର୍ମକରି

ପୋଷେଁ ବହୁ ପରିବାର;’’

 

ରାଜା-

‘‘ଧୀବର ତୁମର            ବୃଥା ମାତ୍ର ଏତେ

ବାଚାଳତା କରିବାର ।’’

‘‘ରକ୍ଷା କର’’ ବୋଲି            ଧୀବର ପଡ଼ିଲା

ନୃପତି-ଚରଣତଳେ,

ଭୂମି ଭିଜିଗଲା            ଶରୀର-ଘର୍ମରେ

ନୟନ-ନିଃସୃତ-ଜଳେ ।

କୋଷାଧ୍ୟକ୍ଷେ ଚାହିଁ            ନରେଶ ବୋଇଲେ,

‘‘ଶତ ସ୍ୱର୍ଣ୍ଣମୁଦ୍ରା ଆଣ,’’

ଶୁଣି ଧୀବରର            ସାହସ ଉଡ଼ିଲା,

ହଜିଗଲା ପୁଣି ଜ୍ଞାନ ।

ଭୂତଳେ କପାଳ            ଲଗାଇ ଧୀବର

ହୋଇଥିଲା ଦଣ୍ଡବତ,

ବୁଝିଲା ସେ ଆଜ୍ଞା            ଅର୍ଥଦଣ୍ଡ ତାକୁ

ହେଲା ସ୍ୱର୍ଣ୍ଣମୁଦ୍ରା ଶତ ।

ଭୀତ ମାନବକୁ            ହିତ ହିଁ ଅହିତ

ବୋଧ ହୋଇଥାଏ ସଦା,

 

ବନପ୍ରିୟ-ଧ୍ୱନି            ପ୍ରେତ-ବାଣୀରୂପେ

ହୁଏ ତା’ ଚମକପ୍ରଦା ।

 

କାନ୍ଦି ଉଚ୍ଚସ୍ୱରେ            ଧୀବର କହିଲା,

‘‘ମହାରାଜ, ତ୍ରାହି ତ୍ରାହି,

ଶତ ସ୍ୱର୍ଣ୍ଣମୁଦ୍ରା            ସତର ପୁରୁଷେ

କେହି ମୋର ଦେଖି ନାହିଁ ।

 

ନ ବୁଝି ଦୀନକୁ            ଦଣ୍ଡ ଦେବାପାଇଁ

ଯଦ୍ୟପି କଲେ ବିଚାର,

ସଦୟ ହୃଦୟେ            ଆଜ୍ଞା ହେଉ ମୋତେ

ଯିବା ପାଇଁ କାରାଗାର ।’’

 

କୋଷାଧ୍ୟକ୍ଷ ଶତ            ସ୍ୱର୍ଣ୍ଣମୁଦ୍ରା ଘେନି

ଉପଗତ ନୃପ-ପାଶେ,

ଧୀବରକୁ ନୃପ            ବୋଇଲେ, ‘‘ଏ ମୁଦ୍ରା

ପୁରସ୍କାର ନିଅ ଦାସେ !’’

 

ପାରିତୋଷିକ କି            ପାରିହାସିକ, ତା’

କେହି ନ ପାରିଲେ ବୁଝି,

 

ଉଠି ନମ୍ର-ମୁଖେ            ରହିଲା ଧୀବର

ମୁଦ୍ରା ଚାହିଁ ନେତ୍ର ବୁଜି ।

 

ଆହୁରି ବୋଇଲା,            ‘‘ଛାମୁଙ୍କ ମୁଦ୍ରିକା

ଥିବାର ନ ଥିଲି ଜାଣି,

ନିରକ୍ଷର ଦାସ            କେମନ୍ତେ ଜାଣନ୍ତି,

ନତୁ ଦେଇଥାନ୍ତି ଆଣି ।

 

ଛାମୁଙ୍କ ମୁଦ୍ରିକା            ଛାମୁ ରଖି ମୋତେ

ଆଜ୍ଞା ଦେଲେ ଯିବି ଘର,

ଦୟା ଯଦି ହୁଏ            ତାମ୍ର ମୁଦ୍ରା କିଛି

ବିଚରି ପ୍ରଦାନ କର ।’’

 

ରାଜାଦେଶ-ମତେ            ନଗର-ରକ୍ଷକ

ସ୍ୱର୍ଣ୍ଣ-ମୁଦ୍ରା ସବୁ ଧରି,

ବଳେ କୈବର୍ତ୍ତର            ବଦ୍ଧାଞ୍ଜଳି ମୁକ୍ତ

କରି ତହିଁ ଦେଲା ଭରି ।

 

‘‘ଯାଅ, ଯାଅ’’ ବୋଲି      କହିଲେ ନରେଶ

ଚଳିଲା ଧୀବରବର,

 

କିଛି କିଛି ଦୂରେ            ପଛକୁ ଅନାଇ

ଅନାଇ ଥରକୁ ଥର ।

 

ଅଙ୍ଗୁରୀୟ ପାଇ            ନରେଶ ରହିଲେ

ଜୀବନେ ଜନ୍ମିଲା କ୍ଳେଶ,

ରାଜ୍ୟ-କାର୍ଯ୍ୟେ ଅବା      ଆମୋଦେ ପ୍ରମୋଦେ

ମନ ନ ଲାଗିଲା ଲେଶ ।

 

ଯହିଁ ଥିଲେ ତହିଁ            ଶୁଣନ୍ତି ଯେସନେ

ଜଗତ କରୁଛି ଗାନ,

ସହଧର୍ମିଣୀକି            ଦୁଷ୍ମନ୍ତ ନରେଶ

ଦେଲେ ଘୋର ଅପମାନ ।

 

ରାଜସିଂହାସନେ            ବସିଲେ ଯେସନେ

କହେ ରାଜସିଂହାସନ,

ସହଧର୍ମିଣୀକି            ଅଦୋଷେ ତେଜିଲ

ତୁମ୍ଭେ କି ମୋର ଭାଜନ ?

 

ଘରେ ଥିଲେ ଯେହ୍ନେ      ଘର କହେ, ତୁମ୍ଭେ

ଘରକୁ କରିଛ ପର,

 

ଉଦ୍ୟାନକୁ ଗଲେ            ଦିଶନ୍ତି ପାଦପେ

ଗାଢ଼-କ୍ରୋଧ ଥରଥର ।

 

ନଗରେ ଭ୍ରମିଲେ            ଦେଖନ୍ତି, ପ୍ରଜାଏ

କହୁଛନ୍ତି ପାରସ୍ପରେ,

ବିନା ଦୋଷେ ଆହା      ସୁନ୍ଦରୀ ପତ୍ନୀକି

ରାଜା ନ ରଖିଲେ ଘରେ ।

 

ରଜନୀରେ କହେ            ଚକ୍ରବାକୀ ଦୁଃଖେ

କାନ୍ଦି କାନ୍ଦି ହୋଇ କ୍ଳାନ୍ତ,

ଦୁଷ୍ମନ୍ତ ନୃପଙ୍କ            ନୀତି ବଳେ ମୋତେ

ଛାଡ଼ିଦେବେ କି ମୋ କାନ୍ତ ?

 

ନିଶାନ୍ତେ ଶୁଣନ୍ତି,            ଦୁଷ୍ମନ୍ତଙ୍କ ଦୋଷ

ଗାଉଛି କଜ୍ଜଳପାତି,

ପ୍ରଭାତେ ଦେଖନ୍ତି,            ପୁଷ୍ପେ ଭୃଙ୍ଗ କହେ-

‘ଦୁଷ୍ମନ୍ତ ବିଶ୍ୱାସଘାତୀ’ ।

 

ଗଗନେ ବିହଙ୍ଗ-            ଦଳ କହୁଛନ୍ତି

‘‘ପୁରୁବଂଶେ ହୋଇ ଜନ୍ମ,

 

ଦୁଷ୍ମନ୍ତ ନୃପତି            ଧର୍ମପତ୍ନୀ ତେଜି

କଲେ ଅତି ନୀଚ କର୍ମ ।’’

 

ସରେ ହଂସଦଳ            କହୁଛନ୍ତି ବିସ

ଗ୍ରାସି କରି କଳକଳ,

‘‘ବିସ-ଖଣ୍ଡ-ପ୍ରାୟେ            ଗ୍ରାସ କଲେ ରାଜା

ଘୋର ବିଷ ହଳାହଳ ।’’

 

ଏରୂପେ ପ୍ରକୃତି-            ବିଦ୍ରୂପ ଭ୍ରମରେ

ଭାବିଲେ ରାଜା ଦୁଷ୍ମନ୍ତ,

‘ପ୍ରିୟ ବଲ୍ଲଭୀକି            ପରିହାର କରି

ହେଲି ବଡ଼ ଦୋଷବନ୍ତ ।

 

ମହର୍ଷିଙ୍କ ମଧୁ-            ମୟ-ପତ୍ର ପିତା

ମଣିଲି ବାତୁଳପ୍ରାୟ,

ହିତ-ବୁଦ୍ଧି ତେଜି            ହତ-ବୁଦ୍ଧି ହେଲି

ଏବେ ଅଛି କି ଉପାୟ ?

 

କିସ ବୋଲୁଥିବେ            ମହର୍ଷି, କିସ ବା

ପ୍ରିୟା ବୋଲୁଥିବ ମନେ,

 

କେଉଁ ଧର୍ମବଳେ            ଦଣ୍ଡିବି ଆଉ ମୁଁ

କପଟୀ ଲମ୍ପଟ ଜନେ ?

 

ଯେଉଁ ରାଜା ଯେଉଁ            ଦୋଷେ ଲିପ୍ତ ଥାଇ

ପରକୁ ଦଣ୍ଡେ ସେ ଦୋଷେ,

ଧର୍ମରାଜ ତାକୁ            ତହୁଁ ଶତ ଗୁଣ

ଦଣ୍ଡ ଦେଇଥାନ୍ତି ରୋଷେ ।

 

କେଉଁ ଗୁଣ ପାଇଁ            ମୋ ପ୍ରତି ରହିବ

ରାଜଲକ୍ଷ୍ମୀଙ୍କର ପ୍ରୀତି,

ମିଥ୍ୟା ପ୍ରବଞ୍ଚନା            ନିରୀହେ ଲାଞ୍ଚନା

ହେଲାଠାରେ ରାଜନୀତି ।

 

କେଉଁ ଭୂତ ଏଡ଼େ            ଭ୍ରମ ଜନ୍ମାଇଲା

ମସ୍ତକରେ ମୋର ବସି,

ଭୁଜ-ବଳୟକୁ            ଭୁଜଙ୍ଗ ମଣିଲି,

ଲକ୍ଷ୍ମୀଙ୍କୁ କଲି ରାକ୍ଷସୀ ।

 

ଆଉ ଲଭିବି କି            ପ୍ରିୟ ବଲ୍ଲଭୀକି

ଦୁଃଖୀ ହେଲି ଦେଇ ଦୁଃଖ,

 

ବନେ ତପୋବନେ            ଲୋଡ଼ି ବା ଲଭନ୍ତି

କେହ୍ନେ ଦେଖାଇବି ମୁଖ ।

 

ସଖୀ-କଷ୍ଟ ଶୁଣି            କିସ କହୁଥିବେ

ଅନସୂୟା, ପ୍ରିୟମ୍ୱଦା,

ବଳ ଦେଖାଇଲି            ଶିରୀଷ-କୁସୁମେ

ପ୍ରହାରି ଦାରଣ ଗଦା ।

 

ତାଙ୍କ ଅମାୟିକ            ହୃଦ-ଉଦ୍ୟାନେ ମୁଁ

ଲଗାଇଲି ମାୟାନଳ,

ତାଙ୍କୁ ଦହି ନିଜେ            ଦଗଧ ହେଉଛି

ଯନ୍ତ୍ରଣା ବଡ଼ ପ୍ରବଳ ।

 

କି କରେଁ ଏ ଦେହେ      ହେଉଅଛି ଦଗ୍‌ଧ

ନୀଡ଼-ପକ୍ଷୀ ପ୍ରାୟ ଚିତ୍ତ,

ଧର୍ମଶାସ୍ତ୍ର ହେବ            କୁଣ୍ଠିତ କଥନେ

ଏ ପାପର ପ୍ରାୟଶ୍ଚିତ୍ତ ।

 

ନିଜ କରେ ଆଙ୍କି            ପ୍ରିୟାର ମୂରତି

ଶୋଭିତ କରିଛିଁ ଘର,

 

କେମନ୍ତେ ଚାହିଁବି,            ଡରିବ ପରା ସେ

ମୁଖ ଚାହିଁ ଏ ବ୍ୟାଘ୍ରର ।

 

ଲଜ୍ଜାବଶେ ମୋର            ନିକଟୁଁ ସୁନ୍ଦରୀ

ଯେ କାଳେ ହୁଏ ଅନ୍ତର,

ବୋଲୁ ଥିଲି, ‘‘ସଖି,            କଦାପି ବରଜି

ନ ପାରିବୁ ମୋ ଅନ୍ତର ।

 

ଦିବା ଅବସାନେ            ଛାୟା ଯେବେ କରେ

ଦୂରକୁ ଦୂରକୁ ଗତି,

ପ୍ରେମ-ପରବଶେ            ମୂଳେ ତାକୁ ଧରି

ରଖିଥାଏ ବନସ୍ପତି ।

 

ସୁକୁମାରି, ତୋର            ଶରୀର କୋମଳ

ଶିରୀଷ କୁସୁମ ପରି,

ତା’ବୃନ୍ତ ପରାଏ            ହୃଦୟକୁ ତୋର

ଦେଉଛି କଠିନ କରି ।’’

 

ଏବେ ନିଜେ ମୁହିଁ            ଦୂର କଲି ତାକୁ

ଶରୀର କରି ପଥର,

 

ହୃଦୟ ମୋହର            ହୋଇ ଯାଇଅଛି

କୁଳିଶୁଁ କଠିନତର ।

 

ଦିବ୍ୟ ପରିବାର            ବୀଭତ୍ସ, ଉତ୍କଟ

ଗନ୍ଧ ପାଇ ମୋର ବନେ,

ପାପ ସ୍ପରଶିବ            ବୋଲି ଭୟେ ପରା

ରହି ନ ପାରିଲେ କ୍ଷଣେ ।

 

ଆହା ପୁତ୍ର-ସ୍ନେହ            କେମନ୍ତ ମଧୁର

ସେ ଦିବ୍ୟ ପୁରୁଷଙ୍କର,

ସ୍ନେହ-ସ୍ନିଗ୍‌ଧ-ସୁତ            ଧାଇଁଲା କୋଳକୁ

ନିଜେ ନ ବଢ଼ାଉଁ କର ।

 

ପିତା-କୋଳେ ପୁତ୍ର            ହର୍ଷେ ହସି ହସି

ପରବେଶ କରି ବଳେ,

ତିନି ପୁର ଶୋଭା-            ସୁଖରାଶି ଯେହ୍ନେ

ଥୋଇଦେଲା ପାଦତଳେ ।

 

‘ଯା’ କୋଳେ ବାଳକ      କ୍ରୀଡ଼ା କରୁଥିଲା

ଜନନୀ ଥିବେ ସେ ତାର,

 

ମାତା-କୋଳୁଁ ଯାଇ            ଅଳଙ୍କୃତ କଲା

କି ସୁଖେ କୋଳ ପିତାର !

 

ପର ଗୁଣ ତିଳେ            ଥିଲେ ତାଳରୂପେ

ଶିକ୍ଷଣେ ଥିଲି ଅଭ୍ୟସ୍ତ,

ପୁତ୍ରବତ୍ସଳତା            ଗୁଣକୁ ହରାଇ

ଦେଇଅଛି ମୋର ହସ୍ତ ।

 

ବସନ୍ତ-ଅମୃତ-            ମାଧୁରୀ ପିଇବା-

ପାଇଁ ଦିବ୍ୟ-ପରିବାର,

ସ୍ୱର୍ଗୁଁ ଆସିଥିଲେ            ସୁଖକର ମଣି

କାନନେ ବିଚରିବାର ।

 

ବସନ୍ତ-ମାଧୁରୀ-            ମୂର୍ତ୍ତିମତୀ ମୋର

ପ୍ରିୟା ବନ-ଅଳଙ୍କାର,

ତାକୁ ଯା’ ଅସୁଖ            ମଣିଲି ମୋହର

ଜ୍ଞାନକୁ ଶତ ଧିକ୍‌କାର ।

 

ମୋ ପ୍ରିୟା ମଧୁରୀ            ଶର୍କରା ନିକଟେ

ବସନ୍ତ-ମାଧୁରୀ ଗୁଡ଼,

 

ଶର୍କରାକୁ ଯାହା            କର୍କରେ ଗଣିଲି

ମୋଠାରୁ କେ ଅଛି ମୂଢ଼ !

 

ପ୍ରିୟା, ସଙ୍ଗ କରି-            ଥିଲା ଜଗତର

ଶୋଭାର ଶୋଭା ବର୍ଦ୍ଧନ,

ପ୍ରିୟାର ବିରହ            କରୁଛି ସକଳ

ଶୋଭାର ଶୋଭା ମର୍ଦ୍ଦନ ।

 

ତପୋବନେ ଦେଖି-      ଥିଲି ଯେଉଁ ଫୁଲ

ଯେଉଁ ତରୁଲତାମାନ,

ସଦ୍ୟ-ସ୍ୱର୍ଗ-ଚ୍ୟୁତ            ପରି ହେଉଥିଲେ

ନେତ୍ରକୁ ପ୍ରତୀୟମାନ ।

 

ଆଜି ତହୁଁ ବଳି            ଲୋକ ପ୍ରଶଂସିତ

ଫୁଲ୍ଲ-ଫୁଲ ଲତା ବୃକ୍ଷ,

ନୟନକୁ ମୋର            ପ୍ରତୀତ ହେଉଛି

କର୍କଶ ମଳିନ ରୁକ୍ଷ ।

 

ପ୍ରିୟା-ସଙ୍ଗ ଥିଲା            ଶ୍ରବଣ-ଶକତି

ସ୍ୱରର ମଧୁଗ୍ରାହିଣୀ,

 

ତା’ ଯୋଗୁଁ କାନନ-            ପକ୍ଷୀଧ୍ୱନି ଥିଲା

ହୃଦୟ-ପ୍ରୀତି-ଦାୟିନୀ ।

 

‘ସ୍ୱଭାବତଃ ଶୁକ            ପିକ ଶାରୀ ସ୍ୱର

ଶ୍ରବଣ-ତୋଷଣ-ପଟୁ,

କିନ୍ତୁ ପ୍ରିୟା ବିନା            ସେହି ସ୍ୱନ ଏବେ

ହେଉଅଛି କର୍ଣ୍ଣକଟୁ ।

 

ପ୍ରିୟା କରେ ଥାଇ            ଯେଉଁ ଫୁଲ ମୋତେ

ଦେଉଥିଲା ମଧୁ-ଗନ୍ଧ,

ତାହା ବାସ ଏବେ            ନାସାରନ୍ଧ୍ରେ ପଶି

ମନେ ଲଗାଉଛି ଦ୍ୱନ୍ଦ୍ୱ ।

 

ପ୍ରିୟା-କର-ଫଳ            ଭୋଜନ କରି ମୁଁ

ତୁଚ୍ଛ ମଣିଥିଲି ସୁଧା,

ସ୍ମୃତି-ମୁଖେ ତିକ୍ତ            ଲାଗୁଛି ତା’ ବିନା

ତହୁଁ ଭଲ ଫଳ ସୁଦ୍ଧା ।

 

ପ୍ରିୟା ସଙ୍ଗେ ବସି            ବୁଝିଥିଲି ଏକା

ପଲ୍ଲବ-ଆସନ-ମୂଲ୍ୟ,

 

ତା’ ବିନା ଶାଳ୍ମଳୀ-            ତୂଳା-ଶଯ୍ୟା ହେଲା

ଶାଳ୍ମଳୀ-କଣ୍ଟକ ତୁଲ୍ୟ ।

 

ଜଗତର ସୁଖ            ଶୀତ-ଗ୍ରୀଷ୍ମସମ-

ସମ୍ମିଳନେ ପରସ୍ପର

ଏକର ଅଭାବେ            ଅନ୍ୟ ହୋଇଥାଏ

ଦାରୁଣ ଦୁଃଖର ଘର ।

 

ପ୍ରିୟା ମୋର ଶୀତ,            ଭିନ୍ନ ଥାଇ ଏବେ

କମ୍ପୁଥିବ ଥରହର;

ଗ୍ରୀଷ୍ମ ହୋଇ ମୁହିଁ            ତା’ ବିନା ହେଉଛିଁ

ଦହ୍ୟମାନ-କଳେବର ।

 

ଆଉ କି ଏ ଦଗ୍‌ଧ-            ଜୀବନେ ମିଳନ-

ସୁରଭି ସମୟ ଆସି,

ତା’ କଷ୍ଟ-ରଜନୀ            ମୋ ତାପ-ଦିବସ-

ଦାରୁଣତା ଦେବ ନାଶି ?

 

ବଲ୍ଲଭୀ ହେମନ୍ତ-            ବିଭାବରୀ ହୋଇ

ବର୍ଷୁଥିବ ଅଶ୍ରୁକଣ,

 

ନୟନ ମୋହର            ବାରି ବରଷୁଛି

ହୋଇ ପ୍ରାବୃଟର ଘନ ।

 

ତା’ ଶୋକ-ତୁହିନ            ମୋ ଦୁଃଖ-ଦୁର୍ଦ୍ଦିନ

ପ୍ରାବଲ୍ୟ ହେବ କି ନାଶ,

ମିଳନ-ଶରଦେ            ସୁଖେନ୍ଦୁ-ଶୋଭିତ,

ହେବ ସ୍ୱଚ୍ଛ ଭାଗ୍ୟକାଶ ?’’

 

ସଜଳ-ନୟନେ            ଅଙ୍ଗୁରୀୟେ ଚାହିଁ

ମଧୁର ଭର୍ତ୍ସନା କରି,

ବୋଇଲେ, ‘‘ହା, ହତ-      ଭାଗ୍ୟ ଅଙ୍ଗୁରୀୟ

ଥିଲୁ ଖଣ୍ଡତପ କରି ।

 

ଯେଉଁ ପୁଣ୍ୟ-ବଳେ            ଥିଲୁ ସୁନ୍ଦରୀର

ସୁନ୍ଦର କର-ପଲ୍ଲବେ,

ସେହି ପୁଣ୍ୟ କ୍ଷୟ            ହୋଇଯିବା ବେଳୁଁ

ରହି ନ ପାରିଲୁ ଲବେ ।’’

 

ସୁନ୍ଦରୀର ଚିତ୍ର            ଥିଲା ଯେଉଁ କକ୍ଷେ

ତହିଁକି କରି ଗମନ,

 

ଚିତ୍ର ଧରି କରେ            ଲଗାଇ ବକ୍ଷରେ

ବଦନେ ଦେଲେ ଚୁମ୍ୱନ ।

 

ଚିତ୍ରିତା ସୁନ୍ଦରୀ-            ଭାଲେ ସ୍ୱେଦକଣା

ଦିଶୁଥାଏ ଝଲଝଲ,

ସିକ୍ତ ହୋଇ ତହିଁ            ଲିପ୍ତ ହୋଇଥାଏ

କୁଟିଳ ଚୂର୍ଣ୍ଣକୁନ୍ତଳ ।

 

ସଲଜ୍ଜେ ଅପାଙ୍ଗେ            ଚକ୍ଷୁ-ତାରା ଢଳି

ବକ୍ର ହୋଇଥାଏ ଦୃଷ୍ଟି,

ଯେଉଁ ଦୃଷ୍ଟି ତା’ର            ହୃଦେ କରିଥିଲା

ନବ ପ୍ରେମାଙ୍କୁର ସୃଷ୍ଟି ।

 

ପୁନଃ ପୁନଃ ତାହା            ଅନାଇ ନୃପଙ୍କ

ଦୃଷ୍ଟିଶକ୍ତି ହେଲା ହ୍ରାସ,

ହୃଦୟରେ ହେଲା            ତପୋବନ ସହ

ବାମା-ମୂର୍ତ୍ତି ପରକାଶ ।

 

ସେ ମୂର୍ତ୍ତି ଭିତରେ            ମନ ପଶିଗଲା

ବାହ୍ୟଜ୍ଞାନ ଗଲା ଚଳି,

 

କାଷ୍ଠମୂର୍ତ୍ତି ପରି            ଅବନୀ ଉପରେ

ନୃପତି ପଡ଼ିଲେ ଢଳି ।

 

ବହୁ କ୍ଷଣ ପରେ            ସଂଜ୍ଞା ଲଭି ଉଠି

ଚିତ୍ର ଚାହିଁ ପୁନଃ ପୁନଃ,

ଦୁର୍ଲ୍ଲଭ-ପବିତ୍ର-            ପ୍ରଣୟ-ଗୌରବ

ବୃଦ୍ଧି କଲେ ଶତ ଗୁଣ ।

 

ପ୍ରିୟାସଙ୍ଗ-ସୁଖ-            ସ୍ମୃତି ଦୁଃଖେ ନୃପ

ସମୟ ଯାପନ କଲେ,

ମନ ଜ୍ଞାନ ଘେନି            ବିବେକ ରହିଲା

ଆଶା-ଲତା ଛାୟାତଳେ ।

 

ସୁଖ ଦୁଃଖ ଚିର            ନୁହନ୍ତି ଜଗତେ

ସଭିଙ୍କର ଅଛି କ୍ଷୟ,

ଆଜି ଯା ବଦନ            ହରଷରେ ପୂର୍ଣ୍ଣ,

କାଲିକି ବିଷାଦମୟ ।

 

ଯାହା ଲାଗି ପ୍ରାଣ            ଯେତିକି ପ୍ରଫୁଲ୍ଲ

ତା’ ଲାଗି ତେତେ ବିକଳ,

 

ତେତିକି ତପତ            ହୋଇଥାଏ, ଯାହା

ଯେତିକି ହୁଏ ଶୀତଳ ।

 

ତେତିକି ତିମିରେ            ମଜ୍ଜଇ ଅବନୀ

ଯେତିକି ହୁଏ ଉଜ୍ଜ୍ୱଳ,

ଯେମନ୍ତ ମଧୁର            ତିକ୍ତ ହିଁ ତେମନ୍ତ

ପ୍ରକୃତ ପ୍ରଣୟ-ଫଳ ।

 

ସପ୍ତମ ସର୍ଗ

ପ୍ରଣୟ-ଛାୟା

 

ଦିନେ ସିନ୍ଧୁ-କୁଳେ            ନୀଳାଚଳ-ତଳେ

କରୁଥିଲେ ବିଚରଣ,

ଶାନ୍ତି, ଶ୍ରଦ୍ଧା, ଦୟା            କ୍ଷମା, ଭକ୍ତି, ଧୃତି

ଆଦି ଦେବକନ୍ୟାଗଣ ।

 

ହୋଇଥିଲେ ମଲ୍ଲୀ            ମାଧବୀ ନିଆଳୀ

କୁସୁମ-ଚୟନେ ରତ,

ଥରେ ପୁଷ୍ପେ ଥରେ            ଡାଳିରେ ତାଙ୍କର

ଭ୍ରମୁଥିଲା ମଧୁବ୍ରତ ।

 

ମନର ଆନନ୍ଦ            ସହିତରେ କାହା

କଣ୍ଠରୁ ମଧୁର ଗୀତ,

ଉଠି ନିଜ ପ୍ରାଣ            ସହ ସଙ୍ଗିନୀଙ୍କ

କରୁଥାଏ ଉଲ୍ଲସିତ ।

 

ଚରମେ ତାଙ୍କର            ଲମ୍ୱି ଦୋଳୁଥାଏ

କ୍ରମ-ସୂକ୍ଷ୍ମ-ଅଗ୍ର-ବେଣୀ,

ବେଣୀ ଅଗ୍ରେ କ୍ରମ-            ସ୍ଥୂଳ ହୋଇଥାଏ

ସ୍ତବକିତ-ମୋତିଶ୍ରେଣୀ ।

 

ଝୀନ ବସନରେ            କୁମାରୀଙ୍କ ତନୁ-

କାନ୍ତି ହେଉଥାଏ ବାରି,

ବଦନ-ପ୍ରଭାରେ            ଅମୃତାୟମାନ

ହେଉଥାଏ ଦିଗ ଚାରି ।

 

କୋକନଦକାନ୍ତି-            ପାଦେ ହୋଇଗଲା

ବନଭୂମି ଶୋଭନୀୟ,

ସେହି ପାଦ ସଦା             ଦେବତ୍ୱ-ଲୋଲୁପ

ମୁନି-ମନ-ଲୋଭନୀୟ ।

 

କର-କମନୀୟ-            କାନ୍ତି ଚୁମ୍ୱି ହେଲେ

କିଶଳୟଚୟ ହୃଷ୍ଟ,

ଫୁଲ୍ଲେ ଫୁଲମାନ            କର-କୋଳ ଗଲେ

ତେଜି ତରୁ-ଲତା ପୃଷ୍ଟ ।

 

ଖଗ ମୃଗଗଣ            ପୁତ୍ର ପ୍ରାୟେ ତାଙ୍କ

ପାଶେ ଆସି କଲେ ଲୀଳା,

କେ ଚଞ୍ଚୁ ବିସ୍ତାରି,            ସତୃଷ୍ଣେ କେ ଚାହିଁ

କ୍ଷୁଧା ତୃଷା ଜଣାଇଲା ।

 

ଏମନ୍ତ ସମୟେ            ରକ୍ଷ-ରାଜ ସୁତା

ହିଂସା ହେଲା ଉପଗତ,

ବାଜ-ଚଞ୍ଚୁ ପରି            ନଖପଂକ୍ତି ତାର

ଶାର୍ଦ୍ଦୂଳ-ସଦୃଶ ଦନ୍ତ ।

 

ଭଲ୍ଲୁକ-ଲୋଚନା            ଉଲୂକ-ବଚନା

ଉଚ୍ଚାରି କର୍କଶ ଭାଷ,

ଦୟା ସନ୍ନିକଟେ            ଦମ୍ଭେ କଲା ନିଜ

ଆଧିପତ୍ୟ ପରକାଶ ।

 

ରାକ୍ଷସୀକି ଚାହିଁ            ଖଗମୃଗଗଣ

ପଳାଇଲେ ଇତସ୍ତତଃ,

କମ୍ପିଲା ପାଦପ-            ବଲ୍ଲରୀ ସହିତ

ବନଭୂମି ହୋଇ ତ୍ରସ୍ତ ।

 

ଦେବକନ୍ୟା-ଦଳେ            ତଡ଼ିବାକୁ କଲା

ରକ୍ଷ-ରାଜ-ସୁତା କଳି,

ଏକ ମୁଖେ ତାଙ୍କ            ଅନେକ ମୁଖକୁ

ବାକ୍ୟ-ବାଦେ ଗଲା ବଳି ।

 

ଦେବକନ୍ୟାଗଣ            ବହୁ-ବାକ୍ୟେ ତାକୁ

ବହୁତ କଲେ ଭର୍ତ୍ସନା,

କେ ବୋଇଲା,            ‘‘ମୃଗପକ୍ଷୀ ଦରଶନେ

ଲମ୍ୱିପଡ଼େ ତୋ ରସନା ।’’

 

କେ ବୋଇଲା,            ‘‘ପଳା, ଛୁଅଁନା ଛୁଅଁନା

ନିତି ଖାଉ ଗୋରୁ ଅଶ୍ୱ’’,

କେ ବୋଇଲା, ‘‘ତନୁ      ସ୍ଥୂଳ କରିଅଛୁ

ପିଇ ଘୃଷ୍ଟି-ମାଂସ-ରସ ।’’

 

କୋପେ ରାକ୍ଷସୀର            ତନୁ କମ୍ପିଗଲା

ଚଳାଇଲା ନଖଦନ୍ତ,

କରିଦେଲା ଦେବ-            କନ୍ୟକାଗଣର

ଶରୀର କ୍ଷତ-ବିକ୍ଷତ ।

 

ରକତ-ପ୍ରବାହେ            ଦେବକନ୍ୟାଙ୍କର

ତନୁ ହେଲା ଜରଜର,

କ୍ଷମା ପ୍ରବୋଧନେ            ସମସ୍ତେ ନିବର୍ତ୍ତି

ଗଲେ ନିଜ ନିଜ ଘର ।

 

ହିଂସା ଯାଇ ପିତା            ନିକଟେ କହିଲା

ଦେବକନ୍ୟାଙ୍କର କଥା,

କଳହେ ତାହାକୁ            ଭର୍ତ୍ସନା ସହିତ

ଘୃଣା କରିଥିଲେ ଯଥା ।

 

ରାକ୍ଷସ-ଭୂପତି            ଶୁଣିଲା ସେସବୁ

ରକ୍ଷଜାତି ଅପମାନ,

ବିଘୂର୍ଣ୍ଣିତ ହେଲା            ନୟନ ତାହାର

ତନୁ ହେଲା କମ୍ପମାନ ।

 

ରାଜମନ୍ତ୍ରୀ କ୍ରୋଧେ            ଗରଜି କହିଲା,

‘‘ଦେବେ ତ ଖାଇଲେ ସୁଧା,

ତଥାପି ଆମ୍ଭର            ଭକ୍ଷ୍ୟ ନେଇଥାନ୍ତି

ନିବର୍ତ୍ତ ନ କରି କ୍ଷୁଧା ।

 

ଯଜ୍ଞ ଛଳ କରି            ଖାଇଯାଉଛନ୍ତି

ଅଶ୍ୱ ବୃକ୍ଷ ମେଷ ଛାଗ,

କେବେ ନ ଛାଡ଼ିଲେ            ଲୁଚି ଘେନିବାକୁ

ଆମ୍ଭର ଭୋଜନ ଭାଗ ।

 

ନୀଳାଚଳ ତଳ-            ସିନ୍ଧୁ-କୂଳ ଯହିଁ

ଶବରେ ବୁଣନ୍ତି ଜାଲ,

ସେହି ରମ୍ୟ-ବନ            ଆମ୍ଭ ଅଧିକାରେ

ରହିଅଛି ଚିରକାଳ ।

 

ଦେବସୁତାମାନେ            ନିର୍ଭୟେ ବୁଲିଲେ

ଆମ୍ଭରି ରାଜ୍ୟକୁ ଆସି,

ରାଜ-ନନ୍ଦିନୀକି            ଗାଳି ଦେଲେ ପୁଣି

ବିବିଧ ଭର୍ତ୍ସନା ଭାଷି ।

 

ଅଙ୍ଗୁଳି ପ୍ରବେଶୁଁ            ବାହୁ ପ୍ରବେଶିବ

କରୁଁ ଯେବେ ଅବହେଳା,

କ୍ଷୁଦ୍ର ଛିଦ୍ର ପଥେ            ଜଳ ପଶି ପଶି

ବୁଡ଼ାଇଦିଏଟି ଭେଳା ।

 

ସତତ ଆମ୍ଭଙ୍କୁ            ଠକୁଛନ୍ତି କରି

ନାନା ଛଳ କଉଶଳ,

ସତେ କି ଆମ୍ଭଙ୍କୁ            ପାରିବେ ସେମାନେ

ଦେଖାଇବୁଁ ଯଦି ବଳ ?’’

 

‘‘ସତ, ସତ’’ ବୋଲି            ଉଚ୍ଚ ନାଦ କଲେ

ରାଜ-ସଭାସଦଗଣ,

ଲୋଭ ମଦ ଦ୍ୱେଷ            କପଟ ପ୍ରଭୃତି

ଉଭା ହୋଇ ଜଣ ଜଣ ।

 

ଦଳବଳ ସହ            ରାକ୍ଷସ-ଭୂପତି

ସତ୍ୱର ହୋଇ ବାହାର,

ମହା ଆସ୍ଫାଳନେ            ଗର୍ଜି କମ୍ପାଇଲେ

ଅମରାବତୀର ଦ୍ୱାର ।

 

ଚାହିଁ ସୁରପତି            ନଗର ଦୁଆରେ

ଅସୁରଙ୍କ ଆକ୍ରମଣ,

ପ୍ରଥମେ ପେଶିଲେ            ସେନାନୀଙ୍କି ଦେଇ

ପ୍ରବୀଣ ସୈନିକଗଣ ।

 

ଶ୍ରେଷ୍ଠ ଥିଲେ ତହିଁ            ଉତ୍ସାହ ସାହସ

ଧୈର୍ଯ୍ୟ ବୁଦ୍ଧି ପରାକ୍ରମ,

ଅସୁରଙ୍କ ସହ             ଯୁଦ୍ଧେ ପ୍ରବର୍ତ୍ତିଲେ

ପ୍ରକାଶି ଘୋର ବିକ୍ରମ ।

 

କାମ-ଲୋଭ ମଦ            ଆଳସ୍ୟ ବିଳାସ

ଆଦି ସଂଶପ୍ତକଦଳ,

ରାକ୍ଷସ ପକ୍ଷରୁ            ଆସି ଗ୍ରାସି ଦେଲେ

ଦେବ-ବାହିନୀର ବଳ ।

 

ଉତ୍ତାନେ ପଡ଼ି କେ            ଯୋଷା-ଚେଳାଞ୍ଚଳେ,

କେ ବଂଶ-ପାଦପ-ତଳେ,

କେହି ଅର୍ଥ-ପୂର୍ଣ୍ଣ            ପ୍ରାସାଦ ଭିତରେ

ଘୋର ଘର୍ମ ନାଶ କଲେ ।

 

କାହା ଶିରେ କାହା            ବକ୍ଷେ କା’ ମରମେ

କାହା ସର୍ବ ଅବୟବେ

ବାଜିଥିଲା ବିଷ-            ଦିଗ୍‌ଧ ଶରମାନ

ଭୀଷଣ ରାକ୍ଷସୀହବେ ।

 

ଜନ୍ମିଲା ବେଦନା            ତହିଁ ଦେବସେନା-

ଗଣ ହେଲେ କଲବଲ,

ଅଶ୍ୱିନୀସୁତଙ୍କ            ଚିକିତ୍ସାରେ ମଧ୍ୟ

ନ ଦିଶିଲା ଆଶୁଫଳ ।

 

ସେନାପତି ଯାଇ            ସୁରେଶେ କହିଲେ,

ଦୁର୍ଜୟା ଆସୁରୀ ନୀତି,

ଶକ୍ର ଶ୍ରୁତି-ପଥେ            ହୃଦୟେ ପଶିଲା

ଦାରୁଣ ଅସୁର-ଭୀତି ।

 

ପୁରୋଧାଙ୍କୁ ଚାହିଁ            ମଘବା ବୋଇଲେ,

‘‘କହ ଗୁରୋ, ପ୍ରତିକାର,

ନ ହେଲେ ଅସୁର            ଉପଦ୍ରବେ ହେଲା

ସୁର-ପୁର ଛାରଖାର ।

 

ନୀଳାଚଳ ପ୍ରତି            ଯତ୍ନ କରିବାକୁ

କହିଛନ୍ତି ଦେବ ହରି,

ସ୍ୱର୍ଗକୁ ରାକ୍ଷସେ            ବଳେ ପଶିଲେଣି,

ମର୍ତ୍ତ୍ୟେ କି ରହିବେ ଡରି ?’’

 

ଜ୍ଞାନ-ପ୍ରତିଚକ୍ଷୁ            ଲଗାଇ ଗୀଷ୍ଠତି

କାଟିଲେ ଧରମ-ଖଡ଼ି,

ତ୍ରିଦଶାଧିପଙ୍କୁ            କହିଲେ ଧରମ-

ନୀତି-ଫଳ ଶ୍ଲୋକ ପଢ଼ି ।

 

‘‘ସାଧବ-ବଞ୍ଚନ            ମାୟା ପ୍ରଲୋଭନ

ମହାପାପ ଦେବରାଜ,

ବିଶ୍ୱାମିତ୍ରଙ୍କର            ତପୋଭଙ୍ଗ-ତରୁ

ଫଳିତ ହୋଇଛି ଆଜ ।

 

ପୂଜ୍ୟଜନ ମଧ୍ୟେ            ନାରୀମାନଙ୍କର

ପତି ଏକା ପୂଜ୍ୟତମ,

ନ ବୁଝି ଦୁର୍ବାସା            ଶକୁନ୍ତଳା ପ୍ରତି

ଶାପ ଦେଲେ ବହି ତମ ।

 

ସେହି ଶାପବଳେ            ନିର୍ଦ୍ଦୋଷ ଦୁଷ୍ମନ୍ତ

ଭୋଗୁଛନ୍ତି ଘୋର କଷ୍ଟ,

ଧାର୍ମିକ ମାନବ            ଦୁଃଖେ ସୁରପୁରୀ

ହୋଇଅଛି ଶିରୀଭ୍ରଷ୍ଟ ।

 

ନରେଶ ଦୁଷ୍ମନ୍ତ            ନୀତି-ଧର୍ମବନ୍ତ,

ତାଙ୍କୁ କଲେ ସମାଦର,

ତାଙ୍କ ଧର୍ମ-ନୀତି-            ପ୍ରଭାବେ ଅନ୍ତର

ହୋଇଯିବ ରକ୍ଷ-ଦର ।

 

ସେହି ନରପତି            ଅଙ୍ଗେ ବହିଛନ୍ତି

ବହୁ ଦେବତାଙ୍କ ଗୁଣ,

ବୈଷ୍ଣବୀ ଶକତି            ପ୍ରୟୋଗେ ଦାନବ-

ବଳ ନାଶେ ସୁନିପୁଣ ।’’

 

ଶୁଣି ସୁରପତି            ମାତଳିର ପ୍ରତି

ସତ୍ୱର ଆଦେଶ କଲେ,

‘‘ଯାଅ ସୂତ, ରଥ            କରି ସୁସଜ୍ଜିତ

ସତ୍ୱର ଅବନୀତଳେ ।

 

ପ୍ରିୟ-ବନ୍ଧୁ ରୂପେ            ଦୁଷ୍ମନ୍ତ ନୃପଙ୍କୁ

କହି ଆମ୍ଭ ନିମନ୍ତ୍ରଣ,

ଅତି ସମାଦରେ            ସ୍ୟନ୍ଦନେ ବସାଇ

ସ୍ୱର୍ଗେ କର ଆନୟନ ।’’

 

ଆଜ୍ଞା ଶିରେ ଧରି            ପ୍ରଣିପାତ କରି

ଚଳିଲା ସାରଥିବର,

ସ୍ୱର୍ଗୀୟ-ରତନେ            ନନ୍ଦନ-ପ୍ରସୂନେ

ରଥ କରି ମନୋହର ।

 

ନରେଶ ଛାମୁରେ            ଉପଗତ ହୋଇ

ସୁରେଶଙ୍କ ନିମନ୍ତ୍ରଣ,

ବିନୋଦେ ବିନୋଦୀ      କହିଲା ସ୍ୟନ୍ଦନେ

କରିବାକୁ ଆରୋହଣ ।

 

ଶୁଚିବନ୍ତ ହୋଇ            ପ୍ରଦକ୍ଷିଣ କରି

ନରେଶ ଚଢ଼ିଲେ ରଥେ,

ମାତଳି ଚାଳନେ            ଘେନିଗଲେ ଅଶ୍ୱେ

ସୁରରଥ ସୁରପଥେ ।

 

ଅମର-ନଗର            ପୂର୍ବଦ୍ୱାରେ ଯାଇ

ରଥ ହେଲା ଉପଗତ,

ରତ୍ନମୟ-ତୁଙ୍ଗ            ତୋରଣ ଯହିଁରେ

ହୋଇଅଛି ଶୋଭାବନ୍ତ ।

 

ରତ୍ନାକର-ରତ୍ନ            ସକଳ ଯହିଁରେ

ଦିଗବ୍ୟାପୀ ଘନ ପରି,

ଘନେ ଗୁନ୍ଥା ହୋଇ            ନକ୍ଷତ୍ର-ପ୍ରଭାରେ

ନଭ ଦେଉଛନ୍ତି ଭରି ।

 

ରତ୍ନମୟ ନଭ            ଦେଖିଲେ ମାନବ-

ଲୋଭ ରହେ ଅପସରି,

ବିଚାରଇ ବୃଷ୍ଟି-            ଜଳ ସବୁ କୂପ-

ଗର୍ଭେ କି ପାରଇ ଧରି ?

 

ଗୁଣ ଘେନିବାର            ଲୋଭେ ପୂର୍ଣ୍ଣ ଥିଲା

ନରପତିଙ୍କର ହୃଦ,

ସୁର-ଶିଳ୍ପୀ-ଗୁଣ            ଦର୍ଶନେ ତା’ ଗଲା

ଘେନିଲେ ନିର୍ମଳ ମୁଦ ।

 

ପ୍ରଶସ୍ତ ତୋରଣ-            ପଥେ ନୃପ ସୁର-

ପୁରେ କରି ପରବେଶ,

ଦେଖିଲେ ନଗର-            ନିବାସୀଙ୍କ ରମ୍ୟ

ରୂପ, ମନୋହର ବେଶ ।

 

ନିର୍ମଳ-ଶରୀର            ଉଜ୍ଜ୍ୱଳ ବସନେ

ମଣ୍ଡି ସୁରବାଳାଗଣ,

ପ୍ରସନ୍ନ-ବଦନେ            ସଶ୍ରଦ୍ଧ ଲୋଚନେ

ନୃପେ କଲେ ନିରୀକ୍ଷଣ ।

 

ଏକ ନାରୀ ଏକ            ଉଦ୍ୟାନ ପାଦପ-

ମୂଳେ ଦେଉଥିଲା ଜଳ,

ନରେଶଙ୍କୁ ଚାହିଁ            ବିଷଣ୍ଣ ବଦନେ

ଦୃଷ୍ଟି କରିଦେଲା ତଳ ।

 

ନରପତି ପୁନଃ            ପୁନଃ ନିରୀକ୍ଷଣ

କଲେ ସେ ଯୋଷା-ଆନନ,

ମନେକଲେ ସେହି            ମଣ୍ଡିଥିଲା ପରା

ତଟିନୀ-ତଟ-କାନନ ।

 

ପୁଣି ଅନାଇଲେ            ଉଦ୍ୟାନେ ଭ୍ରମଣ

କରୁଛି ତା’ ସହଚରୀ,

ବନେ ଦେଖିଥିଲେ            ଯେଉଁ ଶିଶୁ ସେହି

ଶିଶୁଟିକୁ କୋଳେ ଧରି ।

 

ବନେ ଯେ ଯୁବକ            କୁସୁମ ଆଣିଲା

ସେହି ଦେଖୁଛି ଉଦ୍ୟାନ,

ନୃପ ଆଗମନେ            ଅବା ରଥସ୍ୱନେ

ନାହିଁ ତାଙ୍କ କିଛି ଧ୍ୟାନ ।

 

ମାତଳିକି ନୃପ            ପଚାରିଲେ, ‘‘ଏହି

ଉଦ୍ୟାନର ଚାରି ଜଣ,

ସତତ ସ୍ୱର୍ଗରେ            ଥା’ନ୍ତି, ନା ସମୟେ

କରନ୍ତି ମର୍ତ୍ତ୍ୟେ ଭ୍ରମଣ ?

 

ଜାଣିବାକୁ ମୁଁ କି            ଭାଜନ ସାରଥି

ନାମ ତାଙ୍କ କିସ କିସ,’’

ସାରଥି ବୋଇଲା,            ‘‘ଶୁଣିବାହେଉନ୍ତୁ

ହସ୍ତିନା-ମଣ୍ଡଳାଧୀଶ !

 

ପୁଂସ ନାମ ପ୍ରେମ,            ଯୋଷା ନାମ ପ୍ରୀତି,

ସୁଖ ତାଙ୍କ ସୁତ ନାମ,

ନିର୍ମଳ ପବିତ୍ର            ସ୍ଥାନ ବିଲୋକିଲେ

ଯାଇଥାନ୍ତି ମର୍ତ୍ତ୍ୟଧାମ ।

 

ଯା’ କୋଳେ ବାଳକ      ରହିଛି ହରଷେ,

ମୈତ୍ରୀ ନାମ ଅଟେ ତାର,

ଏହାଙ୍କ ଉଦ୍ୟାନ-            ଫଳେ ପରିପୁଷ୍ଟ

ସତତ ସୁର-ସଂସାର ।’’

 

ଶୁଣି ନରପତି            ବୁଝିନେଲେ ତାଙ୍କ

ବନେ ଦୂର ହେବା କଥା,

ସ୍ୱର୍ଗେ ଆସି ସ୍ୱର୍ଗ-            ସୁଖରୁ ବଞ୍ଚିତ

ଭାବି ନତ କଲେ ମଥା ।

 

ସୁରପତି ପାଇ            ନରପତିଙ୍କର

ଆଗମନ ସମାଚାର,

କର ଧରି ନେଇ            ଆସନେ ବସାଇ

କଲେ ଦିବ୍ୟ ସତକାର ।

 

ବିସ୍ତାରି କହିଲେ            ନିଶାଚରଙ୍କର

ଉପଦ୍ରବ ବିବରଣ,

ଶୁଣି ନରପତି            ଅସୁର-ନାଶନେ-

ବାହାରିଲେ ତତକ୍ଷଣ ।

 

ଅସୁର ଡଗର            ଜଣାଇଲେ ତେଣେ

ଅସୁର-ଭୂପତି ପାଶେ,

‘‘ରକ୍ଷରାଜ, ରଣ            ସକାଶେ ଦୁଷ୍ମନ୍ତ

ଆସୁଛନ୍ତି ମହୋଲ୍ଲାସେ ।’’

 

ଆଚାର୍ଯ୍ୟ ବଦନ            ଚାହିଁ ରକ୍ଷରାଜ

ପଚାରିଲେ ଅଭିମତ,

ଆଚାର୍ଯ୍ୟ ବିଚାରି            କହିଲେ ତାହାଙ୍କୁ

ବିଗତ କଥା ସମସ୍ତ ।

 

‘‘ରକ୍ଷରାଜ, ଯେତେ-      ବେଳେ ଦେବଗଣ

ଅସୁରଙ୍କୁ ଥା’ନ୍ତି ଡରି,

ଦୈବ-ବଳ ଦେଇ            ମାନବୀ-ବୁଦ୍ଧିକି

ରହନ୍ତି ଭରସା କରି ।

 

ଅମରବୃନ୍ଦକୁ            ଜୟ କରିଥିଲା

ମହାବୀର ଦଶାନନ,

ନର-କର-ଶର            ପୀଡ଼ାରେ ସବଂଶେ

ମାନିଲା କାଳ-ଶାସନ ।

 

ରାବଣ-ଭଗିନୀ            ସୂର୍ପଣଖା ଥିଲା

ସେ ମହା-କଳହ-ମୂଳ,

ତୁମ୍ଭ ସୁତା ଯୋଗୁଁ            କୋପାନ୍ୱିତ ଏବେ

ହୋଇଛୁଁ ରାକ୍ଷସକୁଳ ।’’

 

ଶୁଣି ରକ୍ଷରାଜ            ଆଚାର୍ଯ୍ୟ ବଚନ

ମନେ ମନେ ନେଲା ବୁଝି,

ପ୍ରକାଶ୍ୟେ ବୋଇଲା      ‘‘କି ଯଶ ବଢ଼ିବ

ମାନବ ସଙ୍ଗରେ ଯୁଝି ?

 

ମାନବକୁ ଯେବେ            ଭରସା କଲେଣି

ଦେବେ ଲଭି ଆମ୍ଭ ଭୟ,

ଦେବତାଙ୍କ ବଳ            ଜଣାଗଲା, ଏହା

ନୁହେ କି ଆମ୍ଭର ଜୟ ?

 

ଚାଲ ଯିବା ଜୟ-            ପତାକା ଉଡ଼ାଇ

ବଜାଇ ବିଜୟ-ଢକ୍‌କା,

ଚିରଦିନ ପାଇଁ            ରହିଥାଉ ଦେବ-

ହୃଦୟେ ରାକ୍ଷସ-ଶଙ୍କା ।’’

 

ଦଳ-ବଳ ସହ            ରାକ୍ଷସ-ଭୂପତି

ବାହୁଡ଼ିଲା ନିଜ ଦେଶ,

ଅମର-ଡଗର            ସୁରେଶ ଛାମୁରେ

କହିଲା ସେହି ସନ୍ଦେଶ ।

 

ଦୁଷ୍ମନ୍ତ ନୃପଙ୍କ            ଅଭିଯାନ ହେଲା

ଉତ୍ସବରେ ପରିଣତ,

କୁସୁମ-ବର୍ଷଣ            କଲେ ତାଙ୍କ ଶିରେ

ଅମର-ଯୋଷା ସମସ୍ତ ।

 

ଅପ୍‌ସରା-ନର୍ତ୍ତନେ            କିନ୍ନରୀ-ଗାୟନେ

ସ୍ୱର୍ଗ ହେଲା ମଧୁମୟ,

ସୁରବନ୍ଦିଗଣ            ଉଚ୍ଚେ ଉଚ୍ଚାରିଲେ,

‘‘ଜୟ ପୁରୁବଂଶୀ ଜୟ ।’’

 

ଅମର ଶରୀରେ            ଯଯାତି ହରଷେ

ଆଶିଷିଲେ ବାରମ୍ୱାର,

ଅମର-ବିଗ୍ରହ            ପୁରୁ ଆସି ଦେଲେ

ସ୍ୱର୍ଗୀୟ କୁସୁମ-ହାର ।

 

ଜୟନ୍ତଙ୍କୁ କୋଳୁ            ଓହ୍ଲାଇ ବାସବ

ଦୁଷ୍ମନ୍ତଙ୍କୁ କଲେ କୋଳ,

ନିଜ ବକ୍ଷ-ହାର            ଦେଲେ ତାଙ୍କ ବକ୍ଷେ

ମହାନନ୍ଦେ ହୋଇ ଭୋଳ ।

 

ପ୍ରେମ ପ୍ରୀତି ଦୁହେଁ            ଆସି ନିକଟକୁ

ସ୍ନେହେ ଆଲିଙ୍ଗନ କଲେ

ଆନନ୍ଦେ ବୋଇଲେ,      ‘‘ଯାଅ ନୃପ, ସୁଖ

ଲଭିବ ଅବନୀ ତଳେ ।’’

 

ସୁରପତି-ପଦେ            ପ୍ରଣମିଲେ ନୃପ

ବିନୟେ ମେଲାଣି ମାଗି,

ମାତଳିକି ଶକ୍ର            ଆଜ୍ଞା ଦେଲେ ତାଙ୍କୁ

ପହଞ୍ଚାଇଦେବା ଲାଗି ।

 

ନିଜେ ସୁରପତି            ନୃପ-କର ଧରି

ଆରୋହାଇ ଦେଲେ ରଥେ,

ଆନନ୍ଦେ ବୋଇଲେ,      ‘‘ଯାଅ ବତ୍ସ, ତବ

ବାଞ୍ଛା ସିଦ୍ଧ ହେଉ ପଥେ ।’’

 

ବାହୁଡ଼ିବା ପଥେ            ନରପତି କଲେ

ଦର୍ଶନ ନନ୍ଦନ-ବନ,

ସୁବର୍ଣ୍ଣ-କୁସମ-            ବୀଥିରେ ପାଦପେ

ରଚିତ ହୋଇଛି ବର୍ଣ୍ଣ ।

 

ଅମର ଅକ୍ଷର            ପଡ଼ନେ ଜାଣିଲେ

ରଚିତ ହୋଇଛି ଶ୍ଲୋକ,

‘‘ଦୁଷ୍ମନ୍ତ ନୃପଙ୍କ            ପୁଣ୍ୟ-ସୁରଭିରେ

ଆମୋଦିତ ଦେବଲୋକ ।

 

ଦୁଷ୍ମନ୍ତଙ୍କ ଯଶ-            ପଟଳ ଫୁଟିଛି

ନନ୍ଦନେ କୁସୁମ ଛଳେ,

ଉଜ୍ଜ୍ୱଳ କନକ-            ବର୍ଣ୍ଣ ହୋଇଅଛି

ମନ ତାଙ୍କ ପୁଷ୍ପଦଳେ ।

 

ପବିତ୍ର ପ୍ରେମହିଁ            ରହିଅଛି ସେହି

ପୁଷ୍ପଗର୍ଭେ ହୋଇ ମଧୁ,

ହିମବିନ୍ଦୁ ରୂପେ            ଆଶୀର୍ବାଦ ତହିଁ

ଢାଳୁଛନ୍ତି ବିଶ୍ୱବନ୍ଧୁ ।’’

 

ନିଜ ପରଶଂସା            ଅଧିକ ନ ପଢ଼ି

ନୃପ ନେଲେ ବେଗେ ରଥ

ସ୍ୱର୍ଣ୍ଣଦୀ-ପୁଳିନେ            ଓହ୍ଲାଇ ଦେଖିଲେ

ଲିପି ଅଛି ଶତ ଶତ ।

 

ଶମ୍ଭୁଳ-ପଟଳ            ଲେଖି ଦେଇଛନ୍ତି

‘‘ଧନ୍ୟ ଧନ୍ୟ ପୁରୁବଂଶ, ’’

ପଢ଼ି ଜଳେ ପଶି            ଘୋଷୁଛନ୍ତି ତାହା

ଅଗଣିତ ରାଜହଂସ ।

 

ଶୁଣି ଶୁଣି ତାହା            ଭ୍ରମି ଥରେ ପୁଣି

ବାସବ-ସ୍ୟନ୍ଦନେ ବସି,

ଚଳିଲେ ଭୂପତି            ମାତଳି ନିକଟେ

ନିଜ ଭାଗ୍ୟ ପରଶଂସି ।

 

ନିର୍ମଳ ମରୂତ-            ମଣ୍ଡଳକୁ ଲଘିଂ

ରଥ ପ୍ରବେଶିଲା ବେଗେ,

ଉଚ୍ଚ ପରବତ            ମସ୍ତକକୁ ଯହିଁ

ଚୁମ୍ୱନ କରନ୍ତି ମେଘେ ।

 

ଘନ-ଘୃଷ୍ଟ-ରଥ            ପଦ-ବିକୀରିତ-

ନିର୍ମଳ-ସଲିଳ-କଣ,

ପାନ କଲେ ସୁଖେ            ପର୍ବତ-ବିବରୁ

ବାହାରି ଚାତକଗଣ ।

 

ତଡ଼ିତ-କାନ୍ତିରେ            ଅଶ୍ୱତନୁ ହେଲା

ମୁହୁର୍ମୁହୁଃ ସମୁଜ୍ୱଳ,

ତା’ ପରେ ଦୃଷ୍ଟିରେ            ଆବିର୍ଭୁତ ହେଲା

ଶ୍ୟାମଳ ଅବନୀ-ତଳ ।

 

ପର୍ବତ-ଶିଖର            ଦିଶିଲା ଗଗନ-

ସୋପାନେ ଚଢ଼ିଲା ପରି,

ଭୂତଳ ଦିଶିଲା            ପର୍ବତକୁ ଯେହ୍ନେ

ଟେକି ଦେଉଅଛି ଧରି ।

 

ଅଥବା ତ୍ରିଦିବ-            ବିଳାସୀ ନୃପତି

ପ୍ରତି ହୋଇ ମାନବତୀ,

ନିକଟ ନିକଟ            ହେଲେ ଦୂର ଦୂର

ହେଉଅଛି ବସୁମତୀ ।

 

କ୍ରମଶଃ ଦିଶିଲା            କେହି ସହଚରୀ

ମହୀକି ମଧୁରାଶ୍ୱାସ

ଦେଇ, ଆଣୁଅଛି            ସ୍ୱର୍ଗ-ପ୍ରତ୍ୟାଗତ

ପ୍ରଶଂସିତ ନୃପ ପାଶ ।

 

ପାଦପେ ମସ୍ତକ            ଉତ୍ତୋଳନ କଲେ

ଅବନୀ ଲୁଣ୍ଠନ ଛାଡ଼ି,

ସୁପ୍ତ ବିହଙ୍ଗମେ            ଶିର ଟେକି ଯଥା

ଉଠିଥାନ୍ତି ଡେଣା ଝାଡ଼ି ।

 

ମାର୍ଗରେ ପଡ଼ିଲା            ହେମକୂଟ ନାମେ

କିଂପୁରୁଷ ପରବତ,

ଗୋଧୂଳିକାଳୀନ-            ଭାନୁକର-ଦୀପ୍ତ

ମେଘ ପ୍ରାୟେ ପ୍ରଭାବନ୍ତ ।

 

ବାସବ ବରୁଣ            ସାଗର କଲ୍ଲୋଳ

ଧୋଉଛନ୍ତି ଯା’ର ପାଦ,

ଉଦୟାସ୍ତ ରବି-            ପ୍ରଦୀପେ ଆରତି

ଦେଇ ଗାଇ ସ୍ତୁତିବାଦ ।

 

କାଦମ୍ୱିନୀ ଲଭି            ବିରାଟ ବିଗ୍ରହ

ମଧୁମୟ ଘରଷଣ,

ଅଙ୍ଗରାଗରୂପେ            ଅଙ୍ଗେ ଜଡ଼ି ଯା’ର

ଭୁଲେ ବାରିବରଷଣ ।

 

ବାର ମାସ ଯହିଁ            ବସନ୍ତ ବିହରେ

ଘେନି ସର୍ବବିଧ ଫୁଲ,

ମହାନନ୍ଦଭରେ            ଭ୍ରମନ୍ତି ଭ୍ରମରେ

କୂଜନ୍ତି କୋକିଳକୁଳ ।

 

ସରେ ସରେ ଯହିଁ            ସ୍ୱର୍ଣ୍ଣ-କମଳିନୀ

ଶୋଭା ବିକଶିତ କରେ,

ରତ୍ନରାଜି ଯହିଁ            ତିମିର ନାଶନ୍ତି

କିନ୍ନରଙ୍କ ଘରେ ଘରେ ।

 

ସ୍ୱର୍ଣ୍ଣ-କମଳିନୀ-            ଅଙ୍ଗ ଛୁଇଁବାକୁ

ଦିବାକର-କର ଥରେ,

ମଧ୍ୟାହ୍ନ ନିଭୃତେ            ଲୁଚି ଲୁଚି ତେଣୁ

ପଶିଥାଏ ଡରେ ଡରେ ।

 

କିନ୍ନରୀ ଗାୟନେ            ବିହଙ୍ଗ କୂଜନ

ମାତ୍ର ବାଦ ହୁଏ ତହିଁ,

ବରଷା ବୋଇଲେ            ବୁଝନ୍ତି ତହିଁରେ

ତରୁପୁଷ୍ପ ବରଷଇ ।

 

ଯେତିକିରେ ଫୁଲ            ଫଳ ଉପୁଜିବ

ତେତିକି ପଡ଼େ କାକର,

କିନ୍ତୁ ଫଳ ମୂଳ            ବଳି ପଡ଼ିଥାଏ

ପୂରାଇ ଲୋକ ଉଦର ।

 

ତପସ୍ୱୀ-ମଣ୍ଡଳ            ତପ ସାଧିଥାନ୍ତି

ତହିଁ ରହି ନିରାପଦେ,

ସିଦ୍ଧିହିଁ ସେ ସ୍ଥଳେ            ନ ପାରନ୍ତି ତେଜି

ନିତି ପୂଜା ଲଭି ପଦେ ।

 

ସୁରାସୁର-ପିତା            କଶ୍ୟପ ସେ ନଗେ

କରନ୍ତି ସସ୍ତ୍ରୀକ ବାସ,

ସୁରାସୁରଙ୍କର            ଭକତି ତହିଁରେ

ବିଳସେ ଲଭି ଉଲ୍ଲାସ ।

 

ସମସ୍ତେ ଅଜାତ-ଶତ୍ରୁ,      ସେ ପର୍ବତେ

ନିବସନ୍ତି ଯେତେ ଜନ୍ତୁ,

ପରସ୍ପରହିତ-            ସାଧନେ ନିରତ

ହୋଇଥାନ୍ତି ଅଧିକନ୍ତୁ ।

 

କୁଶାଙ୍କୁର ଆଣି            ଶାର୍ଦ୍ଦୂଳ ସସ୍ନେହେ

ଦିଏ ମୃଗ-ଶିଶୁ-ମୁଖେ,

ଗଜ-ଶିଶୁ ପାଇ            କେଶରୀ ହସ୍ତରୁ

କପିତ୍‌ଥ ଭୁଞ୍ଜଇ ସୁଖେ ।

 

ମାତଳିକି ନୃପ            ସାଗ୍ରହେ ପୁଚ୍ଛିଲେ

ପର୍ବତର ପରିଚୟ,

ପ୍ରଶଂସି ମାତଳି            କହିଲା ଗିରିର

ମନୋରମ କଥାଚୟ ।

 

କଶ୍ୟପ ଚରଣେ            ଅର୍ଚ୍ଚିବାକୁ ନୃପ

ରଥ ଓହ୍ଲାଇଲେ ତଳେ,

ଦେଖିଲେ ସ୍ୟନ୍ଦନ            ଗଗନେ ଯେସନ

ଭୂତଳେ ତେସନ ଚଳେ ।

 

ଚକ୍ର ନ ପଶଇ            ଧୂଳି ବାଲି ମଧ୍ୟେ

ନ ନାଚେ ଅସମ ତଳେ

ଚଳେ ଯଥା ହଂସ            ଅବାତ କମ୍ପିତ

ଗଭୀର ସରସୀ-ଜଳେ ।

 

ତହିଁ ଲାଗି ନୃପ            ସାରଥି ବଦନ

ଅନାଇଲେ ଚମତ୍କାରେ,

ସୁରେଶ-ନରେଶ-            ରଥ-ତାରତମ୍ୟ

ଜ୍ଞାତ ହେଲେ ସେହିଠାରେ ।

 

ଅଦୂରେ ଦେଖିଲେ            ମୁନି ଏକ’ଛନ୍ତି

ନଶ୍ଚଳ ଅଚଳ ରୂପେ,

ପାଦୁଁ କଟିଯାଏ            ତାହାଙ୍କ ମଜ୍ଜିତ

ହୋଇଛି ବଲ୍ମୀକ-ସ୍ତୂପେ ।

 

ବିଷଧର-ଚର୍ମ-            ଉପବୀତ ସହ

ହୋଇଅଛି ଉପବୀତ,

ଜୀର୍ଣ୍ଣ-ଲତା-ଜାଲ            ବେଢ଼ି କଣ୍ଠଦେଶ

କରୁଅଛି ନିପୀଡ଼ିତ ।

 

ରବି-ଅଭିମୁଖୀ            ହୋଇ ସ୍ଥାଣୁ ପରି

ରହିଛନ୍ତି ମୁନିବର,

ସ୍କନ୍ଧ-ବିଳମ୍ୱିତ            ଜଟା-ମଣ୍ଡଳରେ

ପକ୍ଷୀ କରିଛନ୍ତି ଘର ।

 

ରଥୁଁ ଅବତରି            ନରପତି ସେହି

ମୁନିଙ୍କି ପ୍ରଣାମ କରି,

ଆଶ୍ରମ-ଦର୍ଶନ-            ସୁଖ-ପୀୟୁଷରେ

ମନପ୍ରାଣ ଦେଲେ ଭରି ।

 

ଦେଖିଲେ ଆଶ୍ରମ            କଳପ-ପାଦପ-

ଛାୟା-ସୁଶୀତଳ ତଳ,

ସୁଲଭ ତହିଁରେ            ହେବ-କମଳିନୀ-

ସୁରଭି-ବାସିତ ଜଳ ।

 

ପଥର ପରାଏ            ପଡ଼ି ରହିଅଛି

ଯହିଁ ତହିଁ ମଣିଶିଳା,

ସ୍ନେହ ବିତରଣ            କରୁଛନ୍ତି ବୁଲି

ସୁରବାଳା ସ୍ନେହଶୀଳା ।

 

ସୁର-ବନିତାଙ୍କ            ଗତି ରୀତି ଦେଖି

ସ୍ୱତଃ ହେଲା ନୃପ ମନେ,

ବନ୍ଦନ୍ତେ ଚରଣ            ତୋଷନ୍ତେ ଶ୍ରବଣ

‘ମାଆ’ ଶବ୍ଦ ସମ୍ୱୋଧନେ ।

 

ତେମନ୍ତେ ତପସ୍ୟା-            ଫଳ-ସ୍ଥଳେ ପୁଣି

ତପସ୍ୟା ରହିଛି ଲାଗି,

ବିଚାରିଲେ ନୃପ            ସେହି ତାପସଙ୍କ

ତପ ନୁହେ ନିଜ ଲାଗି ।

 

ସ୍ୱର୍ଗରୁ ଅଧିକ            ମନୋରମ ପୁଣି

ସୁଖକର ଏହି ସ୍ଥଳ,

ଅବଶ୍ୟ ଜଗତ-            ଜନ-ଭୋଗ୍ୟ ହେବ

ଏଠାରେ ତପସ୍ୟା ଫଳ ।

 

ନିଜ ପାଇଁ ଲୋକେ            ତପ କରିଥାନ୍ତି

ଦୁଃଖ ପରେ ସହି ଦୁଃଖ,

ପରସୁଖ ପାଇଁ            ତପ-ସାଧନାରେ,

ତ୍ୟକ୍ତ ହୋଇଥାଏ ସୁଖ ।

 

ତଳୁ ଉପରକୁ            ଉଠିଥିବା ଲୋକ

ଜାଣିଥାଏ ତଳ କଥା,

ଉଚ୍ଚାସନେ ଥାଇ            ଯତ୍ନ କରିଥାଏ

ହରିବାକୁ ତଳ ବ୍ୟଥା ।

 

ମୋ’ ସୁଖ ଜଗତେ            ବିତରିବା ପାଇଁ

ହେଉଛି ଏଠାରେ ମନ,

ନିଜ ସୁଖ କିହିଁ            ଏକାକୀ ଭୁଞ୍ଜିବେ

ସ୍ୱଭାବ-ତିତିକ୍ଷୁ-ଜନ ?

 

ଶକ୍ର-ସୂତ ଗଲା            ସେଠାରୁ କଶ୍ୟପେ

ସମାଚାର ଦେବା ପାଇଁ,

ଅଶୋକ-ପାଦପ-            ତଳେ ନରପତି

ରହିଲେ କାନନ ଚାହିଁ ।

 

‘‘ଛାଡ଼ ଛାଡ଼ ଦୁଷ୍ଟ,            ଛାଡ଼ ରେ’’ ଶବଦ

ପଡ଼ିଲା ନୃପତି-କର୍ଣ୍ଣେ,

ଦେଖିଲେ କେଶରୀ-      ଶାବକ-କେଶର

ଧରିଛି ବାଳକ ଜଣେ ।

 

ଚମତ୍କୃତ ହୋଇ            ହସ୍ତିନା-ଭୂପତି

ବାଳକର ପରାକ୍ରମେ,

କୌତୁକଦର୍ଶନ-            ମାନସେ ତାହାର

ସମୀପକୁ ଗଲେ କ୍ରମେ ।

 

ତାପସୀଏ ପୁଣି            ବୋଇଲା ଶିଶୁକୁ,

‘‘ଛାଡ଼ିଦିଅ ଆରେ ଦୁଷ୍ଟ,

ବାଳ-ଚପଳତା            ଛାଡ଼ିଯିବ ତୋର

କେଶରିଣୀ ହେଲେ ରୁଷ୍ଟ ।

 

ଏ କି ଦୁଃସାହସ,            ସିଂହଶିଶୁ ସୁଖେ

କରୁଥିଲା ସ୍ତନ୍ୟପାନ,

ବଳେ ଆଣି ତାର            ଦନ୍ତ ଗଣୁଅଛୁ,

କରିଛୁ କି ମୃଗ-ଜ୍ଞାନ ?

 

ଅଧର ଲମ୍ୱାଇ            ‘‘ଏତକେ ଡରିଲି’’

ବୋଲି ଉପହାସ ଛଳେ,

କେଶରୀ-ଶାବକ-            କେଶରକୁ ଶିଶୁ

ଧଇଲା ଅଧିକ ବଳେ ।

 

ଅନ୍ୟ ତପସ୍ୱିନୀ            ବୋଇଲା, ‘‘ସଜନି’,

କେବେ କି ସେ ଥାଏ ଡରି,

ମୁନି ମୁଖୁଁ ସର୍ବ-            ଦମନ ନାମ ସେ

ପାଆନ୍ତା ଆଉ କିପରି ?’’

 

ସଙ୍କେତେ ବୋଇଲା,      କ୍ରୀଡ଼ାଦ୍ରବ୍ୟ ଦାନ

ପ୍ରଲୋଭନେ ତାକୁ ଭଣ୍ଡ,

ନ ହେଲେ କେଶରୀ-      ଶାବକକୁ ଧରି

ଦେଉଥିବ କେତେ ଦଣ୍ଡ ।

 

ପ୍ରଥମା ବୋଇଲା,            ‘‘ମୃଗେନ୍ଦ୍ର-ଶାବକ

ଛାଡ଼ିଦିଅ ମୋର ବାପ,

ସୁତ-କଷ୍ଟ ଚାହିଁ            ଜନନୀ ତାହାର

ମନେ ଲଭୁଥିବ ତାପ ।

 

ଖେଳିବା ନିମନ୍ତେ            ମୋହଠାରୁ ଏବେ

ଅନ୍ୟ କ୍ରୀଡ଼ନକ ନିଅ,’’

ତା’ ଶୁଣି ବାଳକ            କର ପ୍ରସାରିଲା

କହି, ‘‘ଦିଅ, ଦିଅ ଦିଅ ।’’

 

ଚାହିଁଲେ ନୃପତି            ଶିଶୁ ହସ୍ତ ଯେହ୍ନେ

ନବ-ବିକଶିତ ପଦ୍ମ,

ଚକ୍ରବର୍ତ୍ତୀ-ଚିହ୍ନ            ସକଳ ତହିଁରେ

ରହିଛନ୍ତି କରି ସଦ୍ମ ।

 

‘‘ଆଣୁଅଛୁଁ’’ ବୋଲି,            ଉଭୟ ତାପସୀ

ସତ୍ୱର ସେଠାରୁ ଗଲେ,

‘‘ଆଣିଲେ ଛାଡ଼ିବି’’            ବୋଲି ଶିଶୁ ସିଂହ-

ଶିଶୁକୁ ଧଇଲା ବଳେ ।

 

ମାଗୁଁ ତାପସୀଏ            ଲେଉଟି କହିଲା

ନୃପତିଙ୍କ ମୁଖ ଚାହିଁ,

‘‘ଦେଖ ମହାଶୟ,            ଏ ଦୁଷ୍ଟ ବାଳକ

ସିଂହ-ଶିଶୁ ଛାଡ଼ୁନାହିଁ ।’’

 

କୁମାରଙ୍କୁ ଚାହିଁ            ନୃପଙ୍କର ହୃଦ

ହୋଇଗଲା ଦ୍ରବୀଭୂତ,

ମନେ ବୋଲୁଥିଲେ,            ‘ଧନ୍ୟ ସେହି ଲୋକ,

ଏ ଶିଶୁ ଯାହାର ସୁତ ।

 

କୋଳେ ଧରି ମୁଖେ      ଚୁମ୍ୱନ ଦେବାକୁ

ହେଉଅଛି ମୋର ଚିତ୍ତ,

କେମନ୍ତେ ମୋ ସ୍ନେହ      ଘେନିବ ବାଳକ

ମୁଁ ଯେ ତା’ ଅପରିଚିତ ?

 

ଦରଶନ ଯା’ର            ଏଡ଼େ ସୁଖକର

ସ୍ପରଶ କେଡ଼େ ମଧୁର,

ସ୍ପରଶ-ଲାଳସା            ଲାଗିଛି ଦର୍ଶନ-

ସୁଖ କରିବାକୁ ଦୂର ।’

 

ସ୍ପରଶ-ଲାଳସା            ଦରଶନ-ସୁଖ-

ସଙ୍ଗେ କରି ଘୋର ଯୁଦ୍ଧ,

ନୃପତି-ହୃଦୟ-            ସମର-ଭୂମିକୁ

କରିଦେଲେ କ୍ଷଣେ କ୍ଷୁବ୍‌ଧ ।

 

ନୃପତି ବୋଇଲେ,            ‘‘ତାପସ-କୁମାର,

କିମ୍ପା ଏଡ଼େ ହରବର,

ସିଂହ-ଶିଶୁ ସହ            ବୀରଭାବ ତେଜି

ତାପସ ସ୍ୱଭାବ ଧର ।

 

ନୃପକୁ ତାପସୀ            ବୋଇଲା, ‘‘ଏ ଶିଶୁ

ତାପସ-ନନ୍ଦନ ନୁହେଁ,’’

ନୃପତି ବୋଇଲେ,            ‘‘ତାପସ ମଣିଲି

ଥିବାରୁ ତାପସ-ଗୃହେ ।’’

 

ତା’ପରେ ନୃପତି            ସ୍ନେହ-ସହକାରେ

ଧରି ବାଳକର କର,

ହୃଦ-କ୍ଷୋଭ ସହ            କେଶରୀ-ଶିଶୁକୁ

କରାଇଦେଲେ ଅନ୍ତର ।

 

ଦ୍ରବୀଭୂତ ସ୍ୱର୍ଣ୍ଣ-            ଖଣ୍ଡଦ୍ୱୟ ଯଥା

ମିଶି ହୁଏ ଏକ ଦେହ,

ସ୍ନେହର ବାଳକ            ନୃପେ ମିଶିଗଲା

ପାଇ ମଧୁମୟ ସ୍ନେହ ।

 

ନୃପ ସହ ସର୍ବ-            ଦମନର ଚାହିଁ

ଏକରୂପ ଏକାକାର,

ତାପସୀ-ହୃଦୟେ            ଆହ୍ଲାଦ ସହିତ

ନୃତ୍ୟ କଲା ଚମତ୍କାର ।

 

ଶିଶୁ-କର ଧରି            ରାଜା କରି କରି

ସ୍ପର୍ଶ-ସୁଖ ଅନୁଭବ,

ବୋଇଲେ,‘‘ସୁଶୀଳେ,      ଏ କୁମରମଣି

କେଉଁ ବଂଶେ ସମୁଦ୍ଭବ ?’’

 

‘‘ପୁରୁବଂଶେ’’ ଏହି            ଉତ୍ତର ଶ୍ରବଣେ

ପୁଣି ବିଚାରିଲେ ମନେ,

‘ପୁରୁବୃଦ୍ଧମାନେ            ଚରମ ସମୟେ

ବାସ କରିଥାନ୍ତି ବନେ ।’

 

ପୁଣି ପଚାରିଲେ,            ‘‘ଏ ସ୍ଥାନକୁ ହୋଇ-

ପାରେ କି ମାନବ-ଗତି ?’’

ଉତ୍ତର ପାଇଲେ,            ‘‘ସେ ବିଧି ନ ଖଟେ

ଶିଶୁର ଜନନୀପ୍ରତି ।

 

ଦେବଗୁରୁ ବଂଶ-            ଗରଭସମ୍ଭୂତା

ଶିଶୁର ଗର୍ଭଧାରିଣୀ,

ଭାଗ୍ୟ-ଦୋଷେ ଆସି      ପୁତ୍ର ଜାତ କଲା

ହୋଇ ଏ ବନଚାରିଣୀ ।’’

 

ଭାବିଲେ ନୃପତି,            ‘ଆଶା-ମରୀଚିକା’

ଧରୁଅଛି ହ୍ରଦାକର,

ଜଣାଯିବ ଏବେ            ଅଛି କି ନା ତହିଁ

ପ୍ରବେଶର ଅଧିକାର ।’

 

ବିସ୍ମୟେ ବୋଇଲା,            ‘‘ବାଳକର ପିତା

ନାମ କିସ ଅଛି ଜଣା ?’’

ତାପସୀ ବୋଇଲା,            ‘‘ଅଧାର୍ମିକ ନାମ

ଉଚ୍ଚାରିବା ଏଥି ମନା ।’’

 

ଜନନୀର ନାମ            ଜାଣିବାକୁ ନୃପ

କରୁଥିଲେ ଅଭିଳାଷ,

ଭାବିଲେ, ‘ତା’ ହେଲେ      ହେବ ଏକା ସିନା

ଅଭଦ୍ରତା ପରକାଶ ।’

 

ଅପରା ତାପସୀ            ମୃତ୍ତିକା ମୟୂର

ଏକ ଆଣି ଧରି କରେ

ବୋଇଲା ଶିଶୁକୁ,            ‘‘ଶକୁନ୍ତ-ଲାବଣ୍ୟ

ଦେଖ ଦେଖ ବତ୍ସ ! ଥରେ ।’’

 

‘ଶକୁନ୍ତଳା’ ବୁଝି            ବୋଇଲା ବାଳକ,

‘‘କାହିଁ ମୋ ଜନନୀ କାହିଁ ?’’

ତାପସୀ ବୋଇଲା,            ‘‘କହୁଛି ସୁନ୍ଦର

ମୟୂର ଦେଖିବା ପାଇଁ ।’’

 

ନୃପ ବିଚାରିଲେ,            ‘ଶିଶୁର ଜନନୀ

ନାମ ହେଲା ଶକୁନ୍ତଳା,

କେତେ ଭାଗ୍ୟବତୀ            ସେ ନାମ ବହନ୍ତି,

ତା’ ଘେନି ଦ୍ୱିଧା ନ ଗଲା ।’

 

ମୃତ୍ତିକା-ମୟୂର            ଧଇଲା ବାଳକ

ଯାଇ ତପସ୍ୱିନୀ ପାଶ,

ସନ୍ତୋଷ ସୂଚନା            କଲା ତା’ ଅଧରେ

ଫୁଟି ମନ୍ଦ ମନ୍ଦ ହାସ ।

 

ଦେଖିଲା ତାପସୀ,            ଶିଶୁ-ମଣିବନ୍ଧେ

ରକ୍ଷା-କାଣ୍ଡ ତାର ନାହିଁ,

କାହିଁ ପଡ଼ିଗଲା            ବୋଲି ଅନ୍ୱେଷଣ

କଲା ଇତସ୍ତତଃ ଚାହିଁ ।

 

ଏଣେ ନରପତି            ରକ୍ଷା-କାଣ୍ଡଟିକି

ତଳୁ ଉଠାଇଲେ କରେ,

‘‘ଛୁଅଁନା, ଛୁଅଁନା’’            ବୋଲି ତପସ୍ୱିନୀ

କହୁଁ କହୁଁ ତରତରେ ।

 

ଚାହିଁ ତପସ୍ୱିନୀ-            ଯୁଗଳ ବିସ୍ମୟେ

ବକ୍ଷସ୍ଥଳେ ଦେଇ ହସ୍ତ,

ଭୟ ହୃଦେ ଭରି            ‘‘କି ହେଲା, କି ହେଲା’’

ବୋଲି ହେଲେ ମହାବ୍ୟସ୍ତ ।

 

ନୃପତି ବୋଇଲେ,            ‘‘କିସ ହେଲା କାହିଁ-

ପାଇଁ ଏତେ ଉଦବିଗ୍ନ,

ମୋହୋ ସ୍ପରଶରେ            ଶିଶୁ-ରତନର

ମଙ୍ଗଳେ ହେବ କି ବିଘ୍ନ ?’’

 

ତାପସୀ ବୋଇଲେ,            ‘‘ଅମଙ୍ଗଳ କିଛି

ନାହିଁ ଶିଶୁରତନର,

ପିତା ବିନା ଅନ୍ୟ-            ହସ୍ତକୁ ଗଲେ ତା’

ହୋଇଥାଏ ବିଷଧର ।

 

ନିଜେ ଶିଶୁ ଅବା            ଜନନୀ ତାହାର

କରିପାରେ ତା’ଗ୍ରହଣ,

ଅନ୍ୟ ଲୋକ ତାହା            ଗ୍ରହଣ କରିବା

କେବଳ ମୃତ୍ୟୁବରଣ ।

 

ଜାତକର୍ମବେଳେ            ଶିଶ-କରେ ଦେଇ-

ଥିଲେ ତା’ ବାସବ ପିତା,

ଅଶୁଭ-ନାଶନ            ସୁର ମହୌଷଧି

ନାମ ତା ‘ଅପରାଜିତା’ ।’’

 

ନୃପତି ବୋଇଲେ,            ‘‘ଅନ୍ୟ କରେ ଯାଇ

ପ୍ରାଣ ନାଶିଛି କି କାର ?’’

ତାପସୀ ବୋଇଲା,            ‘‘ଥରେ ନୁହେ ତାହା

ଘଟିଅଛି ବହୁବାର ।’’

 

ନୃପତି ଭାବିଲେ,            ‘ଏତେ ପ୍ରମାଣରୁ

ଆଉ କି ଅଛି ସଂଶୟ,

ନିଶ୍ଚୟ ବାଳକ            ମୋହୋ ପ୍ରଣୟିନୀ

ଶକୁନ୍ତଳାର ତନୟ ।’

 

‘‘ମୋ ପୁତ୍ର, ମୋ ପୁତ୍ର’’’      ବୋଲି ବାଳକକୁ

ଧରି କଲେ ଆଲିଙ୍ଗନ,

ଆନନ୍ଦ-ଜନିତ            ଲୋତକେ ବେନିଙ୍କ

ତିନ୍ତିଗଲା ଅପଘନ ।

 

ବାଳକ ବୋଇଲା,            ‘‘ଛାଡ଼ କିମ୍ପା ଆସି

ଏମନ୍ତ ହୁଅ ମୋ କତି,

ତୁମ୍ଭେ ନୁହ ମୋର            ଜନକ, ମୋ’ ପିତା

ଦୁଷ୍ମନ୍ତ ହସ୍ତିନା-ପତି ।’’

 

ବାଳକ ଆପତ୍ତି            ନ ଘେନି ନୃପତି

ଚୁମ୍ୱ ଦେଲେ ବାରମ୍ୱାର,

ତା’ ଚାହିଁ ବାଳକ,            ଚାହିଁ ତାପସାଏ

ମଣୁଥାନ୍ତି ଚମତ୍କାର ।

 

ଆନନ୍ଦ ଉପରେ            ଆନନ୍ଦ ନୃପଙ୍କ

ହୃଦୟରେ କଲା ନୃତ୍ୟ,

ମନ ସହିତରେ            ଜୀବନ ଉଲ୍ଲସି

ହୋଇଗଲେ କୃତକୃତ୍ୟ ।

 

ତାପସାଏ ଯାଇ            କହିଲା ସେ କଥା

ସବୁ ଶକୁନ୍ତଳା ପାଶ,

ଶକୁନ୍ତଳା ଆଶା            ସହ ସମ୍ମିଳିତ

ନ ହେଲା କିନ୍ତୁ ବିଶ୍ୱାସ ।

 

ଶକୁନ୍ତଳା ଆସି            ସ୍ୱନେତ୍ରେ ଦେଖିଲେ

ପୁତ୍ର ଅଛି ପିତା-ଅଙ୍କେ,

ରହିଗଲେ ହର୍ଷ-            କମଳ-ମଣ୍ଡିତ

ବିଷମ-ବିଷାଦ-ପଙ୍କେ ।

 

ଚକିତେ ବିସ୍ମୟେ            କୁମାର ବୋଇଲା

ଜନନୀ-ବଦନ ଚାହିଁ,

‘‘ମା ଗୋ, ଏହି ଲୋକ       ପୁତ୍ର ବୋଲି ମୋତେ

ଧରୁଛନ୍ତି କାହିଁ ପାଇଁ ?

 

ବାରମ୍ୱାର ମୋତେ            କୋଳ କରୁଛନ୍ତି

ଘେନୁନାହାନ୍ତି ମୋ’ ମନା,

ଦେଖ ତ କାହିଁକି            ହୋଇଯାଉଛନ୍ତି

ଏମନ୍ତ ଉଷତମନା ?’’

 

କହି କହି ଶିଶୁ            ଏକ କର ନେଇ

ଧଇଲା ଜନନୀ-କର,

ଅପର ହସ୍ତଟି            ରହିଥିଲା ସ୍ନେହ-

ବନ୍ଧେ ନରପତିଙ୍କର ।

 

ନ ନିଏ ନୃପତି-            କରୁଁ କର ଶିଶୁ

ନ ଛାଡ଼େ ଜନନୀ-କର,

ଆକର୍ଷଣେ ଦୁଃଖ            ତଡ଼ି ସୁଖ ବୃଦ୍ଧି

କରିଦେଲା ଦୁହିଁଙ୍କର ।

 

କେହି କାହା କଥା            କହିବାକୁ ଆଉ

ହେଲା ନାହିଁ ଅବସର,

ଭଗୀରଥ ହୋଇ            ମିଳାଇଲା ଶିଶୁ

ସୁରଧୁନୀ ରତ୍ନାକର ।

 

କୁମର-ବଚନେ            ଶକୁନ୍ତଳା ପ୍ରାଣ

ହୋଇଗଲା ସୁଧାସ୍ନାତ,

କାନ୍ତ-ଦରଶନେ            ପୁଲକ ଛଳରେ

ପ୍ରାମାଙ୍କୁର ହେଲା ଜାତ ।

 

ହାସ ତା’ ଅଧରେ            ନ ଫୁଟି ବଦନେ

ନେତ୍ରେ ହେଲା ସଞ୍ଚାରିତ,

ନବୀନ ମୃଦ୍‌ଘଟ-            ଜଳ ବାହାରକୁ

ହୁଏ ଯଥା ସଂକ୍ଷରିତ ।

 

ବୁଝିଥିଲା ବାମା            ମାତା ଲାଗି ତାର

ଘଟିଛି ପତି-ବିରହ,

ପତି-ପ୍ରେମ ସ୍ମରି            ଦର୍ଶନ-ଲାଳସେ

ଥାଏ ତହିଁ ଅହରହ ।

 

ମନେ କରୁଥାଏ            ପ୍ରଣୟ-ପାଳନେ

ହୋଇଛି ନିଜେ ଅକ୍ଷମା,

ପତି-ଦରଶନ            ଲଭିଲେ ଚରଣେ

ବିନୟେ ମାଗନ୍ତା କ୍ଷମା ।

 

ରାଜା ଭାବୁଥିଲେ            ପ୍ରେମ-ମୂରତିକି

ପ୍ରଣୟ-ପୀଠେ ଆରାଧି,

ନ ପାରି ଧରମ            ଲଘିଂ ନିଜେ ହୋଇ-

ଛନ୍ତି ମହା ଅପରାଧୀ ।

 

କେଉଁ କଥା କହି            କେମନ୍ତ କ୍ଷାଳନ

କରାଇବେ ନିଜ ଦୋଷ,

ଅଙ୍ଗୁରୀୟ ଲାଭ-            କଥା କହିଲେ କି

ଜନ୍ମିବ ପ୍ରିୟାର ତୋଷ ?

 

ଛଅ ବରଷର            ବିରହ-ଯାତନା

କେଉଁଆଡ଼େ ଗଲା ଉଡ଼ି,

ପରସ୍ପର ମୁଖ            ଦେଖି ସୁଖୀମୃତ-

ପାରବାରେ ଗଲେ ବୁଡ଼ି ।

 

କୁମାର-ଚନ୍ଦ୍ରମା            ତହିଁକି ଉଲ୍ଲାସେ

ବଢ଼ାଇ ଦେଇଛି କର,

ଲହରୀ ଉପରେ            ଲହରୀ ମେଲିଲା

ଦମ୍ପତି-ସୁଖ-ସାଗର ।

 

ପବିତ୍ର ଦମ୍ପତି-            ପ୍ରେମ ସୁଖ ଚାହିଁ

ଗିରି ହେଲା ପୁଲକିତ,

ଫୁଟିଗଲା ଫୁଲ-            କଳିକା, ଫୁଟିଲା

କୁସୁମ ହେଲା ସ୍ଫଳିତ ।

 

ନବୀନ ଆନନ୍ଦେ            ବିହଙ୍ଗମଗଣ

କଲେ ମଧୁମୟ ଗାନ,

ସ୍ତନ୍ୟପାନ ତେଜି            ଆନନ୍ଦେ ନାଚିଲେ

ହରିଣ-ଶାବକମାନ ।

 

ଏମନ୍ତ ସମୟେ            ସୁରାସୁର-ଗୁରୁ

ହେଲେ ତହିଁ ଉପଗତ,

ଚରଣେ ତାଙ୍କର            ପଡ଼ଲେ ତିନିହେଁ

ଯୁଗ୍ମ ଯୁଗ୍ମ କରି ହସ୍ତ ।

 

ହସି ମହାମୁନି            ଆଶିଷିଲେ, ‘‘ତୁମ୍ଭ

ସର୍ବଦୁଃଖ ହେଉ କ୍ଷୟ,

କୁମର-ରତନ            ହେଉ ତୁମ୍ଭ କୁଳେ

ବୃଦ୍ଧିଶୀଳ-ଜ୍ୟୋତିର୍ମୟ ।

 

ଉଦୟାଶା-କୋଳୁ            ଉଦୟ ଭୂଧର

ମଣ୍ଡିଅଛି ଦିନମଣି,

ନାଶ ହେଲା ତୁମ୍ଭ            ବିଷାଦ-ତିମିର-

ଆବୃତ-ଶୋକ-ରଜନୀ ।’’

 

ସାଦରେ ସସ୍ନେହେ            ମହାମୁନି ତାଙ୍କୁ

ନେଇ ଅଦିତିଙ୍କ ପାଶ,

କଲେ ଶକୁନ୍ତଳା-            ପତି-ନୃପତିଙ୍କ

ପରିଚୟ ପରକାଶ ।

 

ପତ୍ନୀ-ପୁତ୍ର ସହ            ବିନୟେ ଭୂପତି

ବନ୍ଦିଲେ ଅଦିତି-ପାଦ,

ଅଦିତି ତାହାଙ୍କୁ            ଆନନ୍ଦେ ମଧୁରେ

ଦେଲେ ଶୁଭ ଆଶୀର୍ବାଦ ।

 

ଦଳ ଦଳ ଆସି            ଦେଖିଲେ ନୃପଙ୍କୁ

ତାପସ-ତାପସୀଗଣ,

କେହି ସୁର, କେହି            ନର ବୋଲି ତାଙ୍କୁ

କଲେ କେତେ ବିତର୍କଣ ।

 

ନୃପତିଙ୍କି ଚାହିଁ            କଶ୍ୟପ ବୋଇଲେ,

‘‘ନ କରିବ ଅନୁତାପ,

ତୁମ୍ଭ ସ୍ମୃତି-ଲୋପ            କରି ଦେଇଥିଲା

ଦୁର୍ବାସା ମୁନିଙ୍କ ଶାପ ।

 

ଉଭାବିତ ହୋଇ-            ଥା’ନ୍ତା ପୁଣି ସ୍ମୃତି

ଯେଉଁ ଅଙ୍ଗୁରୀୟ ବଳେ,

ଶକୁନ୍ତଳା ସ୍ନାନ-            କାଳେ ହରାଇଲା

ତାହା ଶଚୀତୀର୍ଥ-ଜଳେ ।

 

ତୁମ୍ଭ ପ୍ରତି ତାର            ମନ ରହିଥିଲା,

ତୁମ୍ଭ ପଦେ ଥିଲା ଧ୍ୟାନ,

ଅଞ୍ଚଳୁ ମୁଦ୍ରିକା            ଖସିପଡ଼ିବାର

ପ୍ରତି ନ ରହିଲା ଜ୍ଞାନ ।

 

ଜଳେ ଖେଳୁଥିଲା            ମୀନ ତା’ ଆହାର

ବିଚାରି ଭକ୍ଷଣ କଲା,

ଧୀବର ସେ ମୀନ            ମାରନ୍ତେ ମୁଦ୍ରିକା

ତୁମ୍ଭ ସମକ୍ଷକୁ ଗଲା ।

 

ଶକୁନ୍ତଳା-ମାତା            ଦୁହିତା ବିପଦ-

ସମୟ ପ୍ରବେଶ ଚାହିଁ,

ଦୁହିତାକୁ ଆଣି            ଦେଇଗଲା ଆମ୍ଭ

ଆଶ୍ରମେ ରଖିବା ପାଇଁ ।

 

ଦେଖୁଛ ତ ଏହି            ସ୍ଥାନର ପ୍ରଭାବ,

ଏଥି ନାହିଁ ଶୋକ ତାପ,

ତୁମ୍ଭ ବ୍ୟବହାରେ            ହୋଇ ନାହିଁ ମଧ୍ୟ

ସତ୍ୟ ପ୍ରତି ଅପଳାପ ।

 

ଅଧିକନ୍ତୁ ଘୋର            ଅନୁତାପେ ତୁମ୍ଭ

ମହିମା ଯାଇଛି ବଢ଼ି,

ତାହା ଯୋଗୁଁ ପୁଣି            ଅବନୀର ପାପ-

ବୀଜ ଯାଇଅଛି ସଢ଼ି ।

 

ପତ୍ନୀ ପୁତ୍ର ଘେନି            ଯାଅ ଏବେ ସୁଖେ

ଅବନୀ ପାଳନ କର,

ତମ୍ଭ ପରା ପତି-            ବିରହେ ଅବନୀ

ଅଛି ଦୁଃଖ-ଜରଜର ।’’

 

ବିଦାୟ-ପ୍ରଣାମ            କରି ନରପତି

ମହର୍ଷି-ଦମ୍ପତି-ପଦେ;

ପତ୍ନୀ ପୁତ୍ର ସହ            କିଛି ଦୂର ଚାଲି

ଗଲେ ସେ ଆଶ୍ରମପଦେ ।

 

ତହୁଁ ରଥେ ବସି            କୁମରମଣିକି

କୋଳେ ବସାଇଲେ ନେଇ,

ପାଶେ ବସାଇଲେ            ବଲ୍ଲଭୀମଣିକି

କର-ପଦ୍ମେ କର ଦେଇ ।

 

ମାଳତି-ଚାଳନେ            ବାସବ-ସ୍ୟନ୍ଦନ

ମୁହୂର୍ତ୍ତ ମଧ୍ୟରେ ଆସି

ହସ୍ତିନା ନଗର-            ରାଜପଥେ ଦେଲା

ଦିବ୍ୟ ଶୋଭା ପରକାଶି ।

 

ପୁରବାସୀଗଣ            ଚାହିଁ ଜୟନାଦେ

ଗଗନ କମ୍ପିତ କଲେ,

ମାତଳି ବିଦାୟ            କରି ନରବର

ଅନ୍ତର୍ଭବନକୁ ଗଲେ ।

 

ପାଟରାଣୀ ହେଲେ            ଶକୁନ୍ତଳା, ତାଙ୍କ

ପୁତ୍ର ହେଲେ ପାଟରାଜା,

ଦିଗ ଦିଗନ୍ତରେ            ବାଜିଗଲା ରାଜା-

ରାଣୀଙ୍କ ସୁଯଶ-ବାଜା ।

 

ଏକପ୍ରାଣ ହେଲେ            ନୃପତି-ଦମ୍ପତି,

ଭିନ୍ନ ମାତ୍ର ଥିଲା କାୟା,

ସ୍ନିଗ୍‌ଧ କରୁଥିଲା            ଜୀବନକୁ ସଦା

ପବିତ୍ର ପ୍ରଣୟ-ଛାୟା ।

......